କ୍ରାଇମ୍‌ କ୍ୟାପିଟାଲ ଭୁବନେଶ୍ୱର: ୧୫ ଦିନରେ ୧୦ ହତ୍ୟା

ନୂଆପଲ୍ଲୀ ଓ ମଞ୍ଚେଶ୍ୱର ହତ୍ୟାକାଣ୍ଡ ପୁଲିସ ପାଇଁ ଚ୍ୟାଲେଞ୍ଜ

ଭୁବନେଶ୍ୱର: କ୍ରାଇମ୍‌ କ୍ୟାପିଟାଲ୍‌ ପାଲଟି ଗଲାଣି ରାଜଧାନୀ ଭୁବନେଶ୍ୱର। କିଛିଦିନ ଅନ୍ତରରେ ଏଠାରେ ଘଟୁଛି ଗୋଟିଏ ପରେ ଗୋଟିଏ ହତ୍ୟାକାଣ୍ଡ। କେଉଁଠି ଅନୈତିକ ସମ୍ପର୍କକୁ ନେଇ ହତ୍ୟାକାଣ୍ଡ ଘଟିଲାଣି ତ ଆଉ କେଉଁଠି ଜମିଜମା ବିବାଦକୁ ନେଇ। ଯୌତୁକ ଜନିତ ହତ୍ୟାକାଣ୍ଡ ଥମିବାର ନାଁ ଗନ୍ଧ ଧରୁନାହିଁ। କେଉଁଠି ହୋଟେଲ ଭିତରୁ ରକ୍ତ ଜୁଡୁବୁଡୁ ମୃତଦେହ ତ ଆଉ କେଉଁଠି ସ୍କୁଲ ପରିସରରୁ ଓ ରେଲ୍‌େଓ୍ଵ ଷ୍ଟେସନ୍‌ ମଧ୍ୟରୁ ଶବ ଉଦ୍ଧାର ହେଲାଣି। ଗତ ଦୁଇ ସପ୍ତାହ ମଧ୍ୟରେ ରାଜଧାନୀରେ ୧୦ ଜଣଙ୍କୁ ହତ୍ୟା କରାଯିବା ଆଇନଶୃଙ୍ଖଳା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛି। କେତୋଟି ହତ୍ୟା ଘଟଣାରେ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିଥିବାବେଳେ ଅନ୍ୟ କେତୋଟି ଘଟଣା ଏବେ ବି ରହସ୍ୟମୟ ହୋଇ ରହିଛି। ନୂଆପଲ୍ଲୀ ଥାନା ଅଧୀନ ଆଇଆର୍‌ସି ଭିଲେଜ ହାଇସ୍କୁଲ ପରିସରରେ ଘଟିଥିବା ହତ୍ୟାକାଣ୍ଡ ଓ ମଞ୍ଚେଶ୍ୱର ଥାନା ଅଧୀନ ହୋଟେଲ ହାଇେଓ୍ଵ ଇନ୍‌ ଭିତରେ ଜଣେ ମହିଳାଙ୍କୁ ହତ୍ୟା ଏବେ କମିସନରେଟ୍‌ ପୁଲିସ ପାଇଁ ଚ୍ୟାଲେଞ୍ଜ ହୋଇଛି। ଅନଭିଜ୍ଞ ତଦନ୍ତକାରୀ ଅଫିସର ଓ ସେମାନଙ୍କୁ ତଦାରଖ କରୁଥିବା ବରିଷ୍ଠ ଅଧିକାରୀଙ୍କ ରାଜଧାନୀର ଅପରାଧ ଓ ଅପରାଧୀଙ୍କ ସମ୍ପର୍କରେ ଥିବା ତଥ୍ୟର ଅଭାବରୁ ପୁଲିସ ଅଭଯୁକ୍ତଙ୍କ ପାଖରେ ପହଞ୍ଚିବାରେ ବିଳମ୍ବ ଘଟୁଛି ବୋଲି ଚର୍ଚା ହେଉଛି। ଅନ୍ୟପଟେ ଗୋଟିଏ ପରେ ଗୋଟିଏ ହତ୍ୟାକାଣ୍ଡ ରାଜଧାନୀବାସୀଙ୍କ ମନରେ ଭୟ ମଧ୍ୟ ସୃଷ୍ଟି କଲାଣି।

ଷ୍ଟେସନ୍‌ରୁ ମିଳିଲା ଡାକ୍ତରଙ୍କ ମୃତଦେହ
ଭୁବନେଶ୍ୱର ଷ୍ଟେସନ୍‌ର ୧ ନମ୍ବର ପ୍ଲାଟଫର୍ମରୁ ଶିଶୁରୋଗ ବିଶେଷଜ୍ଞ ରବୀନ୍ଦ୍ର କୁମାର ରଥଙ୍କ ମୃତଦେହ ମିଳିବା ଘଟଣା ଏବେ ବି ରହସ୍ୟମୟ। ତାଙ୍କୁ ହତ୍ୟା କରାଯାଇଥିବା ତାଙ୍କ ପୁଅ ଅଭିଯୋଗ କରୁଥିବାବେଳେ ପୁଲିସ ଅଧିକ ଅନୁସନ୍ଧାନ ଜାରି ରଖିଛି। ପୁଲିସ କିଛି ବ୍ୟକ୍ତିଙ୍କୁ ପଚରାଉଚରା କରିଥିଲେ ମଧ୍ୟ ଏଯାଏ ହତ୍ୟା ମାମଲା ଉପରୁ ପରଦା ଉଠାଇବାକୁ ସକ୍ଷମ ହୋଇ ପାରିନାହିଁ।

ମହିଳାଙ୍କୁ ତଣ୍ଟି ଚିପି ହତ୍ୟା!
ମଞ୍ଚେଶ୍ୱର ଥାନା ଅଧୀନ ଜଗନ୍ନାଥନଗରରେ ରହୁଥିବା ଅନନ୍ୟା ମହାନ୍ତି ନାମକ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ତାଙ୍କୁ ତାଙ୍କ ସ୍ୱାମୀ ତାପସ ସାହୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏ ନେଇ ଅନନ୍ୟାଙ୍କ ବାପା ଥାନାରେ ଅଭିଯୋଗ କରିବା ପରେ ପୁଲିସ ତାପସକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ହୋଟେଲରେ ମହିଳାଙ୍କୁ ହତ୍ୟା
ମଞ୍ଚେଶ୍ୱର ଥାନା ସମ୍ମୁଖ ହୋଟେଲ ହାଇେଓ୍ଵ ଇନ୍‌ ଭିତରେ ଲକ୍ଷ୍ମୀପ୍ରିୟା ବିଶ୍ୱାଳ ନାମକ ଜଣେ ମହିଳାଙ୍କୁ ହତ୍ୟା କରାଯାଇଥିଲା। ଏଥିରେ ତାଙ୍କ ପୁରୁଷ ବନ୍ଧୁ କୁହାଯାଉଥିବା ଆଦିତ୍ୟ ମହାପାତ୍ର ସଂପୃକ୍ତ ଥିବା ପୁଲିସ ସନ୍ଦେହ କରୁଛି। ପୁଲିସ ଆଦିତ୍ୟକୁ ଗିରଫ କରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ କରୁଛି।

ମହିଳାଙ୍କ ବେକରେ ଓଢ଼ଣି ବାନ୍ଧି ହତ୍ୟା
ଏୟାରଫିଲ୍‌ଡ ଥାନା ଅଧୀନ ଭୀମଟାଙ୍ଗୀ ଫେଜ୍‌-୨ରେ ରହୁଥିବା ଶିଳ୍ପୀଦାସ ନାମକ ଜଣେ ମହିଳାଙ୍କ ବେକରେ ଓଢ଼ଣି ବାନ୍ଧି ହତ୍ୟା କରିଛି ତାଙ୍କ ପତି। ଏ ନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ମହିଳାଙ୍କ ପତି ସୁବୀର ଜାନାଙ୍କୁ ଗିରଫ କରିଥିଲା।

ଭଣଜାକୁ ହତ୍ୟା କଲା ମାଇଁ
ଚନ୍ଦକା ଥାନା ଅଧୀନ ଛତାବର ପଞ୍ଚାୟତରେ ଜଣେ ମହିଳା ନିଜ ଅଢ଼େଇ ବର୍ଷର ଭଣଜାକୁ ହତ୍ୟା କରିଛି। ଏ ନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ସଂଗୀତା ଚାତର ନାମକ ଜଣେ ମହିଳାଙ୍କୁ ଗିରଫ କରିଛି। ନିଶାସକ୍ତ ଅବସ୍ଥାର ମାଇଁ ଭଣଜାକୁ ହତ୍ୟା କରିଥିବା ପୁଲିସ ଆଗରେ ସ୍ୱୀକାର କରିଛି।

ରାସ୍ତାକଡ଼ରୁ ମିଳିଲା ମୃତଦେହ
ମଞ୍ଚେଶ୍ୱର ଥାନା ଅଧୀନ ରସୁଲଗଡ଼ ତାରାତାରିଣୀ ଛକ ନିକଟରୁ ପ୍ରଦୀପ୍ତ କୁମାର ସିଂହଦେଓ ନାମକ ଯୁବକଙ୍କ କ୍ଷତାକ୍ତ ମୃତଦେହକୁ ପୁଲିସ ଜବତ କରିଥିଲା। ପାରପାର୍ଶ୍ୱିକ ପରିସ୍ଥିତିରୁ ତାଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ୁଛି। କାହିଁକି ଓ କିଏ ତାଙ୍କୁ ହତ୍ୟା କଲା ତାହା ଏଯାଏ ସ୍ପଷ୍ଟ ହୋଇ ପାରିନାହିଁ।

ଘର ଆଗରୁ ମିଳିଲା ମହିଳାଙ୍କ ଅର୍ଧଦଗ୍ଧ ମୃତଦେହ
ସହିଦନଗର ଥାନା ଅଧୀନ ୟୁନିଟ-୯ ଅଞ୍ଚଳରେ ସକାଳୁ ସକାଳୁ ଜଣେ ମହିଳାଙ୍କ ଅର୍ଧଦଗ୍ଧ ମୃତଦେହକୁ ଜବତ କରିଥିଲା ପୁଲିସ। ମହିଳାଙ୍କୁ ହତ୍ୟା କରାଯାଇଥିବା ତାଙ୍କ ପତି ନିରଂଜନ ପାତ୍ର ଅଭିଯୋଗ କରିଛନ୍ତି। ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି। କିଏ, କାହିଁକି ରେଖାଙ୍କୁ ହତ୍ୟା କଲା ତାହା ଏବେ ବି ରହସ୍ୟମୟ।

ହତ୍ୟାକରି ଟାଙ୍ଗି ଦେଲେ
ବଡ଼ଗଡ଼ ଥାନା ଅଧୀନ ବଡ଼ଗଡ଼ ଗାଁରେ ଅନିତା ସାହୁ ନାମକ ଜଣେ ନବ ବିବାହିତଙ୍କୁ ତାଙ୍କ ସ୍ୱାମୀ ଦଶରଥ ସାହୁ ହତ୍ୟା କରି ଟାଙ୍ଗି ଦେଇଥିଲା। ଏ ନେଇ ଅନିତାଙ୍କ ବାପା ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରିବା ପରେ ପୁଲିସ ଦଶରଥଙ୍କୁ ଗିରଫ କରିଥିଲା।

ସ୍କୁଲ ପଡ଼ିଆରୁ ମିଳିଲା ରକ୍ତାକ୍ତ ମୃତଦେହ
ନୂଆପଲ୍ଲୀ ଥାନା ଅଧୀନ ଆଇଆର୍‌ସି ଭିଲେଜ ହାଇସ୍କୁଲ ପଡ଼ିଆରେ ପୂର୍ଣ୍ଣଚନ୍ଦ୍ର ନାୟକ ନାମକ ଜଣେ ଯୁବକଙ୍କୁ କିଛି ଦୁର୍ବୃତ୍ତ ଅତ୍ୟନ୍ତ ବୀଭତ୍ସ ଭାବେ ହତ୍ୟା କରିଥିଲେ। ଏହି ଘଟଣାକୁ ଏକ ସପ୍ତାହ ବିତି ଗଲାଣି। କିନ୍ତୁ ପୁଲିସ ଏଯାଏ ହତ୍ୟାକାରୀଙ୍କ ନିକଟରେ ପହଞ୍ଚି ପାରିନାହିଁ।

ଜମିଜମା ବିବାଦରୁ ମହିଳାଙ୍କୁ ହତ୍ୟା
ଏୟାରଫିଲ୍‌ଡ ଥାନା ଅଧୀନ ପଳାଶପଲ୍ଲୀ କୁକୁଟେଶ୍ୱର ମନ୍ଦିର ନିକଟରେ ପଦ୍ମାଳୟା ସେଠୀ ନାମକ ଜଣେ ମହିଳାଙ୍କୁ ଜମିଜମା ବିବାଦ କାରଣରୁ ତାଙ୍କ ସମ୍ପର୍କୀୟମାନେ ହତ୍ୟା କରିଥିବା ତାଙ୍କ ସ୍ୱାମୀ ଅଭିଯୋଗ କରିଛନ୍ତି। ପୁଲିସ ହତ୍ୟା ମାମଲା ରୁଜୁ କରି ଘଟଣା ତଦନ୍ତ କରୁଛି। କିନ୍ତୁ ପୁଲିସ ଏଯାଏ କାହାରିକୁ ଗିରଫ କରି ନାହିଁ। ପୁଲିସ କହିଛି ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା ରହିଛି।

ସମ୍ବନ୍ଧିତ ଖବର