ମରଣମୁହଁରୁ ବର୍ତ୍ତିଗଲେ ୪

କୁଆଖାଇରେ ଦୁଇ ଛାତ୍ରଙ୍କ ସଲିଳ ସମାଧି

ଭୁବନେଶ୍ୱର: ସାଙ୍ଗ ହୋଇ ସ୍କୁଲ ଯାଉଥିଲେ। ବାଟରେ କି ଦୁର୍ବୁଦ୍ଧି ଜୁଟିଲା ଯେ ସମସ୍ତେ ଗାଧୋଇବାକୁ ନଦୀକୁ ଚାଲିଗଲେ। କିନ୍ତୁ ପିଲାଙ୍କ ମନକୁ କୁଆଖାଇ ବୁଝିଲାନି; ନିଜ ଗର୍ଭକୁ ଟାଣିନେଲା। ଚାହୁଁଚାହୁଁ ଦୁଇ ଜଣଙ୍କ ଜୀବନ ଅକାଳରେ ଚାଲିଗଲା। ଆଖି ଆଗରେ ଦୁଇ ସାଙ୍ଗ ପାଣିରେ ବୁଡ଼ିଗଲେ। ହେଲେ ସବୁ ଦେଖି କାନ୍ଦିବା ଛଡ଼ା କିଛି ବାଟ ନଥିଲା। ଆଜି ଏମିତି ଏକ ଦୁଃଖଦାୟକ ଘଟଣା ଘଟିଛି ମଞ୍ଚେଶ୍ୱର ଥାନା ଅଧୀନ କୁଆଖାଇ ନଦୀରେ। ମୃତ ଛାତ୍ରଦ୍ୱୟ ହେଲେ, ୟୁନିଟ-୯ ସରକାରୀ ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ର ସାପିକ ଦିଗାଲ (୧୪) ଓ ଜଗମୋହନ ସାହୁ (୧୪)। ସାପିକର ଘର ବାଣୀବିହାର ନିକଟ ବିଶେଶ୍ୱର ବସ୍ତିରେ ହୋଇଥିବା ବେଳେ ଜଗମୋହନ ଜୟଦେବ ବିହାରସ୍ଥିତ ଆତ୍ମାରାମ ବସ୍ତିରେ ରହୁଥିଲା। ତେବେ ଏହି ଅଘଟଣରୁ ୪ଜଣ ସାଙ୍ଗ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସେମାନେ ହେଲେ, ଜୟଦେବବିହାର ଆତ୍ମାରାମ ବସ୍ତିର ଅମନ ସାହୁ (୧୫), ପଥରବନ୍ଧ ବସ୍ତିର ରାକେଶ ନାୟକ(୧୫), ବାଣୀବିହାର ଟିଭି ସେଣ୍ଟର ବସ୍ତିର ତ୍ରିଲୋଚନ ନାୟକ (୧୩), ଜୟଦେବବିହାର ଆତ୍ମାରାମ ବସ୍ତିର ଦେବାଶିଷ ରାଉତ (୧୨)।

ମୁଁ କାହା ପାଇଁ ବଞ୍ଚିବି
ମୁଁ କାହା ପାଇଁ ବଞ୍ଚିବି। ଏମିତି କହି କାନ୍ଦି ପକାଉଥିଲେ ମୃତ ସାପିକ ଦିଗାଲର ବାପା ଶାନ୍ତୁନୁ ଦିଗାଲ। ସକାଳ ପ୍ରାୟ ସାଢ଼େ ୯ଟା ବେଳେ ବାପା ମୁଁ ସ୍କୁଲ ଯାଉଛି ବୋଲି କହିଥିଲା। ଟଙ୍କା ଅଛି କି ନାହିଁ ବୋଲି ମୁଁ ତାକୁ ପଚାରିଥିଲି। ମୋ ପାଖେ ୨୦ ଟଙ୍କା ଅଛି ବୋଲି ଉତ୍ତର ଦେଇ ଚାଲି ଯାଇଥିଲା ଯେ ଆଉ ଫେରିଲାନି ବୋଲି ବାଷ୍ପରୁଦ୍ଧ କଣ୍ଠରେ କହିଥିଲେ ଶାନ୍ତୁନୁ।

ଜାଣି ନଥିଲି ମୋ ହାତରୁ ଶେଷଥର ପାଇଁ ଖାଇବ
ସକାଳୁ ସେ ସ୍କୁଲ ଯିବ ବୋଲି ମା’ ମୋତେ କହିଲା ଜଳଖିଆ ବନାଇଦବାକୁ। ମୁଁ ଚା ଓ ପରଟା କରି ତାକୁ ଖାଇବାକୁ ଦେଲି। ଯିବା ସମୟରେ ମୋତେ ଟଙ୍କା ମାଗିଲା। ମୁଁ କହିଲି ମା’ ପାଖରୁ ନେଇଯା। ମା’ ତାକୁ ୫୦ ଟଙ୍କା ଦେଲେ, କହିଲେ ସବୁ ଖର୍ଚ୍ଚ କରିବୁନି। ୩୦ ଟଙ୍କା ଖର୍ଚ୍ଚ କରିବୁ ବାକି ଟଙ୍କା ମୋତେ ଆଣିଦବୁ। କିନ୍ତୁ ମୁଁ ଜାଣି ନଥିଲି କି ମୋ ହାତରୁ ଏହା ତାର ଶେଷ ଜଳଖିଆ ବୋଲି। ଏମିତି କହି କାନ୍ଦି ପକାଉଥିଲେ ମୃତ ଜଗମୋହନ ସାହୁଙ୍କ ବଡ଼ ଭାଇ ଶଙ୍କର ସାହୁ।

ଅଗ୍ନିଶମ ବିଭାଗ, ପୁଲିସ ଓ ଓଡ୍ରାଫ ଟିମ୍‌ର ଉଦ୍ଧାର କାର୍ଯ୍ୟ
ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ପୁଲିସ, ଅଗ୍ନିଶମ ଓ ଓଡ୍ରାଫ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଏଥିରେ ପ୍ରାୟ ୨୦ରୁ ଊର୍ଦ୍ଧ୍ୱ ଅଗ୍ନିଶମ ଓ ଓଡ୍ରାଫ କର୍ମଚାରୀ ନିୟୋଜିତ ହୋଇଥିଲେ। ଦୀର୍ଘ ୨ଘଣ୍ଟାର କଠିନ ପରିଶ୍ରମ ପରେ ଦୁଇ ନାବାଳକଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ମୃତ୍ୟୁମୁଖରୁ ବର୍ତ୍ତିଯାଇଥିବା ଅନ୍ୟ ଚାରି ଜଣଙ୍କୁ ମଞ୍ଚେଶ୍ୱର ପୁଲିସ ଥାନାକୁ ଆଣି ସେମାନଙ୍କ ବାପା, ମାଙ୍କୁ ଜଣାଇଥିଲା।

ସୁମିତ୍ରା ଉଦ୍ଧାର ହୋଇଥିଲେ
କାହିଁକି ବଞ୍ଚିପାରିଲେନି ଦୁଇ ଛାତ୍ର?
ଚାରି ଦିନ ତଳେ କୁଆଖାଇ ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିବା ସୁମ୍ରିତା ଦାସଙ୍କୁ ଅଗ୍ନିଶମ କର୍ମଚାରୀ ଉଦ୍ଧାର କରିବାକୁ ସକ୍ଷମ ହୋଇଥିଲେ। ଏହି ଘଟଣା ସାରା ରାଜ୍ୟରେ ଚର୍ଚାର ବିଷୟ ହୋଇଥିଲା। କିନ୍ତୁ ଆଜି ବିଧିର ବିଧାନ ଥିଲା ଭିନ୍ନ। ନଦୀରେ ଗାଧୋଉଥିବା ଦୁଇ ନାବାଳକ ଛାତ୍ରଙ୍କୁ ଉଦ୍ଧାର କରି ପାରି ନ ଥିଲେ ଅଗ୍ନିଶମ କର୍ମଚାରୀ। ଦୁନିଆକୁ ଭଲ କରି ଚିହ୍ନିବା ଓ ଦେଖିବା ପୂର୍ବରୁ କୁଆଖାଇ ନଦୀ ଗର୍ଭରେ ସମାଧି ନେଇଯାଇଥିଲା ଉଭୟଙ୍କ ସ୍ୱପ୍ନ। କିନ୍ତୁ ସାଧାରଣରେ ଏବେ ପ୍ରଶ୍ନ ଉଠିଛି। ସେଦିନ ସୁମିତ୍ରାଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଥିବା ବେଳେ ଆଜି କାହିଁକି ସେମିତି ଚମତ୍କାର ହେଲାନି? ଆଜିର ଘଟଣା ଥିଲା ଭିନ୍ନ। ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଉଭୟଙ୍କୁ ନଦୀ ଗର୍ଭରୁ ଉଦ୍ଧର କରିବାବେଳକୁ ସେମାନଙ୍କ ମୃତ୍ୟୁ ହୋଇଯାଇଥିଲା। ଏହାର କାରଣ କ’ଣ। ଏମିତି ଘଟିଲା କାହିଁକି? ଏ ସମ୍ପର୍କରେ ଆମେ ଭୁବନେଶ୍ୱର ଅଗ୍ନିଶମ କାର୍ଯ୍ୟାଳୟ ମୁଖ୍ୟ ରମେଶ ମାଝୀଙ୍କୁ ଯୋଗାଯୋଗ କରିଥିଲୁ। ତାଙ୍କର ଉତ୍ତର ଥିଲା, ସେ ଦିନ ମହିଳା ଜଣଙ୍କ କୁଆଖାଇ ବ୍ରିଜ୍‌ ଉପରୁ ନଦୀ ମଝିକୁ ଡେଇଁ ଥିଲେ। ସେତେବେଳେ ନଦୀରେ ସ୍ରୋତ ପ୍ରଖର ଥିଲା। ମହିଳାଙ୍କୁ ନଦୀ ସ୍ରୋତ ଭସାଇ ନେଇଥିଲା। ମହିଳା ଜଣକ ହାତ ଗୋଡ଼ ପାଣିରେ ବାଡ଼େଇବାରୁ ସେ ବୁଡ଼ି ଯିବାକୁ ସୁଯୋଗ ପାଇ ନ ଥିଲେ। ଆଉ ଭାସି ଚାଲିଥିଲେ। ଫଳରେ ତାଙ୍କୁ ବାଙ୍କୁଆଳ ପାଖରୁ ଉଦ୍ଧାର କରାଯାଇଥିଲା। କିନ୍ତୁ ଛାତ୍ରମାନେ ଯେଉଁଠି ଗାଧୋଉଥିଲେ ସେହି ସ୍ଥାନ ଗଭୀର ଥିଲା। ଏହା ଛଡ଼ା ସେହି ଜାଗାରେ ଭଉଁରି ମଧ୍ୟ ପଡ଼ିଥିଲା। ଛାତ୍ରମାନେ ନଦୀକୁ ପଶୁପଶୁ ଭଉଁରି ତଳକୁ ମୋଡ଼ି ଚାପି ଦେଇଥିଲା। ଫଳରେ ସେମାନଙ୍କୁ ନଦୀର ୩୦ ଫୁଟ୍‌ ତଳୁ ଉଦ୍ଧାର କରାଯାଇଥିଲା। ଅଗ୍ନିଶମ ବିଭାଗର ସ୍କୁବା ଡାଇଭର୍‌ ନଦୀ ତଳକୁ ଯାଇ ଖୋଜାଖୋଜି କରିବା ପରେ ସେମାନଙ୍କ ମୃତଦେହ ଠାବ ହୋଇଥିଲା।

ବହିଷ୍କୃତ ମହିଳା ହୋମଗାର୍ଡଙ୍କ ଆତ୍ମହତ୍ୟା ଉଦ୍ୟମ
ଆଜି ବଢ଼ି ପାଣିରେ ଭାସି ଯାଉଥିବା ଦୁଇ ଛାତ୍ରଙ୍କୁ ଅଗ୍ନିଶମ କର୍ମଚାରୀମାନେ ଖୋଜୁଥିଲେ। ଠିକ୍‌ ଏହି ସମୟରେ ମଞ୍ଚେଶ୍ୱର ଥାନାର କାଞ୍ଚନ ଦେଇ ନାମକ ଜଣେ ବହିଷ୍କୃତ ହୋମଗାର୍ଡ ବ୍ରିଜ୍‌ ଉପରୁ ନଦୀକୁ ଡେଇଁ ପଡ଼ିଥିଲେ। ଛାତ୍ରଙ୍କୁ ଖୋଜୁଥିବା ଓଡ୍ରାଫ ଓ ଅଗ୍ନିଶମ କର୍ମଚାରୀମାନେ ମହିଳାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ କ୍ୟାପିଟାଲ ପଠାଇଥିଲେ। ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି ବୋଲି ଡାକ୍ତର କହିଛନ୍ତି। କାଞ୍ଚନଙ୍କୁ କିଛି ବର୍ଷ ତଳେ କମିସନରେଟ ପୁଲିସ ପକ୍ଷରୁ କର୍ତବ୍ୟରେ ଅବହେଳା ଅଭିଯୋଗରେ ବହିଷ୍କାର କରାଯାଇଥିଲା। ପୁନଃ ନିଯୁକ୍ତି ନ ମିଳିବାରୁ ସେ ମାନସିକ ଭାରସାମ୍ୟ ହରାଇ ଏଭଳି ଚରମ ପଦକ୍ଷେପ ନେଇଥିବା କୁହାଯାଉଛି।

କୋହରେ ଭିଜିଲା ସ୍କୁଲ

ସାଫିକ୍‌ କାଲି ମୋ ପାଖରେ ବସିଥିଲା। କ୍ଲାସ କରୁଥିଲା। ନୂଆ କରି ସ୍କୁଲ ଆସିଛୁ। କେହି କାହାକୁ ଠିକ୍‌ ଭାବେ ଚିହ୍ନିନୁ। ତଥାପି ପରସ୍ପରକୁ ବୁଝିବାକୁ ଚେଷ୍ଟା କରୁଥିଲୁ। କ୍ଲାସ୍‌ ଚାଲିଥିବା ବେଳେ ସେ ଖାତା ଟାଣି ନେଇ ଉତ୍ତର ଦେଖି ଲେଖେ। ସେ ଆଜି ମୋ ପାଖରେ ନାହିଁ। ତା’ର ମୃତ୍ୟୁ ହୋଇଛି ବିଶ୍ୱାସ କରିପାରୁନି। ସାପିକର ମୃତ୍ୟୁ ଖବର ପାଇବା ପରେ ୟୁନିଟ୍‌-୯ ବାଳକ ଉଚ୍ଚ ବିଦ୍ୟାଳୟର ୯ମ ଶ୍ରେଣୀ (ବି ସେକ୍ସନ୍‌)ର ଛାତ୍ର ପ୍ରମିତ୍‌ କୁମାର ସାହୁ କୋହଭରା କଣ୍ଠରେ କହି ପକାଇଥିଲେ। କେବଳ ପ୍ରମିତ୍‌ ନୁହନ୍ତି। ସାପିକର ପଛ ଧାଡ଼ିରେ ବସୁଥିବା ଛାତ୍ର ସତ୍ୟ ପ୍ରକାଶ ସେଠୀ ମଧ୍ୟ ସମାନ ଢଙ୍ଗରେ କହିଥିଲେ ସେ ବହୁତ ଭଲ ପିଲା। ଏବେ ଏବେ ସ୍କୁଲ ଖୋଲିଥିଲା। ତେଣୁ ତାଙ୍କ ସହ ବେଶି ମିଶି ନ ଥିଲି। ସାପିକ ଯେତିକି ଦିନ ବି ସ୍କୁଲ ଆସୁଥିଲା ଆମମାନଙ୍କ ମଧ୍ୟରେ ବନ୍ଧୁତା ସୃଷ୍ଟି ହୋଇ ଯାଇଥିଲା। ୯ମ ଶ୍ରେଣୀ(ଏ ସେକ୍ସନ)ରେ ପଢ଼ୁଥିବା ଜଗମୋହନଙ୍କୁ ମଧ୍ୟ ଶ୍ରେଣୀ ଝୁରୁଛି। ମଧ୍ୟାହ୍ନରେ ମୃତ୍ୟୁ ଖବର ପହଞ୍ଚିବା ପରେ ଶ୍ରେଣୀରେ ଗଭୀର ଶୋକ ପ୍ରକାଶ ପାଇଥିଲା। ପଛ ଧାଡ଼ିରେ ବସୁଥିବା ଜଗମୋହନ ଜୁଲାଇ ୧୧ଠାରୁ ସ୍କୁଲ ଆସୁ ନ ଥିବାରୁ ଶିକ୍ଷକ ଶିକ୍ଷୟିତ୍ରୀ ତାଙ୍କ ଅଭିଭାବକଙ୍କୁ ଖବର ଦେଇଥିଲେ। ଶ୍ରେଣୀ ଶିକ୍ଷୟିତ୍ର୍ରୀଙ୍କ କହିବାନୁଯାୟୀ ସେ ନିୟମିତ ଭାବେ ଶ୍ରେଣୀକୁ ଆସେ ନାହିଁ। ଏନେଇ ତାଙ୍କ ବାପାଙ୍କୁ ଖବର ଦିଆଯାଇଥିଲା। ଘରୁ ୟୁନିଫର୍ମ ପିନ୍ଧି ଆସେ କିନ୍ତୁ ଶ୍ରେଣୀକୁ ଆସେ ନାହିଁ। ବାହାରେ ବୁଲୁଥିବା ନେଇ ଅନ୍ୟ ପିଲାମାନେ ଖବର ଦିଅନ୍ତି। ଜଗମୋହନ ସାଙ୍ଗରେ ପଢ଼ୁଥିବା ଆଦିତ୍ୟ କୁହନ୍ତି ନିୟମିତ କ୍ଲାସ୍‌ ଆସୁ ନ ଥିବାରୁ ତାଙ୍କ ସହ ଏତେ ଚିହ୍ନା ହୋଇ ନ ଥିଲା। ତଥାପି ଯେତିକି ଦିନ ଆସୁଥିଲେ ଭଲ କରି ମିଶୁଥିଲୁ।

ରିପୋର୍ଟ ଦେଲେ ପ୍ରଧାନଶିକ୍ଷକ: ମୃତ୍ୟୁ ହୋଇଥିବା ଦୁଇ ଛାତ୍ରଙ୍କ ସମେତ ଅନ୍ୟ ୪ ଜଣ ଯାକ ୟୁନିଟ୍‌-୯ ସରକାରୀ ବାଳକ ବିଦ୍ୟାଳୟର। ଏନେଇ ଖବର ଜଣାପଡ଼ିବା ପରେ ପ୍ରଧାନଶିକ୍ଷକ ପ୍ରଫୁଲ୍ଲ କୁମାର ସାହୁ ନିଜ ଆଡୁ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ), ମାଧ୍ୟମିକ ଶିକ୍ଷା ନିର୍ଦେଶକ, ମଞ୍ଚେଶ୍ୱର ଥାନାରେ ରିପୋର୍ଟ ଦାଖଲ କରିଛନ୍ତି। ଶ୍ରୀ ସାହୁ କହିଛନ୍ତି ଯେ ଜଗମୋହନ ଗତ ୧୧ ତାରିଖଠାରୁ ଅନୁପସ୍ଥିତ ଥିଲେ। ଏନେଇ ଅଭିଭାବକଙ୍କୁ ଖବର ଦିଆଯାଇଥିଲା। ସାଫିକ୍‌ ଗତ ଦୁଇ ଦିନ ହେଲା ଆସୁଥିଲେ ମଧ୍ୟ ଆଜି ଅନୁପସ୍ଥିତ ରହିଥିଲେ। ଅପରାହ୍ଣରେ ଶୋକସଭା: ଦୁଇ ଛାତ୍ରଙ୍କ ମୃତ୍ୟୁ ଖବର ଜଣାପଡ଼ିବା ପରେ ସ୍କୁଲରେ ଶୋକର ଛାୟା ଖେଳିଯାଇଥିଲା। ଅପରାହ୍ଣରେ ଶୋକସଭା ଅନୁଷ୍ଠିତ ହୋଇଥିଲା। ପ୍ରଧାନଶିକ୍ଷକ ଶ୍ରୀ ସାହୁ କହିଛନ୍ତି ଯେ, ଯେଉଁ ପିଲାମାନେ ନିର୍ଦ୍ଧାରିତ ସମୟରେ ସ୍କୁଲକୁ ଆସିଥାନ୍ତି ତାଙ୍କ ଉପରେ ଆମେ କଡ଼ା ନଜର ରଖିଥାଉ। ସ୍କୁଲ୍‌କୁ ଆସିବା ପରେ ଗେଟ୍‌ ବନ୍ଦ କରି ଦିଆଯାଏ। କେବେ ଚେତିବେ?: ରାଜଧାନୀରେ ଏଭଳି ଘଟଣା ପ୍ରଥମ ନୁହେଁ। ପୂର୍ବରୁ ମଧ୍ୟ ନଦୀ, ନାଳରେ ବୁଡ଼ି ଏକାଧିକ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଛି। ସ୍କୁଲ୍‌ ଡ୍ରେସ୍‌ ପିନ୍ଧି ଘରୁ ବାହାରି ଆସୁଛନ୍ତି। ଅଭିଭାବକଙ୍କ ଜାଣୁଛନ୍ତି ପିଲା ସ୍କୁଲ ଯାଇଛନ୍ତି। ହେଲେ ଏହାପରେ ପିଲା ସ୍କୁଲରେ ପହଞ୍ଚିଲେ କି ନାହିଁ ଖବର କାହା ପାଖରେ ନାହିଁ। ୨୦୧୪ ଅକ୍ଟୋବର ୨୧ରେ ଚନ୍ଦ୍ରଶେଖରପୁର ରେଣ୍ଟାଲ କଲୋନି ହାଇସ୍କୁଲର ୪ ଛାତ୍ର ପୁରୀ କେନାଲକୁ ଗାଧେଇବା ପାଇଁ ଯାଇଥିବା ବେଳେ ବୁଡ଼ି ଯାଇଥିଲେ। ବାରମ୍ବାର ଏଭଳି ଘଟଣା ହେଉଥିଲେ ମଧ୍ୟ ଅଭିଭାବକମାନେ ଏଥିପ୍ରତିିି ଧ୍ୟାନ ଦେଉନାହାନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମଧ୍ୟ ଗାଇଡ୍‌ଲାଇନ୍‌ ଜାରି କରି ଚୁପ୍‌ ବସିପଡ଼ୁଛି। ଆଉ କେତେ ଅଘଟଣ ଘଟିଲେ ଚେତା ପଶିବ ବୋଲି ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର