ଜାତୀୟ ଡେଙ୍ଗୁ ଦିବସ: ଅଧିକ ୫୬ଲକ୍ଷ ଔଷଧୀୟ ମଶାରି ଦିଅ

ଭୁବନେଶ୍ବର: ଆଜି ଥିଲା ଜାତୀୟ ଡେଙ୍ଗୁ ଦିବସ। ଏହି ଅବସରରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସମ୍ମିଳନୀ କକ୍ଷରେ ଏହା ପାଳିତ ହୋଇଯାଇଛି। ଏହି ଅବସରରେ ସ୍ବାସ୍ଥ୍ୟ ସଚିବ ଡା. ପ୍ରମୋଦ କୁମାର ମେହେର୍ଦା ରାଜ୍ୟରେ ଡେଙ୍ଗୁ, ମ୍ୟାଲେରିଆ ଆଦି ନିୟନ୍ତ୍ରଣ ଦିଗରେ ଗ୍ରହଣ କରାଯାଇଥିବା ପଦକ୍ଷେପ ସଂପର୍କରେ ଆଲୋଚନା କରିଛନ୍ତି। ଡେଙ୍ଗୁ ନିୟନ୍ତ୍ରଣ କ୍ଷେତ୍ରରେ ଦେଶର ୬ଟି ରାଜ୍ୟ ତୁଳନାରେ ଓଡ଼ିଶାର ପ୍ରଦର୍ଶନ ଆଗରେ ରହିଥିବା ବୈଠକରେ ସୂଚନା ଦିଆଯାଇଛି।

ଦେଶରେ ୧୯୪୫ ମସିହାରୁ ଡେଙ୍ଗୁ ରୋଗ ଚିହ୍ନଟ କରାଯାଉଛି। ୧୯୮୮ ମସିହାରେ ଏହା ପ୍ରଥମେ ଦିଲ୍ଲୀରେ ମହାମାରୀ ରୂପ ଧାରଣ କରିଥିଲା। ୨୦୧୮ ମସିହାରେ ଦେଶରେ ୮୯ହଜାର ୯୭୪ଜଣ ଡେଙ୍ଗୁ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଏଥିରେ ୧୪୪ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ଓଡ଼ିଶାରେ ୨୦୧୦ ମସିହାରେ ପ୍ରଥମେ ଡେଙ୍ଗୁ ଦେଖା ଦେଇଥିଲା। ଗତବର୍ଷ ୫୧୯୮ଜଣ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ବେଳେ ଏଥିରେ ୫ଜଣଙ୍କର ମୃତ୍ୟୁ ହୋଇଛି। ଆକ୍ରାନ୍ତଙ୍କ ମଧ୍ୟରୁ ୧୫୫୯ଜଣ ରାଜ୍ୟ ବାହାରୁ ଡେଙ୍ଗୁରେ ଆକ୍ରାନ୍ତ ହୋଇ ଓଡ଼ିଶାକୁ ଆସିଥିଲେ। ଏହା ଏକ ଜନସ୍ବାସ୍ଥ୍ୟ ସମସ୍ୟା ହୋଇଥିବାରୁ ନିୟନ୍ତ୍ରଣ ଓ ନିରାକରଣ ଦିଗରେ ରାଜ୍ୟରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି। ଚଳିତବର୍ଷ ଜାନୁଆରି ମାସରୁ ଏ ପର୍ଯ୍ୟନ୍ତ ୧୫ଜଣ ଆକ୍ରାନ୍ତ ହୋଇଥିବା ବେଳେ କାହାର ମୃତ୍ୟୁ ହୋଇନାହିଁ।

ମଶାବାହିତ ରୋଗରୁ ଲୋକଙ୍କୁ ସୁରକ୍ଷା ଦେବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଆହୁରି ୫୬ଲକ୍ଷ ଔଷଧୀୟ ମଶାରି ମଗାଯାଇଛି। ଏହି ଅବସରରେ ବାର୍ଷିକ ରିପୋର୍ଟ ଉନ୍ମୋଚନ କରାଯାଇଥିଲା। ମଶାବାହିତ ରୋଗ ନିୟନ୍ତ୍ରଣ କରିବା ଲାଗି ମଶାରି ବ୍ୟବହାର କରିବା ସହିତ ଲୋକ‌ମାନେ ନିଜେ ସଚେତନ ହେବା ଆବଶ୍ୟକ। ଔଷଧୀୟ ମଶାରି ବ୍ୟବହାର ସାଙ୍ଗକୁ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଗ୍ରହଣ କରାଯିବା ଫଳରେ ରାଜ୍ୟରେ ମ୍ୟାଲେରିଆ ୮୪ ପ୍ରତିଶତରୁ ଅଧିକ ହ୍ରାସ ପାଇଛି।

ଜାତୀୟ ସ୍ବାସ୍ଥ୍ୟ ମିସନ ନିର୍ଦେଶିକା ଶାଳିନୀ ପଣ୍ଡିତ ରାଜ୍ୟରେ ଜଳ ଓ ମଶାବାହିତ ରୋଗ ନିୟନ୍ତ୍ରଣ ଉପରେ ଗ୍ରହଣ କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମକୁ ଆଗେଇ ନେବାକୁ ପରାମର୍ଶ ଦେଇଥିଲେ। ଏହି ଉତ୍ସବରେ ସ୍ବାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ସଚିବ ଶରତ ଚନ୍ଦ୍ର ମିଶ୍ର, ଡା. ଲିଙ୍ଗରାଜ ମିଶ୍ର, ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦେଶିକା ଅର୍ଚନା ପଟ୍ଟନାୟକ, ଯୁଗ୍ମ ସଚିବ ଯାମିନୀ ଷଡ଼ଙ୍ଗୀ, ସ୍ବାସ୍ଥ୍ୟସେବା ନିର୍ଦେଶକ ଡା. ସୁଶିଲ କର, ଜନସ୍ବାସ୍ଥ୍ୟ ନିର୍ଦେଶକ ଡା. ହରପ୍ରସାଦ ପଟ୍ଟନାୟକ, ଆରଏମ୍‌ଆରସି ନିର୍ଦେଶିକା ସଂଘମିତ୍ରା ପତି, କେନ୍ଦ୍ର ଏନ୍‌ଭିବିଡିସିପି ଯୁଗ୍ମ ନିର୍ଦେଶକ ଡା. ସୁଖବିର ସିଂହଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର