ଦାରୁ ପୀଠରୁ ଗଡ଼ିଲା ରଥ

ବାଲିଅନ୍ତା ବ୍ଲକ ଅଧୀନ ଗଡ଼ କଣ୍ଟୁଣିଆସ୍ଥିତ ସୁଦର୍ଶନ ଦେବଙ୍କ ପ୍ରଥମ ରଥଯାତ୍ରା ଅବସରରେ ଦାରୁପୀଠ ଚଳଚଞ୍ଚଳ ହୋଇଥିଲା। ପୂର୍ବାହ୍ନ ୧୦ଟାରେ ରଥ ପ୍ରତିଷ୍ଠା, ପହଣ୍ଡି, ସାଢ଼େ ୨ଟାରେ ରଥ ଉପରେ ଛେରା ପହଁରା, ଶୋଧ ଓ ଅପରାହ୍ନ ୪ଟାରେ ରଥାଟଣା ଆରମ୍ଭ ହୋଇଥିଲା। ସନ୍ଧ୍ୟା ସାଢ଼େ ୫ଟା ମଧ୍ୟରେ ସୁଦର୍ଶନଙ୍କ ରଥ ମା’ ‘ଭଗବତୀ (ବାଳକାଟି) ମନ୍ଦିର ପରିସର ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଥିଲା।

ପୁରୁଣା ଭୁବନେଶ୍ୱରରେ ୩ଟି ସ୍ଥାନରେ ପିଲାଙ୍କ ରଥ
ପୁରୁଣା ଭୁବନେଶ୍ୱର ଯମେଶ୍ୱର ପାଟଣା ସାହିରେ ଶ୍ରୀଜଗନ୍ନାଥ ରଥଯାତ୍ରା କମିଟି ପକ୍ଷରୁ ଛୋଟ ପିଲାଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପିଲାଏ ଘଣ୍ଟବାଦ୍ୟ ସହିତ ପରକାରଣ ସାହି ନାରାୟଣୀ ମନ୍ଦିରରୁ ଠାକୁରଙ୍କୁଳ ପହଣ୍ଡି କରି ରଥରେ ବିଜେ କରାଇଥିଲେ। ଅପରାହ୍‌ଣ ସାଢ଼େ ୪ଟାରେ ରଥଟଣା ହୋଇ ଯମେଶ୍ୱର ପାଟଣାରୁ ବାହାରି ତିନି ମୁଣ୍ଡିଆ ଛକ, ଶ୍ରୀଲିଙ୍ଗରାଜ ମନ୍ଦିର ସିଂହଦ୍ୱାର ପରିଭ୍ରମଣ କରି ଗଙ୍ଗାଯମୁନା ମନ୍ଦିରକୁ ଯାଇଥିଲା। କମିଟିର ସଭାପତି ଲିଙ୍ଗରାଜ ସାହୁ, ସଂପାଦକ ବସନ୍ତ କୁମାର ସମର୍ଥା, ଗୌରୀ ଖଟେଇ, ବାବୁ ଖୁଣ୍ଟିଆ, ସୁବାସ ବାରିକ, ମୋହନ ପ୍ରଧାନ, କେଦାର ପ୍ରଧାନ ଓ ସଭ୍ୟମାନେ ପରିଚାଳନା କରିଥିଲେ। ସେହିପରି ବଡ଼ଦାଣ୍ଡ ସାହିରେ ଘୋଷଯାତ୍ରା କମିଟି ପକ୍ଷରୁ ରଥ ଦରଜୀ ସାହି ଛକରୁ ବାହାରି ରଥ ଦାଣ୍ଡ ପରିକ୍ରମା କରି ମାଉସୀ ମା’ ଛକ ନିକଟ ହନୁମାନ ମନ୍ଦିରକୁ ଯାଇଥିଲା। କମିଟିର ଶକ୍ତି ପ୍ରସାଦ ସାହୁ, ସମ୍ପାଦକ ସୁଶୀଲ ପ୍ରହରାଜ ପରିଚାଳନା କରିଥିଲେ। ଭୀମଟାଙ୍ଗି ତଳ ଫେଜ୍‌ରେ ସାଇଶ୍ରୀ କ୍ଲବ ୍‌ପକ୍ଷରୁ ଅୟୋଜିତ ରଥଯାତ୍ରା ବବିତା ସାହୁ, ଲଲିତା ମଲିକ, ସୌରଭ ସାହୁ, ମୁରଲୀଧର ସାହୁ ପ୍ରମୁଖ ପରିଚାଳନା କରିଥିଲେ।

ଶ୍ରଦ୍ଧାଳୁଙ୍କ ମୁଣ୍ଡ ଉପରେ ଖସିପଡ଼ିଲା ଦଧିନଉତି
ବାଲିଅନ୍ତା ପଞ୍ଚାୟତ ଅଧୀନ ଅଣ୍ଡିଲୋ ଗ୍ରାମରେ ରଥଟଣା ବେଳେ ଅଘଟଣ ଘଟିଛି। ରଥ ଉପରୁ ଦଧି ନଉତି ଖସିପଡ଼ିବା ଫଳରେ ଜଣେ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି। ଆହତ ବ୍ୟକ୍ତିଙ୍କ ନାମ ଦେବେନ୍ଦ୍ର ବେହେରା (୫୨)। ଦେବେନ୍ଦ୍ରଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ତୁରନ୍ତ ଚିକିତ୍ସା ଲାଗି ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ସୂଚନା ମୁତାବକ, ଅପରାହ୍‌ଣରେ ମା’ ବାସେଳି ମନ୍ଦିରରୁ ରଥଟଣା ଆରମ୍ଭ ହୋଇଥିଲା। ସମବେତ ଗ୍ରାମବାସୀ ରଥ ଟାଣୁଥିବା ବେଳେ ହଠାତ୍‌ ରଥ ଉପରୁ ଦଧି ନଉତି ଦେବେନ୍ଦ୍ରଙ୍କ ଉପରେ ଖସି ପଡ଼ିବାରୁ ସେ ଆହତ ହୋଇଥିଲେ।

ପତିତପାବନ ଦେବଙ୍କ ରଥଯାତ୍ରା
ବାଲିଅନ୍ତା ବ୍ଲକ୍‌ କାକରୁଦ୍ରପୁରସ୍ଥିତ ପତିତପାବନ ଦେବଙ୍କ ପୀଠରେ ଆୟୋଜିତ ରଥଯାତ୍ରାରେ ସେବାୟତ ଓ ପୂଜାପଣ୍ଡାମାନେ ଠାକୁରଙ୍କୁ ଗୋଟି ପହଣ୍ଡି କରାଇ ରଥକୁ ଆଣିଥିଲେ। ଅପରାହ୍ନ ୩ଟା ପରେ ରଥଟଣା ହୋଇଥିଲା। ସନ୍ଧ୍ୟା ପୂର୍ବରୁ ରଥ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚି ଯାଇଥିଲା।

ବାଲିପାଟଣାରେ ମହାପ୍ରଭୁଙ୍କ ଘୋଷଯାତ୍ରା ମହାସାମରୋହରେ ଅନୁଷ୍ଠିତ ହୋଇଛି। ଅପରାହ୍ନ ୪ଟାରେ ଶୁକଦେବ ଜେନାମଣି ରଥରେ ଛେରାପହଁରା କରିଥିବା ବେଳେ ଟ୍ରଷ୍ଟି ଗୁରୁପ୍ରସାଦ ମିଶ୍ର ଉପସ୍ଥିତ ଥିଲେ। ପ୍ରାୟ ସାଢ଼େ ୪ଟାରେ ରଥଟଣା ଆରମ୍ଭ ହୋଇଥିଲା। ବାଲିପାଟଣା ହାଟସ୍ଥିତ ରଥଖଳାରୁ ବାଲିପାଟଣା ଛକ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିବାକୁ ଦୁଇଘଣ୍ଟା ଲାଗିଥିଲା। ସିନେମା ହଲ ନିକଟ ମାଉସୀ ମା’ ମନ୍ଦିର ପାଖରେ ପ୍ରଭୁଙ୍କୁ ଚୂଡ଼ାଘଷା ଭୋଗ ଲାଗି କରାଯାଇଥିଲା। ସନ୍ଧ୍ୟା ସାଢ଼େ ୬ଟାରେ ରଥ ପହଞ୍ଚିବା ପରେ ଭୋଗ କରାଯାଇଥିଲା। ବାଲିପାଟଣା ଥାନା ଅଧିକାରୀ ଆକାଶ କୁମାର ରଣାଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ଦାୟିତ୍ୱ ତଦାରଖ କରିଥିଲେ। ସେହିଭଳି ବାଲିପାଟଣାର ସରାଟ, ଗୁଆପୁର, ବନମାଳିପୁର, ନୂଆଗାଁ, ନରଦା ଆଦି ବହୁ ସ୍ଥାନରେ ପ୍ରଭୁଙ୍କ ରଥଯାତ୍ରା ଧୁମ୍‌ଧାମରେ ପାଳିତ ହୋଇଯାଇଛି।

କାନନକ୍ଷେତ୍ର ନନ୍ଦନକାନନରେ ଗଡ଼ିଲା ଭକ୍ତି ରଥ
ବାରଙ୍ଗ ଅଞ୍ଚଳର ପ୍ରସିଦ୍ଧ କାନନ କ୍ଷେତ୍ର ନନ୍ଦନକାନନ ଛକରେ ଗଡ଼ିଛି ଭକ୍ତି ରଥ। ପ୍ରଥମ ସେବକ ରାଜା ଭାବେ କାନନ କ୍ଷେତ୍ର ନନ୍ଦନକାନନ ରଥରେ ଛେରା ପହଁରା କରିଥିଲେ ଇଂ ଅଭୟ କୁମାର ସାମନ୍ତରାୟ। ନନ୍ଦନକାନନ ପୁଲିସ୍‌ ପ୍ରଶାସନ ପକ୍ଷରୁ ଥାନା ଅଧିକାରୀ ରବୀନ୍ଦ୍ରନାଥ ମେହେର ରଥକୁ ଭୋଗ ହାଣ୍ଡି ଆଣି ଆସଥିଲେ। ଭଗବତୀ ନଗର ରଥରେ ମାଗୁଣୀ ଭୋଇ ଛେରାପହଁରା କରଥିଲେ। ସେହିଭଳି କେନ୍ଦୁପାଟଣା, କଣ୍ଟୁଣିଆ, ଗଣ୍ଡରପୁର, କଳାରାହାଙ୍ଗ, ମଧୁବନ, କଣ୍ଟାପାଟଣା, ବେଣ୍ଟକାରପଡା, ନରାଜ, ମୁଣ୍ଡଳି, ବେଲଗଛିଆ ଆଦି ଗ୍ରାମରେ ଭକ୍ତି ଘୋଷ ଯାତ୍ରା ଅନୁଷ୍ଠିତ ହୋଇଛି।

ସମ୍ବନ୍ଧିତ ଖବର