ମୁରୁଜ ଆଙ୍କିଲେ, ନାନାବାୟା ଗୀତ ଗାଇଲେ

ଭୁ‌ବନେଶ୍ବର: ପଞ୍ଚ ମୁରୁଜରେ ପଞ୍ଚୁକର ଭ୍ରମ ସୃଷ୍ଟି କରୁଥିଲା ଏକାମ୍ର ହାଟ। ନାନାବାୟା ଗୀତ, ଟିକା ଗୋବିନ୍ଦଚନ୍ଦ୍ର, କୁଆଁର ପୂନେଇଁ ଭଳି ପାରମ୍ପରିକ ଗୀତରେ ଗୁଞ୍ଜରିତ ହେଉଥିଲା ପରିବେଶ। ‘ସଂଭାବନା’ ପକ୍ଷରୁ ଏକାମ୍ର ହାଟରେ ଆୟୋଜିତ ଶ୍ରେଷ୍ଠ ଓଡ଼ିଆଣୀ ପ୍ରତିଯୋଗିତାରେ ଆଜି ଏମିତି ଅନୁଭୂତି ନେଇଥିଲେ ଦର୍ଶକ। ଆୟୋଜିତ ମୁରୁଜ ପ୍ରତିଯୋଗିତାର ମୂଲ୍ୟାୟନ କରିଥିଲେ, ଚିତ୍ରଶିଳ୍ପୀ ଗଜେନ୍ଦ୍ର ପାଢ଼ୀ, ସୁବ୍ରତ ମଲ୍ଲିକ ଓ ରାଧା ପ୍ରିୟଦର୍ଶିନୀ। ପାରମ୍ପରିକ ଗୀତର ମୂଲ୍ୟାୟନ କରିଥିଲେ କଣ୍ଠଶିଳ୍ପୀ ନିମାକାନ୍ତ ରାଉତରାୟ ଏବଂ ସଂଗୀତ ନିର୍ଦେଶକ ସୁରେନ୍ଦ୍ରନାଥ ତ୍ରିପାଠୀ। ଉଦ୍‌ଯାପନୀ ଉତ୍ସବର ଚତୁର୍ଥ ସନ୍ଧ୍ୟାରେ ଭାଷାବିତ୍‌ ଦେବୀପ୍ରସନ୍ନ ପଟ୍ଟନାୟକ, ରାଜ୍ୟ ସଂଗ୍ରହାଳୟର ଅଧୀକ୍ଷକ ଜୟନ୍ତୀ ରଥ, ୨୦୧୮ର ଶ୍ରେଷ୍ଠ ଓଡ଼ିଆଣୀ ଚନ୍ଦ୍ରପ୍ରଭା ଦାସ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଦେବ ପ୍ରସାଦ ପରିଜା ଉପସ୍ଥିତ ଥିଲେ। ଶିଳ୍ପୀ ଛନ୍ଦା ମିଶ୍ର, ସିଦ୍ଧାନ୍ତ ଶତପଥୀ, ଅର୍ଣ୍ଣବ ପଣ୍ଡା, ସତ୍ୟ ସାର୍ଥକ ସଂଗୀତ ଏବଂ ଦିବ୍ୟଜ୍ୟୋତି ସଂସ୍କୃତି ପୀଠର କଳାକାରମାନେ ଲୋକନୃତ୍ୟ ପରିବେଷଣ କରିଥିଲେ। ସଂଭାବନାର ଟ୍ରଷ୍ଟି ସ୍ମୃତି ମହାନ୍ତି ଏହାକୁ ପରିଚାଳନା କରିଥିବା ବେଳେ ରାଜଶ୍ରୀ, ପ୍ରଫୁଲ୍ଲ, ସତ୍ୟବ୍ରତ, ଗୁରୁ ପ୍ରସାଦ, ଅଭିରାମ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର