ଭୁବନେଶ୍ବର: ଫୁଲନଖରା ନୁହେଁ, ବାରଙ୍ଗର ଡାକାମ୍ବରୁ ସମୁଦ୍ର ଯାଏଁ ପରିବ୍ୟାପ୍ତ ଥିଲା ପ୍ରାଚୀ ନଦୀ। ସଂପ୍ରତି ନଦୀର କିଛି କିଛି ଅଂଶ ରହିଯାଇଥିଲେ ମଧ୍ୟ ସେଗୁଡ଼ିକ ଲୁପ୍ତପ୍ରାୟ। ନନ୍ଦନକାନନକୁ ସଂଲଗ୍ନ ଥିବା କାଞ୍ଜିଆ ହ୍ରଦ ମଧ୍ୟ ପ୍ରାଚୀ ନଦୀର ଅଂଶବିଶେଷ। ମାତ୍ର କାଳକ୍ରମେ ଜନବସତି ବୃଦ୍ଧି ପାଇବା ସହ ନଦୀ ସ୍ଥାନେସ୍ଥାନେ ଶୁଖିଯିବା ପରେ କାଞ୍ଜିଆ ହ୍ରଦ ବିଛିନ୍ନ ହୋଇଯାଇଥିଲା। ପ୍ରାଚୀ ଉପତ୍ୟକାର ଅନେକ ଲୁକ୍କାୟିତ କଥାବସ୍ତୁର ରହସ୍ୟ ଉନ୍ମୋଚନ ହେବ। ପ୍ରାଚୀ ଉପତ୍ୟକାରେ ପୂର୍ବରୁ ଯେ ଗବେଷଣା ହୋଇନି, ସେକଥା ନୁହେଁ। ବୌଦ୍ଧ, ଜୈନ, ଶୈବ ଓ ବୈଷ୍ଣବ ସଂସ୍କୃତି ଉପରେ ଗବେଷଣା ହୋଇଥିଲେ ହେଁ ଇଣ୍ତିଆନ୍ ନାସ୍ନାଲ୍ ଟ୍ରଷ୍ଟ୍ ଫର୍ ଆର୍ଟ ଆଣ୍ତ୍ କଲ୍ଚରାଲ୍ ହେରିଟେଜ୍ (ଇନ୍ଟାକ୍) ପକ୍ଷରୁ ୨ ବର୍ଷର ଲମ୍ବା ଡକ୍ୟୁମେଣ୍ଟେସନ୍ ଅଭିଯାନ କରାଯାଇଥିଲା। ପ୍ରାଚୀ ନଦୀ କୂଳର ଦୁଇପାର୍ଶ୍ବରେ ଚାଲିଚାଲି ବିଭିନ୍ନ କ୍ଷେତ୍ରକୁ ଅନୁଧ୍ୟାନ କରାଯାଇଥିଲା ବୋଲି ଇନ୍ଟାକ୍ର ପ୍ରକଳ୍ପ ସଂଯୋଜକ ଅନିଲ ଧିର୍ କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରତ୍ନତାତ୍ତ୍ବିକ ଖନନରୁ ପ୍ରାଚୀ ନଦୀ କୂଳରେ ୭ମରୁ ୧୫ଶହ ଶତାବ୍ଦୀ ମଧ୍ୟରେ ସଭ୍ୟତା ଗଢ଼ି ଉଠିଥିବା ବେଳେ ଏହା ହରପ୍ପା ଓ ମହେଞ୍ଜୋଦାରୋ ପୂର୍ବ ସଭ୍ୟତା ବୋଲି ଜଣା ପଡ଼ି ସାରିଛି। ୨୦୧୭ରୁ ଆରମ୍ଭ ହୋଇଥିବା ଏହି ଅଭିଯାନରେ କେବଳ ସ୍ମାରକ ନୁହେଁ ଉପତ୍ୟକା ସ˚ଲଗ୍ନ ଅଞ୍ଚଳର ସମୃଦ୍ଧ ମୌଖିକ ପରମ୍ପରା ତଥା କଥାବାର୍ତାର ଶୈଳୀ, ଚଳି ଆସୁଥିବା ପ୍ରଥା, ପର୍ବପର୍ବାଣୀ ଓ ଲୋକସାହିତ୍ୟକୁ ମଧୢ ଡକ୍ୟୁମେଣ୍ଟେସନ୍ କରାଯାଇଛି। ଏହି ଉପତ୍ୟକା ମଧ୍ୟରେ ୭୫ଟି ମନ୍ଦିର, ୬୫ଟି ମଠ, ୩୦ଟି ଆଶ୍ରମ ଓ ୪୦ଟି ଘାଟକୁ ଡକ୍ୟୁମେଣ୍ଟେସନ୍ କରାଯାଇଛି। ସେଥିମଧ୍ୟରୁ ଅନେକ ଭାଙ୍ଗିରୁଜି ଯାଇଛି ଏବଂ ଆଉ କିଛି ଆଂଶିକ ଭାବେ ରହିଯାଇଛି। ନଦୀ ମୁହାଣ ପର୍ଯ୍ୟନ୍ତ ହୋଇଥିବା ଏହି ଡକ୍ୟୁମେଣ୍ଟେସନ୍ କାର୍ଯ୍ୟରେ ହିତାଧିକାରୀ, ଗ୍ରାମବାସୀ, ଛାତ୍ରଛାତ୍ରୀ ଏବ˚ ସ୍ଥାନୀୟ ଅଞ୍ଚଳରେ ଥିବା ମନ୍ଦିର କର୍ତୃପକ୍ଷଙ୍କୁ ସାମିଲ୍ କରାଯାଇଥିଲା। ଏହି ସଭ୍ୟତାର ସବୁଠୁ ବଡ଼ ବିଶେଷତ୍ବ ହେଉଛି ଏଠାରେ ସମାୟାନୁକ୍ରମେ ବୌଦ୍ଧ, ଜୈନ, ଶୈବ, ଶକ୍ତି ଓ ବୈଷ୍ଣବ ଧର୍ମ ଗଢ଼ି ଉଠିଥିଲେ ହେଁ କେହି କାହା ଦର୍ଶନ ଓ ସିଦ୍ଧାନ୍ତକୁ ଆକ୍ରମଣ କରିଥିବାର ପ୍ରମାଣ ନାହିଁ। ତେଣୁ ବିଭିନ୍ନ ଧର୍ମ ଓ ସ˚ପ୍ରଦାୟକୁ ଏକତା ସୂତ୍ରରେ ବାନ୍ଧି ରଖିବାରେ ଏହି ଉପତ୍ୟକା ମହତ୍ତ୍ବପୂର୍ଣ୍ଣ ଭୂମିକା ନେଇଥିଲା। ୨ ବର୍ଷର ଏହି ଡକ୍ୟୁମେଣ୍ଟେସନ୍କୁ ଏକାଠି କରି ଏକ ପୁସ୍ତକ ଉନ୍ମୋଚନ କରାଯିବ। ୭୫୦ ବିରଳ ଫଟୋ ସହ ୨୦୦ ମ୍ୟାପ୍ ଓ ବହୁ ସୂଚନା ସମ୍ବଳିତ ଏହି ରିପୋର୍ଟ ଖୁବଶୀଘ୍ର ପ୍ରକାଶ ପାଇବ। ଏନେଇ ଶ୍ରୀ ଧିର୍ କହିଛନ୍ତି, ଭୁବନେଶ୍ବରକୁ ମନ୍ଦିରମାଳିନୀ ସହର କୁହାଯାଉଥିଲେ ହେଁ ପ୍ରାଚୀ ଉପତ୍ୟକା ଅନୁଧ୍ୟାନ କାଳରେ ଏହା ଆହୁରି ଅଧିକ କିଛି ବୟାନ କରୁଛି। ସମଗ୍ର ରାଜ୍ୟରେ ଏହି ଉପତ୍ୟକା ସବୁଠୁ ଅବହେଳିତ ଐତିହ୍ୟ। ତେଣୁ ଏହି ଉପତ୍ୟକାର ସମୃଦ୍ଧ ଐତିହ୍ୟକୁ ଉନ୍ମୋଚନ ସହ ଇତିହାସରେ ଆହୁରି ଫର୍ଦ ଯୋଡ଼ାଯାଇପାରିବ ବୋଲି ସେ କହିଛନ୍ତି।