ଲୁପ୍ତପ୍ରାୟ ଲୋକକଳାର ୧୩ତମ ସନ୍ଧ୍ୟା: ‘ଭୂତକେଳି’ରେ ରାଧାକୃଷ୍ଣଙ୍କ ପ୍ରେମକାହାଣୀ

ଭୁବନେଶ୍ୱର: ଭାରତୀୟ ବିଦ୍ୟାଭବନ ଓ ଇମ୍ଫୋସିସ୍‌ ପକ୍ଷରୁ ଲୁପ୍ତପ୍ରାୟ ଲୋକକଳା କାର୍ଯ୍ୟକ୍ରମର ୧୩ତମ ସନ୍ଧ୍ୟା ବିଦ୍ୟାଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥର ଦର୍ଶକମାନେ ଭୂତକେଳି (କୃଷ୍ଣ ଲୀଳା) ନାଟ୍ୟ ଦେଖିବାକୁ ପାଇଥିଲେ। ପ୍ରଣୟ ବିଧ୍ୱରା ରାଧାଙ୍କୁ ପାଇବା ପାଇଁ ଶ୍ରୀକୃଷ୍ଣ ବିଭିନ୍ନ ଉପାୟ ଅବଲମ୍ବନ କରି ବିଫଳ ହେବା ପରେ, ସଖୀମାନଙ୍କ ଗହଣରେ ଯମୁନା ନଦୀରେ ନୌକା ବିହାର ସମୟରେ ନୌକାରେ ଭୂତ ରୂପରେ ପ୍ରକଟିତ ହୋଇ, ସମସ୍ତଙ୍କ ମନରେ ଭୟ ସଞ୍ଚାର କରି କୃଷ୍ଣ କିପରି ରାଧାଙ୍କୁ ପାଇଥିଲେ ଭୂତକେଳିରେ କଳାକାରମାନେ ତାହା ପ୍ରଦର୍ଶନ କରିଥିଲେ। ଦର୍ଶକମାନେ ଭୂତକେଳିରେ ରାଧାକୃଷ୍ଣଙ୍କ ପ୍ରେମକାହାଣୀକୁ ଉପଭୋଗ କରିଥିଲେ। ସୁବର୍ଣ୍ଣ କାଳୁଆ ନାଟ୍ୟ ସଂସଦ, ବୁଢାରସିଙ୍ଗି, ଭୋଗପୁର, ମଞ୍ଜୁସା ଶ୍ରୀକାକୁଲମ୍‌ର କଳାକାର ଏହାକୁ ପରିବେଷଣ କରିଥିଲେ। ଭୂତକେଳି ଯଦିଓ ଓଡ଼ିଶାର ଏକ ଲୋକକଳା, କିନ୍ତୁ ଓଡ଼ିଶା ପ୍ରଦେଶ ଗଠନ ହେବା ପରେ ଏହା ଆମ ପଡ଼ୋଶୀ ଆନ୍ଧ୍ରପ୍ରଦେଶ ରାଜ୍ୟରେ ରହିଯାଇଛି। ଆଜିର ସନ୍ଧ୍ୟାରେ ଅତିଥି ଭାବେ ଭାରତୀୟ ବିଦ୍ୟାଭବନର ଡ. ଏସ୍‌.କେ ତାମୋଟିଆ, ବିଭାରାଣୀ ତାମୋଟିଆ, ପିକେ ସାହୁ, ମନ୍ମଥ ଶତପଥୀ, ଅନନ୍ତ ମହାପାତ୍ର ଓ ଅରବିନ୍ଦ କୁମାର ପାତ୍ର ପ୍ରମୁଖ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର