ରଥ ପ୍ରତିଷ୍ଠାରେ ବିଳମ୍ବ

ପୁରୁଣା ଭୁବନେଶ୍ୱର: ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ଦିନକ ପୂର୍ବରୁ ପରମ୍ପରା ଅନୁଯାୟୀ ଆଜି ରାତି ପ୍ରାୟ ୧୨ଟା ୧୦ ସମୟରେ ମରୀଚି କୁଣ୍ଡର ଜଳ ଉତ୍ତୋଳନ କରାଯାଇଥିଲା। ପ୍ରଥମ ଗରା ପାଣିକୁ ରଥ ପ୍ରତିଷ୍ଠା ପାଇଁ ନିଆଯାଇଥିଲା। ମାତ୍ର ଦ୍ବିତୀୟ ଗରା ପାଣି ଦେବାରେ ଡେରି ହେବାରୁ ରଥ ପ୍ରତିଷ୍ଠାରେ ବିଳମ୍ବ ହୋଇଥିବା ଅଭିଯୋଗ ହୋଇଛି। ପରବର୍ତୀ ପ୍ରଥମ, ଦ୍ବିତୀୟ ଓ ତୃତୀୟ ଗରା ପାଣିକୁ ନିଲାମ ଦିଆଯିବାର ଥିଲା। ମାତ୍ର ସେଠାରେ ଉପସ୍ଥିତ ସାମ୍ବାଦିକଙ୍କୁ ଏ ସଂପର୍କରେ ଖବର ସଂଗ୍ରହ କରିବା ନେଇ ସୁଯୋଗ ଦିଆଯାଇ ନଥିଲା। ଏପରିକି ସାମ୍ବାଦିକମାନଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ ଓ ଦୁର୍ବ୍ୟବହାର ପ୍ରଦର୍ଶନ କରାଯାଇଥିଲା। ଫଳରେ ଉପସ୍ଥିତ ସାମ୍ବାଦିକମାନେ ଖବର ସଂଗ୍ରର କରିବାରୁ ଦୂରେଇ ରହିବା ସହିତ ବିରୋଧ ପ୍ରଦର୍ଶନ କରିଥିଲେ। ମିଳିଥିବା ଶେଷ ସୂଚନା ଅନୁଯାୟୀ ରାତି ପ୍ରାୟ ୧୨ଟା ୫୦ରେ କେନ୍ଦ୍ରାପଡ଼ା ଅଞ୍ଚଳର ଜଣେ ମହିଳା ପରବର୍ତୀ ଗରା ପାଣିକୁ ନିଲାମ ଧରିଥିଲେ। ଅନ୍ୟପକ୍ଷରେ ରଥ ପ୍ରତିଷ୍ଠା ପାଇଁ ଦ୍ବିତୀୟ ଗରା ପାଣି ନ ମିଳିବାରୁ ରଥ ପ୍ରତି‌ଷ୍ଠାରେ ବିଳମ୍ବ ହୋଇଥିଲା। ଏ ନେଇ ସେବାୟତମାନେ ମନ୍ଦିର ପ୍ରଶାସନ ନିକଟରେ ନିିଜର ଅସନ୍ତୋଷ ଜାହିର କରିଥିଲେ। ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ ସେବାୟତମାନେ ମନ୍ଦିର କାର୍ଯ୍ୟାଳୟରେ ବସି ରହିଥିଲେ। ସେହିପରି ଆଜି ରଥରେ ସିଂହାସନ, ପାର୍ଶ୍ୱମୂର୍ତ୍ତି ଲଗାଯାଇଥିଲା। ଏହାସହିତ ମୂର୍ତ୍ତି ବାରେଣୀ, ପ୍ରଭା, ଘୋଡ଼ାଈଶ, ଚାରିଦ୍ୱାର ଲଗାଯାଇଛି। ରଥ ସାରଥିଙ୍କୁ ରଙ୍ଗ କରାଯାଇଛି। ଗତକାଲି ରଥର ଉପର ପଟ୍ଟା, ବେଦି ପଟ୍ଟା, ଘଣ୍ଟି ଓରା, ଧ୍ୱଜ ବତା ଲାଗାଯିବା ସହ ପେଟି, ଅଁଳା, ମୁଣ୍ଡି, ଝରା ଲାଗିବା କାମ ଶେଷ ହୋଇଛି।

ସମ୍ବନ୍ଧିତ ଖବର