ଆଜି ପହିଲି ରଜ, ପାନ୍ଥନିବାସରେ ଭଳିକି ଭଳି ପିଠା

ଭୁବନେଶ୍ୱର: ପାଗ ଥିଲା କୋହଲା। ଏହା ସହ ଝିଅମାନଙ୍କ ନାହିଁ ନ ଥିବା ଉତ୍ସାହ। ସଜବାଜ ବି ଚୂଡ଼ାନ୍ତ ପର୍ଯ୍ୟାୟରେ ଥିଲା। ମେହେନ୍ଦି ମେହେନ୍ଦି ବାସୁଥିଲା ବଜାର ଘାଟ। ସାରା ଦିନ ପାର୍ଲରରେ ଲାଗିଥିଲା ଝିଅଙ୍କ ଗହଳି। ପୋଷାକ ବଜାରକୁ ଫୁରସତ୍‌ ହିଁ ନଥିଲା। ପିଠାପଣା ପାଇଁ ପ୍ରସ୍ତୁତି ମଧ୍ୟ ସରିଥିଲା। ପହିଲି ରଜ ପୂର୍ବରୁ ଏମିତି ଥିଲା ରାଜଧାନୀର ଦୃଶ୍ୟପଟ୍ଟ। ବରଷକୁ ଥରେ ଆସିଥିବା ରଜ ଯେମିତି ଫିକା ନପଡ଼େ, ସେଥିପାଇଁ ରାଜଧାନୀରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ହୋଇଛି ସ୍ୱତନ୍ତ୍ର ପ୍ରସ୍ତୁତି। ବନସ୍ତରୁ ଗଜର ଡାକ ଶୁଭୁ କି ନ ଶୁଭୁ କିନ୍ତୁ ଟେପ୍‌ ରେକର୍ଡରୁ ଭାସି ଆସିବ ‘ବନସ୍ତେ ଡାକିଲା ଗଜ…’ ସଂଗୀତ। ପାନ୍ଥ ନିବାସଠୁ ଆରମ୍ଭ କରି ରବୀନ୍ଦ୍ର ମଣ୍ଡପ, ପ୍ରଦର୍ଶନୀ ପଡ଼ିଆ, ବିଭିନ୍ନ ମଲ୍‌, ବସ୍ତି, ବରମୁଣ୍ଡାସ୍ଥିତ ବିଜୁ ପଟ୍ଟନାୟକ ଖେଳ ପଡ଼ିଆ, ବଡ଼ଗଡ଼ ବ୍ରିଟ୍‌ କଲୋନି ଥାନା ପାଖ ପଡ଼ିଆ ଆଦିରେ ଦୋଳି ଖେଳିବା ପାଇଁ ସାଜସଜା ହୋଇଛି। ପୁଣି କବାଡ଼ି, ପୁଚି ଭଳି ପ୍ରତିଯୋଗିତାର ମଧ୍ୟ ଆୟୋଜନ ହୋଇଛି। ତେବେ ରାଜଧାନୀ ଉପକଣ୍ଠରେ ରଜର ପାରମ୍ପରିକ ମହକ ଅନୁଭୂତ ହେବ। ରଜ ପୂର୍ବରୁ ଆଜି ମଧ୍ୟ ବିଭିନ୍ନ ଅନୁଷ୍ଠାନରେ ରଜ ଉତ୍ସବ ପାଳନ କରି ସହରର ରଜ ପରିବେଶକୁ ଆହୁରି ମହକାଇ ଦେଇଛନ୍ତି।

ଭୁବନେଶ୍ୱର: ବନସ୍ତେ ଡାକିଲା ରଜ…. ବରଷକେ ଥରେ ଆସିଛି ରଜ…. ଗୀତ ଭାସି ଆସୁଥିଲା ପାନ୍ଥନିବାସ ପରିସରରୁ। ପୁଣି ପିଠାର ମହମହ ବାସ୍ନାରେ ଜିଭ ଆଉ ବୋଲ ମାନୁ ନ ଥିଲା। ଫୁଲରେ ଲଦି ହୋଇଥିଲା ଦୋଳି ଓ ଝୁଲୁଥିଲେ ତରୁଣୀମାନେ। ଭଳିକି ଭଳି ପିଠାର ସମ୍ଭାର ପୁଣି ଦୋଳି ବ୍ୟବସ୍ଥା ମନେ ପକେଇ ଦେଉଥିଲା ଗାଁ ପରିବେଶ କଥା। ଅବସର ଥିଲା ‘ଓଟିଡିସି’ ପକ୍ଷରୁ ପାନ୍ଥ ନିବାସ ପରିସରରେ ଆୟୋଜିତ ‘ରଜ ମହୋତ୍ସବ’ର। ଏହାକୁ ଉଦ୍‌ଘାଟନ କରିଥିଲେ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା। ବିଧାୟକ ପ୍ରିୟଦର୍ଶୀ ମିଶ୍ର ଓ ମେୟର ଅନନ୍ତ ନାରାୟଣ ଜେନାଙ୍କ ସମେତ ଓଟିଡିସି ଅଧ୍ୟକ୍ଷ ଦିଲ୍ଲୀପ ତିର୍କୀ ଓ ପର୍ଯ୍ୟଟନ ବିଭାଗର ନିର୍ଦେଶକ ନିତିନ ଭାନୁଦାସ ଜ୍ଵାଓ୍ଵଲେ ଉପସ୍ଥିତ ଥିଲେ। ଏହି ଅବସରରେ ପାନ୍ଥ ନିବାସରେ ଦୋଳି ସହ ରଜ ପାନ ବି ଉପଲବ୍ଧ ହେଉଛି। ପୋଡ଼ ପିଠା (କେଜି ୩୫୦ ଟଙ୍କା), ମୁଗ ବୁନ୍ଦି, କାକରା ପିଠା, ପୂର ମଣ୍ଡା, କ୍ଷୀର ଗଜା, ଆରିସା ପିଠା, ଭଜା ମଣ୍ଡା, ଚକୁଳି ପିଠା, ଦହି ବରା, ଛେନା ପୋଡ଼ ବିକ୍ରି କରାଯାଉଛି। ସ୍ୱତନ୍ତ୍ର ପିଠା ବାସ୍କେଟ୍‌ର ଦର ୧୨୦ ଟଙ୍କା ଓ ୨୮୦ ଟଙ୍କା ରହିଛି। ଭୁବନେଶ୍ୱର ସମେତ ପୁରୀ, କଟକ, ଚାନ୍ଦିପୁର, ଗୋପାଳପୁର, ସମ୍ବଲପୁର, ରାଉରକେଲା, ବଡ଼କୁଳ, ପାରାଦୀପ ଓ କୋଣାର୍କ ପାନ୍ଥନିବାସରେ ମଧ୍ୟ ରଜ ମହୋତ୍ସବ ପାଳିତ ହୋଉଛି। ଚଳିତ ବର୍ଷ ପ୍ରଥମ ଥର ପାଇଁ ଆଦିବାସୀଙ୍କ ମହୁଲ ଓ ମାଣ୍ଡିଆରେ ପ୍ରସ୍ତୁତ ପିଠା ମଧ୍ୟ ଉପଲବ୍ଧ ହେଉଛି। ସମ୍ବଲପୁର ପାନ୍ଥ ନିବାସରେ ସ୍ୱତନ୍ତ୍ର ଭାବେ ଖୁଦ ମଣ୍ଡା, କଦମ୍ବା ଓ ମୁଗ ପାପ୍‌ଚି ବି ଉପଲବ୍ଧ ହେଉଛି ବୋଲି ସୂଚନା ଦିଆଯାଇଛି। ମିଳିଥିବା ସୂଚନା ମୁତାବକ ପାନ୍ଥନିବାସରେ ୨୦୧୫ରେ ପିଠା ବିକ୍ରି ୪ ଲକ୍ଷ ଟଙ୍କାରୁ ଊର୍ଧ୍ୱ ହୋଇଥିଲା। ୨୦୧୬ରେ ଏହା ୮ଲକ୍ଷ ଟଙ୍କା ଅତିକ୍ରମ କରିଥିଲା। ଗତ ବର୍ଷ ପାନ୍ଥନିବାସରେ ୯ଲକ୍ଷ ୫୧ହଜାର ଟଙ୍କାର ବ୍ୟବସାୟ ହୋଇଥିବା ବେଳେ ଚଳିତ ବର୍ଷ ଆହୁରି ଅଧିକ ବ୍ୟବସାୟ କରିବାକୁ ଲକ୍ଷ୍ୟ ରଖାଯାଇଛି।

ଏକାମ୍ର ହାଟରେ ପୋଡ଼ପିଠାର ପସରା

ରାଜଧାନୀରେ ଘରେ କେହି ପୋଡ଼ ପିଠା ପ୍ରସ୍ତୁତ କରୁନାହାନ୍ତି। କିନ୍ତୁ ପୋଡ଼ପିଠାର ଚାହିଦା ଢେର୍‌ ରହିଛି। ଲୋକଙ୍କ ଏହି ଚାହିଦାକୁ ଦୃଷ୍ଟିରେ ରଖି ସହରର କିଛି ନିର୍ଦ୍ଦିଷ୍ଟ ରେସ୍ତୋଁରା ଓ ହୋଟେଲ୍‌ରେ ସ୍ୱତନ୍ତ୍ର ଭାବେ ପୋଡ଼ପିଠା ପ୍ରସ୍ତୁତ କରାଯାଉଛି। ପୋଡ଼ପିଠା ପାଇଁ ବେଶ୍‌ ଲୋକପ୍ରିିୟତା ପାଇଥିବା ଏକାମ୍ର ହାଟର ‘ପେଟପୂଜା’ରେ ଆଜିଠାରୁ ପୋଡ଼ପିଠାର ପସରା ଖୋଲିଛି। ଏଠାରେ ପିଠା ନେବାକୁ ଆଜି ଗ୍ରାହକ ଭିଡ଼ ଜମାଇଥିଲା ବେଳେ ଆସନ୍ତା ତିନି ଦିନ ପାଇଁ ଅର୍ଡର୍‌ ବି ଦେଇଛନ୍ତି। ଏଠାରେ ଝାଉଁ କାଠ ପୋଡ଼ ପିଠାର ଅଧିକ ଚାହିଦା ରହିଛି। ଏହାକୁ କିଣିବାକୁ ଗ୍ରାହକମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଛି। ଏହା ବାଦ୍‌ ଧଳା ମଣ୍ଡା, ସୁଜି ମଣ୍ଡା, କାକରା, ଛେନା, ମାଲପୁଆ, କରଞ୍ଜି, ଚନ୍ଦ୍ରକଳା, ଗଜା ଆଦି ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ହୋଇଛି ବୋଲି ପେଟପୂଜାର ସତ୍ତ୍ୱାଧିକାରୀ ପ୍ରକାଶ ଚନ୍ଦ୍ର ବେହେରା କହିଛନ୍ତି।

ସମ୍ବନ୍ଧିତ ଖବର