ଏକାମ୍ର ପ୍ରଚାର: ବସ୍ତିରେ ବିଜେଡି ପଞ୍ଚାୟତରେ ବିଜେପି

କଂଗ୍ରେସର ପଦଯାତ୍ରା, ଜମାଣିଆ ସ୍ଳୋଗାନ୍‌କୁ ମନଛୁଆଁ ଗୀତ

ପୁରୁଣା ଭୁବନେଶ୍ୱର: ଭୁବନେଶ୍ୱର ଏକାମ୍ର ନିର୍ବାଚନମଣ୍ଡଳୀରେ ତିନି ପ୍ରମୁଖ ଦଳର ପ୍ରଚାର ଏବେ ସରଗରମ ହୋଇଛି। ବିଜେଡିର ବିଧାୟକ ଓ ସାଂସଦ ପ୍ରାର୍ଥୀ ବସ୍ତିକୁ ବସ୍ତି ବୁଲି ପ୍ରଚାର କରିଥିବା ବେଳେ ବିଜେପି ପକ୍ଷରୁ ରାଜଧାନୀ ଉପକଣ୍ଠର ବିଭିନ୍ନ ପଞ୍ଚାୟତରେ ଉଭୟ ସାଂସଦ ପ୍ରାର୍ଥିନୀ ଓ ବିଧାୟକ ପ୍ରାର୍ଥୀ ପ୍ରଚାର କରିଥିଲେ। ତେବେ କଂଗ୍ରେସର ବିଧାୟକ ପ୍ରାର୍ଥିନୀ ଆଜି ପଦଯାତ୍ରା ମାଧ୍ୟମରେ ବିଭିନ୍ନ ୱାର୍ଡ ବୁଲି ପ୍ରଚାର କରିଥିଲେ। ଅପରାହ୍‌ଣରେ ବିଜୁ ଜନତା ଦଳର ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକ ଓ ବିଧାୟକ ପ୍ରାର୍ଥୀ ଅଶୋକ ଚନ୍ଦ୍ର ପଣ୍ଡା ବିଏମ୍‌ସି ୱାର୍ଡ ନଂ ୫୬ ଓ ୪୪ ଠାରେ ରୋଡ୍ ସୋ’ କରିଥିଲେ। ଦଳୀୟ କର୍ମୀ ଓ ସମର୍ଥକଙ୍କ ଗହଣରେ ଶ୍ରୀ ପଣ୍ଡା ୱାର୍ଡ ନଂ ୫୬ର ମହିଷାଖାଲ, ଗଧିଆଖାଲ, ବିଜୟଲକ୍ଷ୍ମୀ କଲୋନି ଏବଂ ୪୪ ନଂ ୱାର୍ଡର ବଡ଼ଗଡ଼ ଗାଁରେ ପ୍ରଚାର କରିଥିଲେ। ଶୋଭାଯାତ୍ରାରେ ଜିଲ୍ଲା ପରିଷଦ ସଭ୍ୟ, ପୂର୍ବତନ ଡେପୁଟି ମେୟର କେ. ଶାନ୍ତି, ପୂର୍ବତନ କର୍ପୋରେଟର ଅବନୀ ପାଟ୍ଟଶାଣୀ, ରଚନା ପାଟ୍ଟଶାଣୀ, ବିଜେଡି ନେତା ପ୍ରତାପ ଜେନା, ଅଜିତ ବେହେରା ପ୍ରମୁଖ ଯୋଗଦାନ କରିଥିଲେ। ସେହିପରି କଂଗ୍ରେସ ପ୍ରାର୍ଥିନୀ ରଶ୍ମୀ ମହାପାତ୍ରଙ୍କ ପଦଯାତ୍ରାରେ ସାମିଲ ହୋଇଥିଲେ ଏଆଇସିସି ପର୍ଯ୍ୟବେକ୍ଷକ ତଥା ନାରୀ ନେତ୍ରୀ ସନ୍ଧ୍ୟା ସୱାଲାକ୍ଷୀ। ଏଥିରେ ଶତାଧିକ ଛାତ୍ର କଂଗ୍ରେସ, ଯୁବ କଂଗ୍ରେସ, ମହିଳା କଂଗ୍ରେସର ସଭ୍ୟମାନେ ସାମିଲ ହୋଇଥିଲେ। ସେହିପରି ବିଜେପି ପକ୍ଷରୁ ବିଭିନ୍ନ ପଞ୍ଚାୟତରେ ରୋଡ୍‌ ସୋ’ କରାଯାଇଥିଲା। ଲୋକସଭା ପ୍ରାର୍ଥିନୀ ଅପରାଜିତା ଷଡ଼ଙ୍ଗୀ ଓ ବିଧାୟକ ପ୍ରାର୍ଥୀ ବାବୁ ସିଂହ ଦଳୀୟ କର୍ମୀଙ୍କ ଗହଣରେ ପ୍ରଚାର କରିଥିଲେ। ସେମାନେ ଧଉଳି, ଇଟିପୁର ଓ ଟିକରପଡ଼ା ପଞ୍ଚାୟତରେ ରୋଡ୍‌ ସୋ’ କରିବା ସହ ଭୋଟ୍‌ ଦେବାକୁ ଅନୁରୋଧ କରିଥିଲେ। ଏକାମ୍ର ଜନ ଜାଗରଣ ମଞ୍ଚର ସଭାପତି ତଥା ସ୍ବାଧୀନ ପ୍ରାର୍ଥୀ ଭୀଷ୍ମ ନାରାୟଣ ନାୟକଙ୍କୁ ‘ଗ୍ୟାସ୍‌ ସିଲିଣ୍ଡର’ ଚିହ୍ନ ମିଳିବା ପରେ ସେ ଆଜି ଶ୍ରୀଲିଙ୍ଗରାଜ ମନ୍ଦିର ଠାରୁ ପ୍ରଚାର ଆରମ୍ଭ କରିଛନ୍ତି। ଅନ୍ୟତମ ସ୍ବାଧୀନ ପ୍ରାର୍ଥୀ ସତ୍ୟଜିତ ଜେନା ବିଜେବି ନଗରରେ ପ୍ରଚାର କରିଥିଲେ। ତାଙ୍କୁ ଜାହଜ ଚିହ୍ନ ମିଳିଛି।

ଶାସ୍ତ୍ରୀ ନଗରରେ ବିଜେପି-ବିଜେଡି କର୍ମୀ ମୁହାଁମୁହିଁ
ଭୁବନେଶ୍ବର: ଆଜି ସଂଧ୍ୟାରେ ବିଜେପିର ଭୁବନେଶ୍ବର ମଧ୍ୟ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ଶାସ୍ତ୍ରୀନଗରରେ ଶୋଭାଯାତ୍ରା କରୁଥିବାବେଳେ ବିଜେଡିର ପ୍ରଚାର ଗାଡ଼ି ବାରମ୍ବାର ଶୋଭାଯାତ୍ରା‌ ମଝିରେ ପଶିବାରୁ ଉଭୟ ପକ୍ଷ ମୁହାଁମୁହିଁ ହୋଇଛନ୍ତି। ବିଜେପି କର୍ମୀମାନେ ବିଜେଡିର ପ୍ରଚାର ଗାଡ଼ିକୁ ଅଟକାଇବା ସହ ଅନ୍ୟ ଦିଗରେ ଗାଡ଼ି ନେବାକୁ କହିଥିଲେ। କିନ୍ତୁ ଗାଡ଼ି ନଯିବାରୁ ଉଭୟ ପକ୍ଷ ଠେଲାପେଲା ହୋଇଛନ୍ତି। ସ୍ଥାନୀୟ ଲୋକ ହସ୍ତକ୍ଷେପ କରିବା ପରେ ସ୍ଥିତି ସ୍ବାଭାବିକ ହୋଇଥିଲା।

ଭୁବନେଶ୍ବର: ୫ ବର୍ଷ ପରେ ଆସିଛି ଗଣତନ୍ତ୍ରର ସବୁଠାରୁ ବଡ଼ ପର୍ବ ନିର୍ବାଚନ। ଏବେ ଜନତା ନିଜର ଶକ୍ତି ଦେଖାଇବେ। ରାଜ୍ୟ ଓ ଦେଶର ଉନ୍ନତି ପାଇଁ ନିଷ୍ପତ୍ତି ନେବେ। ପସନ୍ଦ ମୁତାବକ ନେତାଙ୍କୁ ବାଛି ଶାସନ ଭାର ଅର୍ପଣ କରିବେ। ଏଥିପାଇଁ ଯେତିକି ଉତ୍ସାହିତ ଜନତା ତା’ ଠାରୁ ଅଧିକ ତତ୍ପର ନେତା। ଜନତାଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବା ପାଇଁ ବିଭିନ୍ନ ତରିକା ଆପଣାଇଛନ୍ତି। ମତଦାତାଙ୍କୁ ପ୍ରଭାବିତ କରିବାର ପ୍ରକୃଷ୍ଟ ମାଧ୍ୟମ ପ୍ରଚାର ହୋଇଥିବାରୁ ପ୍ରସ୍ତୁତି ଜୋର୍‌ ଧରିଲାଣି। ଏଥିପାଇଁ ଗୀତ, ସ୍ଳୋଗାନ୍‌ଠାରୁ ଆରମ୍ଭ କରି ପୋଷ୍ଟର, ଫ୍ଲେକ୍ସ, ଲିଫ୍‌ଲେଟ୍‌ ଆଦି ତିଆରି ଚାଲିଛି। ଏଥିଯୋଗୁ ଅନେକଙ୍କୁ ରୋଜଗାର କରିବାର ବଡ଼ ଅବସର ମିଳିଛି।

‘ଆପଣମାନେ ଖୁସି ତ’…, ‘ଚୌକିଦାର …, ‘ମୈ ଭି ଚୌକିଦାର…
ପ୍ରଚାର ମଇଦାନରେ ଏବେ ନାନା ପ୍ରକାରର ସ୍ଳୋଗାନ୍‌ମାନ ଶୁଣିବାକୁ ମିଳୁଛି। କିଏ କେତେ ଭଲ ସ୍ଳୋଗାନ୍‌ ଦେଇ ଭୋଟର୍‌ଙ୍କ ମନ ଜିଣିପାରିବ, ସେ ନେଇ ଏକପ୍ରକାର ପ୍ରତିଦ୍ବନ୍ଦ୍ବିତା ଚାଲିଛି। ପୁରୁଷ ହକି ବିଶ୍ବ କପ୍‌ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ‘ଆପଣମାନେ ଖୁସି ତ…’ ସ୍ଳୋଗାନ୍‌ ବିଜେଡିର ମୁଖ୍ୟ ଅସ୍ତ୍ର ହୋଇଛି। ବିଜେଡି ସୁପ୍ରିମୋଙ୍କଠାରୁ ଆରମ୍ଭ କରି ଦଳୀୟ ପାର୍ଥୀ, କର୍ମକର୍ତ୍ତା ଓ ସମର୍ଥକଙ୍କ ମୁହଁରୁ ଏହି ଡାଏଲଗ୍‌ ପ୍ରଚାରକୁ ଆହୁରି ମଜାଦାର କରୁଛି। ସେହିପରି ରାଫେଲ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କଟାକ୍ଷ କରି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ କହିଥିବା ‘ଚୌକିଦାର ଚୋର ହୈ… କଂଗ୍ରେସର ନିର୍ବାଚନୀ ସ୍ଳୋଗାନ୍‌ ହୋଇଛି। ପ୍ରଚାର ମଇଦାନ ହେଉ ବା ଟୁଇଟର୍‌ ବା ସାମାଜିକ ଗଣମାଧ୍ୟମ ସବୁଠାରେ କଂଗ୍ରେସ କର୍ମୀ ଓ ନେତାମାନେ ‘ଚୌକିଦାର ଚୋର ହୈ…’ ମାଧ୍ୟମରେ ବିଜେପିକୁ ଟାର୍ଗେଟ କରୁଛନ୍ତି। ଏହାଛଡ଼ା ରାହୁଲଙ୍କ ଓଡ଼ିଶା ଗସ୍ତ ସମୟରେ ବିଜେପି-ବିଜେଡିକୁ ଟାର୍ଗେଟ କରି କହିଥିବା ‘ରିମୋଟ୍ କ‌ଣ୍ଟ୍ରୋଲ ସରକାର’ ବି ଏବେ ଚର୍ଚ୍ଚିତ ହେଉଛି। କିନ୍ତୁ ସବୁଠାରୁ ଚର୍ଚ୍ଚାରେ ଏବେ ରହିଛି ଚୌକିଦାର ଡାଏଲଗ୍‌। ରାହୁଲଙ୍କ ‘ଚୌକିଦାର ଚୋର ହୈ… ଡାଏଲଗ୍‌ର ଉତ୍ତରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ‘ମୈ ଭି ଚୌକିଦାର… ସ୍ଳୋଗାନ୍‌ ଏବେ ଚାରିଆଡ଼େ ଛାଇଯାଇଛି। ମୋଦୀଙ୍କ ସମେତ ସମସ୍ତ ବିଜେପି କର୍ମୀ ନିଜ ଟୁଇଟର ଆକାଉଣ୍ଟରେ ନିଜ ନାମ ପୂର୍ବରୁ ଚୌକିଦାର ଲେଖିଛନ୍ତି। ସେହିପରି ବିଜେପିର ଆଉ ଏକ ସ୍ଳୋଗାନ୍‌ ‘ଫିର୍ ଏକବାର ମୋଦୀ ସରକାର’ ମଧ୍ୟ ଚର୍ଚାକୁ ଆସିଛି। ଦମ୍‌ଦାର ଡାଏଲଗ ସହ ଭଲ ଗୀତ ଟିକେ ନ ହେଲେ ଚଳଚ୍ଚିତ୍ରଟିଏ ହିଟ୍‌ ହୁଏନି। ଠିକ୍‌ ସେହିଭଳି ଆକ୍ସନ୍‌, ସ୍ଳୋଗାନ୍‌ ପରେ ଏବେ ପ୍ରଚାର ମଇଦାନରେ ଗୀତ ଏକ ସ୍ବତନ୍ତ୍ର ସ୍ଥାନ ନେଇଛି। ଶୁନ୍‌ଜରା ଶୁନ୍‌ଜରା…, ଗଜଲ୍‌ ଗଜଲ୍‌…, ହାଏ ତୋ ପ୍ରେମର ରଙ୍ଗୋଲି… ଆଦି ଗୀତର ସ୍ବରରେ ପ୍ରସ୍ତୁତ ଗୀତ ଏବେ ପ୍ରଚାର ମଇଦାନରେ ‌ଅଧିକ ଶୁଣିବାକୁ ମିଳୁଛି। ସେହିପରି ପୁରୁଣା ଓଡ଼ିଆ ଗୀତରେ ଚକୁଳିଆ ପଣ୍ଡା ଓ ଜାଇଫୁଲ ଗୀତର ସ୍ବର ମଧ୍ୟ ବେଶ୍‌ ମନଛୁଆଁ ହୋଇଛି। ନର୍ବାଚନ ପାଇଁ ପ୍ରାର୍ଥୀମାନେ ଟିକେଟ ପାଇବା ପରେ ଗୀତ ରେକର୍ଡିଂ ଆରମ୍ଭ ହୋଇଯାଇଛି। ଏଥିପାଇଁ ବିଭିନ୍ନ ପ୍ୟାକେଜ୍‌ ଧାର୍ଯ୍ୟ କରାଯାଇଛି। ପ୍ରାର୍ଥୀଙ୍କ ଆବଶ୍ୟକତା, ଗୀତର ମାନକୁ ନେଇ ୨୫ ହଜାରରୁ ଆରମ୍ଭ କରି ୬୦ ହଜାର ଟଙ୍କା ପର୍ଯ୍ୟନ୍ତ ପ୍ୟାକେଜ୍‌ ରହୁଛି। ଗୋଟିଏ ପ୍ୟାକେଜରେ ୫ଟି ଅଡିଓ ଗୀତ ସହ ଜିନ୍ଦାବାଦ୍‌ ଧ୍ବନି ଓ ବିଭିନ୍ନ ନାରା ସମ୍ବଳିତ ସ୍ଳୋଗାନ୍‌ ରହୁଛି। ଗୀତିକାର ନିଗମ ମିଶ୍ର କୁହନ୍ତି, ଗୋଟିଏ ଗୀତ ଲେଖିବାକୁ ଗୀତିକାରମାନେ ହଜାରେରୁ ୫ ହଜାର ଟଙ୍କା ପର୍ଯ୍ୟନ୍ତ ନେଉଛନ୍ତି। ତେବେ ଔଷଧ ନେଇଆ ବାଇଆ…, ତୁ ତୁ ତୁ ମୋ ହିରୋ…, ଜିଗରବାଲା…, ତୋ ପାଇଁ ଦିଲ୍‌ ବୋଲେ ନାଗିନ୍‌ ନାଗିନ୍‌…ଆଦି ଗୀତର ସ୍ବତନ୍ତ୍ର ଡିମାଣ୍ଡ ରହୁଥିବା ସେ କହିଛନ୍ତି। ପୁଣି ଦୁଇ ପ୍ରକାର ଗୀତ ରେକର୍ଡିଂ ହେଉଛି। ଗୋଟିଏ ହେଉଛି ଦଳର ‘ଅଫିସିଆଲ୍‌ ସଙ୍ଗ୍‌’। ଏଥିରେ ‌କେବଳ ଦଳର ଲକ୍ଷ୍ୟ ଓ ଦଳର ସର୍ବୋଚ୍ଚ ବ୍ୟକ୍ତିତ୍ବଙ୍କ ସଂକ୍ରାନ୍ତରେ ତଥ୍ୟ ରହୁଛି। ଅନ୍ୟଟି ହେଉଛି ‘ପ୍ରାର୍ଥିତ୍ବ ସଙ୍ଗୀତ’। ଏଥିରେ ନିର୍ଦ୍ଦିଷ୍ଟ ପ୍ରାର୍ଥୀଙ୍କ ସହ ତାଙ୍କ ଅଞ୍ଚଳ ପ୍ରତି ସେ ରଖିଥିବା ଲକ୍ଷ୍ୟ ଓ ଯୋଜନା ବିଷୟରେ କୁହାଯାଉଛି।

ବାହାର ରାଜ୍ୟରୁ ଆସୁଛି ପ୍ରଚାର ସାମଗ୍ରୀ
ନିର୍ବ‌ାଚନ ପ୍ରଚାର ପାଇଁ ବିଭିନ୍ନ ଦଳ ପକ୍ଷରୁ ପୋଷ୍ଟର, ଫ୍ଲେକ୍ସ, ଲିଫ୍‌ଲେଟ୍‌, ବ୍ୟାଚ୍‌, ଟୋପି, ପତାକା ଓ ଉତ୍ତରୀୟ ଆଦି ଉପଲବ୍ଧ ହେଲାଣି। ରାଜ୍ୟସ୍ତରରେ ଦଳ ପକ୍ଷରୁ ଯୋଗାଇ ଦିଆଯାଉଥିବା ଏହି ପ୍ରଚାର ସାମଗ୍ରୀ ବହୁ ପରିମାଣରେ ପ୍ରସ୍ତୁତ କରାଯାଇଛି। ସାଧାରଣତଃ ବାହାର ରାଜ୍ୟରେ ଏଗୁଡ଼ିକୁ ପ୍ରସ୍ତୁତ ହୋଇ ଓଡ଼ିଶାକୁ ଆସୁଛି। ଭୁବନେଶ୍ବରର କିଛି ପ୍ରେସ୍‌ରେ ମଧ୍ୟ ପୋଷ୍ଟର୍, ଫ୍ଲେକ୍ସ, ଲିଫ୍‌ଲେଟ୍‌ ଛପାଯାଉଛି। ତେବେ ତାହାର ପରିମାଣ କମ୍। କେବଳ ପ୍ରାର୍ଥୀମାନେ ବ୍ୟକ୍ତିଗତ ଭାବେ ଯାହା କରୁଛନ୍ତି, ତାହା ଓଡ଼ିଶା ଭିତରେ କରୁଛନ୍ତି। ବିଜେପି ପକ୍ଷରୁ ପାତ୍ରପଡ଼ାଠାରେ ଏକ ଗୋଦାମରେ ପ୍ରଚାର ସାମଗ୍ରୀ ଗଚ୍ଛିତ ହେଉଛି। ଏଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଅମିତ ଶାହାଙ୍କ ପୋଷ୍ଟର ସହ, ଛୋଟ ବଡ଼ କରି ୩ ପ୍ରକାରର ବିଜେପି ପତାକା, ଟୋପି, ପଦ୍ମ ବ୍ୟାଚ୍‌, ବିଭିନ୍ନ ପ୍ରକାର ଲିଫ୍‌ଲେଟ୍‌, ପୋଷ୍ଟର, ଫ୍ଲେକ୍ସ ଆଦି ରହିଛି। ବିଜେପି ରାଜ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଥିବା ନମୋ ଏଗେନ୍‌ ଷ୍ଟଲ୍‌କୁ ମଧ୍ୟ ଏସବୁ ସାମଗ୍ରୀ ଯାଉଛି ବୋଲି ଗୋଦାମର ସୁପର୍‌ଭାଇଜର୍‌ ତପନ ମନୋହରୀ କହିଛନ୍ତି। ନମୋ ଏଗେନ୍‌ ଷ୍ଟଲ୍‌ରେ ‘ନମୋ ଏଗେନ୍‌’ ଟି-ସାର୍ଟ, ଜ୍ୟାକେଟ୍, ମଗ୍‌, କ୍ୟାପ, ପେନ୍‌ ଓ ଚାବି ରିଙ୍ଗ ଉପଲବ୍ଧ ହେଉଛି। ଏହାର ଦାମ୍‌ ୭୦ ଟଙ୍କାରୁ ଆରମ୍ଭ କରି ୧୯୯ ଟଙ୍କା ମଧ୍ୟ‌ରେ ରହିଛି ବୋଲି ଷ୍ଟଲ୍‌ର ଇନ୍‌-ଚାର୍ଜ ସୁଶୀଲ କୁମାର କହିଛନ୍ତି। ମାସେ ହେଲା ଏହି ଷ୍ଟଲ୍‌ ଖୋଲିଛି। ସେହିପରି ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଶଙ୍ଖ ଚିହ୍ନ, ଶାଢ଼ି, ଉତ୍ତରୀୟ, ବ୍ୟାଚ୍‌ ଓ ପୋଷ୍ଟର, ଫ୍ଲେକ୍ସ, ଲିଫ୍‌ଲେଟ୍‌ ଆଦି ବିଭିନ୍ନ ସ୍ଥାନକୁ ପଠାଯାଉଛି।

ସମ୍ବନ୍ଧିତ ଖବର