ଭୁବନେଶ୍ବର: ପ୍ରାଚୀନ ଓ ମଧ୍ୟଯୁଗୀୟ ସାହିତ୍ୟର ପ୍ରଖ୍ୟାତ ଗବେଷକ ଓ ସମାଲୋଚକ ପ୍ରଫେସର ଆଶୁତୋଷ ପଟ୍ଟନାୟକଙ୍କ ଗତକାଲି ରାତି ୧୧ଟା ୪୨ରେ କିମ୍‌ସ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି। ବୈଷ୍ଣବ ସାହିତ୍ୟ ତତ୍ତ୍ବ ଏବଂ ଓଡ଼ିଆ ରାଧା ସାହିତ୍ୟ ଗ୍ରନ୍ଥର ରଚୟିତା ବାହୁଡ଼ାରେ ଦୁନିଆରୁ ବାହୁଡ଼ି ଯାଇଛନ୍ତି। ମୃତ୍ୟୁବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା। ଓଡ଼ିଆ ରୀତି ସାହିତ୍ୟର ଧରା ଓ ଧାରା, ଅଭିମନ୍ୟୁ ସାହିତ୍ୟର ଦାର୍ଶନିକ ଦିଗ, ପ୍ରାଚୀନ ଓଡ଼ିଆ ପୋଥି ଶୁଦ୍ଧ ସମ୍ପାଦନା ଓ ଅନୁବାଦ କଳା, ଓଡ଼ିଆ ସାହିତ୍ୟରେ ତନ୍ତ୍ରର ପ୍ରଭାବ ଭଳି ଗ୍ରନ୍ଥ ସହ ‘ଚାଚେରୀ ଲୀଳା’ ଓ ଅଭିମନ୍ୟୁ ସାମନ୍ତସିଂହାରଙ୍କ ‘ପ୍ରେମ ଚିନ୍ତାମଣି’ର ସମ୍ପାଦନା କରି ସେ ଖ୍ୟାତି ଅର୍ଜନ କରିଥିଲେ।

Advertisment

୧୯୩୯ ମସିହା ଡିସେମ୍ବର ୧ରେ ଜଗତସିଂହପୁର କାଠିଆପଡ଼ାରେ ଜନ୍ମିତ ଆଶୁତୋଷ ୧୯୬୨ରେ ଉତ୍କଳ ବିଶ୍ବବିଦ୍ୟାଳୟରେ ଅଧ୍ୟାପକ ଭାବେ ଶିକ୍ଷକତା ଆରମ୍ଭ କରି ୧୯୯୯ରେ ପ୍ରଫେସର୍‌ ଭାବେ ଅବସର ଗ୍ରହଣ କରିଥିଲେ। ତାଙ୍କ ଅଧୀନରେ ୩୫ ଜଣ ଗବେଷକ ଏମ୍‌ଫିଲ୍‌, ୭୬ ଜଣ ଗବେଷକ ପିଏଚ୍‌ଡି ଡିଗ୍ରି ଓ ୧୧ ଜଣ ‌ଗବେଷକ ଡି.ଲିଟ୍‌ ଡିଗ୍ରି ଲାଭ କରିଛନ୍ତି। ସେ ୭୫ରୁ ଅଧିକ ମୌଳିକ ପ୍ରବନ୍ଧ ରଚନା କରିଛନ୍ତି। ୨୦୧୪ରେ ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର, ଗଙ୍ଗାଧର ବଳ ସ୍ମୃତି ସମ୍ମାନ, ଅଭିମନ୍ୟୁ ସମ୍ମାନ, ଡ. ଆର୍ତବଲ୍ଲଭ ମହାନ୍ତି ସମ୍ମାନ ଲାଭ କରିଛନ୍ତି। ପ୍ରଫେସର୍‌ ପଟ୍ଟନାୟକଙ୍କ ମୃତ୍ୟୁ ଖବର ପ୍ରଘଟ ହେବା ପରେ ଆଜି ସକାଳେ ନିତ୍ୟାନନ୍ଦ ଶତପଥୀ, ସଂଘମିତ୍ରା ମିଶ୍ର, ନାରାୟଣ ସାହୁ, ପ୍ରଦୀପ୍ତ କୁମାର ପଣ୍ଡା, ପ୍ରଦୀପ୍ତ କୁମାର ବାରିକ, ସୁରେନ୍ଦ୍ର କୁମାର ଦାଶ, କୃଷ୍ଣଚନ୍ଦ୍ର ପ୍ରଧାନ, ଦେବାଶିଷ ପାତ୍ର ପ୍ରମୁଖ ଚକେଇସିହାଣିସ୍ଥିତ ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ। ମୃତ୍ୟୁଶଯ୍ୟା ନିକଟରେ ତାଙ୍କ ପତ୍ନୀ ଡାକ୍ତର ବିମଳା ମହାନ୍ତିଙ୍କ ସମେତ ୩ ପୁଅ, ଝିଅ, ବୋହୂ, ଜ୍ବାଇଁ, ନାତୁ ନାତୁଣି ଉପସ୍ଥିତ ଥିଲେ। ପୁରୀ ସ୍ବର୍ଗଦ୍ବାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଜ୍ୟେଷ୍ଠ ପୁତ୍ର ଅମିତ ବିକ୍ରମ ପଟ୍ଟନାୟକ ମୁଖାଗ୍ନି ଦେଇଥିଲେ।