ରାଜଧାନୀରେ ସ୍ଥିତି ଅସମ୍ଭାଳ, ଚାରିଆଡ଼େ କୁଢ଼କୁଢ଼ ଆବର୍ଜନା

ଭୁବନେଶ୍ବର: ରାଜଧାନୀରେ ପରିମଳ ବ୍ୟବସ୍ଥା ପୂରା ବିଗିଡ଼ି ଯାଇଛି। ବିଏମ୍‌ସି ପକ୍ଷରୁ ନିୟମିତ ସଫେଇ ହେଉଥିଲେ ହେଁ ଭୁବନେଶ୍ବର ସ୍ବଚ୍ଛ ସହର ଭଳି ଦିଶୁନି। ମୁଖ୍ୟ ରାସ୍ତାରୁ ଆରମ୍ଭ କରି ଗଳିକନ୍ଦି ପର୍ଯ୍ୟନ୍ତ ସବୁଠି ଦିନ ଦିନ ଧରି ଆବର୍ଜନା ଗଦା ହୋଇ ରହୁଛି। ଅଧିକାଂଶ ସ୍ଥାନରୁ ଦୁଇ ତିନି ଦିନରେ ଥରେ ଲେଖାଏଁ ଆବର୍ଜନା ଉଠୁଛି। କେବଳ ଆବର୍ଜନା ନୁହେଁ। ଘର ସମ୍ମୁଖରେ ଯେଉଁ ଡ୍ରେନ୍ ଯାଇଛି ସେଥିରେ ବି କୁଢ଼କୁଢ଼ ଆବର୍ଜନା। ପାଣି ସଢ଼ି ଗନ୍ଧରେ ନାକ ଫାଟି ଯାଉଛି। ଡ୍ରେନ୍‌ରେ ପାଣି ଯିବା ଦୂର କଥା ଅଧା ପୋତି ହୋଇପଡ଼ିଛି। ବର୍ଷା ଋତୁ ଆସି ଯାଇଥିବାରୁ ଘରେ ପାଣି ପଶିବା ଭଳି ପରିସ୍ଥିତି। ଗଳିକନ୍ଦିରେ ଷ୍ଟ୍ରିଟ ଲାଇଟ୍ ଜଳୁନି। କେଉଁଠି ବାତ୍ୟାରେ ଭାଙ୍ଗି ଯାଇଥିବା ଡାଳପତ୍ର ଏବେବି ସଢ଼ି ଗନ୍ଧାଉଛି ତ ‌େକଉଁଠି ଲୋକଙ୍କ ଘର ଉପରେ ଏବେବି ଗଛ ପଡ଼ି ରହିଛି। ବିଏମ୍‌ସିରେ ଟୋଲ୍‌ ଫ୍ରି ନମ୍ବରରେ ଫୋନ୍‌ କଲେ ବି ସମାଧାନ ହେଉନି। ସ୍ବେରେଜ୍ ବ୍ୟବସ୍ଥା ପୂରା ଭୁଶୁଡ଼ି ଯାଇଛି। ମ୍ୟାନ୍‌ହୋଲ୍‌ରୁ ପାଣି ଉଛୁଳି ରାସ୍ତାରେ ଭାସୁଛି। ମଇଳା ପାଣିରେ ଲୋକ ଯାତାୟତ କରୁଛନ୍ତି। ମଶାଙ୍କ ଦୌରାତ୍ମ୍ୟ ତ ନକହିବା ଭଲ। ଦିନ ଦ୍ବିପ୍ରହରରେ ବି ଘର ଭିତରେ ମଶା ‌ଘେରି ଯାଉଛନ୍ତି। ରାତିରେ ମଶାରି ନଟାଣିଲେ ଶୋଇ ହେଉନି। ପଲପଲ ମଶା ମଶାରି ବାହାରେ ଭଣଭଣ ହେଉଛନ୍ତି।

ଏହିଭଳି କୁଢ଼କୁଢ଼ ସମସ୍ୟାରେ ‌ରାଜଧାନୀବାସୀ ଅଛନ୍ତି। କାହାକୁ ଅଭିଯୋଗ କରିବେ, କିଏ ଉଠାଇବ ଜାଣିପାରୁନାହାନ୍ତି। ପୂର୍ବତନ କର୍ପୋରେଟରଙ୍କ ନିକଟରେ ଅଭିଯୋଗ କଲେ ବି କିଛି ସମାଧାନ ହେଉନି। ପୂର୍ବତନ କର୍ପୋରେଟରଙ୍କୁ କହିଲେ ସେ କହୁଛନ୍ତି ଆମ କାର୍ଯ୍ୟକାଳ ତ ୬ମାସ ହେଲା ସରିଲାଣି। ବିଏମ୍‌ସିର ପୁରୁଣା ଅଧିକାରୀ ବି ବଦଳିଗଲେଣି। ଆମ କଥା କେହି ଶୁଣୁନାହାନ୍ତି। ତୁମେ ବିଏମ୍‌ସି ଅଫିସ ଯାଇ ଅଭିଯୋଗ କର। ସବୁ ‌ଲୋକ ତ ବିଏମ୍‌ସି ଅଫିସ ଆସିପାରୁନାହାନ୍ତି କି ଅଭିଯୋଗ କରିପାରୁନାହାନ୍ତି। ତେଣୁ ଅପେକ୍ଷା କରିଛନ୍ତି ବିଏମ୍‌ସି କର୍ତ୍ତୃପକ୍ଷଙ୍କ ନିଦ ଯେବେ ଭାଙ୍ଗିବ ସେବେ ସମସ୍ୟା ସମାଧାନ ହେବ। ଯିଏ ବିଏମ୍‌ସି ଅଫିସ ଆସି ଅଭିଯୋଗ କରୁଛନ୍ତି ତାଙ୍କୁ ଏ ଅଧିକାରୀଙ୍କୁ ଭେଟ, ସେ ଅଧିକାରୀଙ୍କୁ ଭେଟ କୁହାଯାଉଛି। ଶେଷରେ କୁହାଯାଉଛି ତୁମ ୱାର୍ଡ ଅଫିସରଙ୍କୁ କୁହ। ନଚେତ୍ ଜୋନ୍‌ ଅଫିସରେ ଅଭିଯୋଗ କର। ବିଏମ୍‌ସିରେ ଲୋକ ପ୍ରତିନିଧି ନରହିବାର ଅଭାବ ରାଜଧାନୀବାସୀ ଅନୁଭବ କଲେଣି। ଏପଟେ ବିଏମ୍‌ସିର ବାବୁମାନଙ୍କ ଉପରେ ଚାପ ପକାଇବାକୁ ‌କର୍ପୋରେଟର ନଥିବାରୁ ସେମାନେ ବି ମନଇଚ୍ଛା କାମ କରୁଛନ୍ତି। ଆସନ୍ତା ୬ମାସ ମଧ୍ୟରେ ବିଏମ୍‌ସି ନିର୍ବାଚନ ହେବାର ସମ୍ଭାବନା ଦେଖାଯାଉନଥିବାରୁ ରାଜଧାନୀ ସ୍ଥିତି କେତେ ସଙ୍ଗିନ ହେବ ଏବେଠୁ ଅନୁମାନ ଲଗାଇ ହେଲାଣି।

ଏପଟେ ବିଏମ୍‌ସିର ପୂର୍ବତନ କମିସନର ତଥା ଏବେକାର ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ନିକଟରେ ରାଜଧାନୀର ପରିମଳ ବ୍ୟବସ୍ଥା ନେଇ ବିଏମ୍‌ସି କମିସନରଙ୍କୁ ଚିଠି ଲେଖିଥିଲେ। ଏହାପରେ କିପରି ରାଜଧାନୀରେ ଅଳିଆ ଜମୁଛି ସେନେଇ ଟୁଇଟ୍‌ କରିବା ପରେ ଲୋକଙ୍କ ମଧ୍ୟରେ ଉତ୍ତେଜନା ବଢ଼ିଲାଣି। ଲୋକ ମଧ୍ୟ ରିଟୁଇଟ୍‌ କରି ଅଭିଯୋଗ ପରେ ଅଭିଯୋଗ କରି ଚାଲିଛନ୍ତି। ଆଉ ବିଏମ୍‌ସି ପକ୍ଷରୁ ଗୋଟିଏ ଦୁଇଟି ସ୍ଥାନରେ ଅଳିଆ ଉଠାଇ ସାମାଜିକ ଗଣମାଧ୍ୟମରେ ପରିମଳ ବ୍ୟବସ୍ଥା ଠିକ୍ ଅଛି ବୋଲି ପ୍ରମାଣ ଦିଆଗଲେ ବି ଲୋକଙ୍କ ଅବସ୍ଥା ଯେ ଅତ୍ୟନ୍ତ ଦୟନୀୟ ହୋଇପଡ଼ିଛି ତାହା ରାଜଧାନୀର ଯେକୌଣସି ଅଞ୍ଚଳରେ ପଶିଗଲେ ଜଣାପଡ଼ୁଛି। ବିଏମ୍‌ସି କମିସନର ରାଜଧାନୀର ସ୍ଥିତି ସଜାଡ଼ିବାକୁ ଜୋରଦାର ଉଦ୍ୟମ ଚଳାଇଛନ୍ତି। ଭୁବନେଶ୍ବରର ତିନିଟି ଜୋନ୍‌ରେ ଜୋନାଲ ଡେପୁଟି କମିସନରଙ୍କୁ ଦାୟିତ୍ବ ବାଣ୍ଟି ସ୍ଥିତି ଉପରେ ନଜର ରଖିବାକୁ କହିଛନ୍ତି। ଏହାବାଦ୍ ୧୩ଜଣ ବରିଷ୍ଠ ଅଧିକାରୀଙ୍କୁ ସେକ୍ଟର ଅଧିକାରୀ ଭାବେ ନିୟୋଜିତ କରାଯାଇଛି। ସେମାନଙ୍କୁ ବିଭିନ୍ନ ୱାର୍ଡର ସମସ୍ୟାର ସମାଧାନ କରିବାକୁ କୁହାଯାଇଛି। ହେଲେ ଏହି ଅଧିକାରୀ ସେମାନଙ୍କ ୱାର୍ଡକୁ ଯିବା ତ ଦୂରର କଥା। ଲୋକ ଜାଣିନାହାନ୍ତି ସେମାନଙ୍କ ୱାର୍ଡରେ କେଉଁ ଅଧିକାରୀ ଅଛନ୍ତି। ଯାହାଙ୍କୁ ଅଭିଯୋଗ କଲେ ସମସ୍ୟାର ତୁରନ୍ତ ସମାଧାନ ହୋଇଯିବ। ଫଳରେ ରାଜଧାନୀ ଅବସ୍ଥା ମୌସୁମୀ ଆ‌ସିବା ପୂର୍ବରୁ ବେହାଲ୍‌ ହୋଇଯାଇଛି।

ସମ୍ବନ୍ଧିତ ଖବର