ଭୁବନେଶ୍ବର: ବମିଖାଲ ଲେଭେଲ୍ କ୍ରସିଂ ନିକଟରେ ରବିବାର ଜଣେ ଯୁବକଙ୍କୁ ଆକ୍ରମଣ କରି ଲୁଟ୍ ହୋଇଛି। ଲୁଟ୍ର ଶିକାର ହୋଇଥିବା ଯୁବକଜଣଙ୍କ ହେଲେ, ଜିଲ୍ଲା କଂଗ୍ରେସ କମିଟିର ସଭାପତି ମାନସ ଚୌଧୁରୀଙ୍କ ପୁଅ ବୈଭବ। ତେବେ ଏହି ଘଟଣାକୁ କେନ୍ଦ୍ର କରି ଆଜି ସଂଧ୍ୟାରେ ସହିଦନଗର ଥାନାରେ ତୀବ୍ର ଉତ୍ତେଜନା ଦେଖାଦେଇଥିଲା। ଅଭିଯୁକ୍ତଙ୍କୁ ଗିରଫ ଦାବିରେ ମାନସ ଚୌଧୁରୀ ଓ ସମର୍ଥକମାନେ ସହିନଗର ଥାନା ଭିତରେ ଧାରଣା ଦେଇଥିଲେ। ଏସିପି କିଶୋର ମୁଣ୍ଡ ବୁଝାସୁଝା ପରେ ଉତ୍ତ୍ୟକ୍ତ ଲୋକମାନେ ଧାରଣାରୁ ଉଠିଥିଲେବୈଭବଙ୍କ ଅଭିଯୋଗ ଅନୁଯାୟୀ, ରବିବାର ଦିନ ପ୍ରାୟ ସାଢ଼େ ୨ଟାରେ ଭବାନୀ ମଲ୍ରୁ ସପିଂ କରି ସେ ଘରକୁ ଫେରୁଥିଲେ। ବମିଖାଲ୍ ଲେଭେଲ୍ କ୍ରସିଂ ନିକଟରେ ଯାଉଥିବା ବେଳେ ହଠାତ୍ ଏକ ବସ୍ତା ତାଙ୍କ ଗାଡ଼ି ସମ୍ମୁଖକୁ ଗଡ଼ି ଆସିଥିଲା। ସେ ବ୍ରେକ୍ ମାରି ଗାଡ଼ି ଅଟକାଇବା ପରେ ୪/୫ଜଣ ଯୁବକ ତାଙ୍କୁ ହାତଠାରି ଜିନିଷ ପଡ଼ି ଯାଇଥିବା କହିଥିଲେ। କ’ଣ ପଡ଼ିଛି ବୋଲି ଦେଖିବାକୁ ଯାଉଥିବା ବେଳେ ଯୁବକମାନେ ତାଙ୍କ ନିକଟକୁ ଆସି ମାଡ଼ିପିଟ୍ କରିଥିଲେ। ପ୍ରଥମେ ୨ଜଣ ଯୁବକ ତାଙ୍କ ବ୍ରେସ୍ଲେଟ୍ ଛଡ଼ାଇ ନେଇଥିଲେ। ଅଉ ଦୁଇଜଣ ଯୁବକ ତାଙ୍କ ଚେନ୍ ଛିଡ଼ାଇ ନେଇଥିଲେ। ସେ ଦୁର୍ବୃତ୍ତମାନଙ୍କୁ ବିରୋଧ କରୁଥିବା ବେଳେ ସେଠାରେ ଥିବା ଆଉ ଜଣେ ଯୁବକ ତାଙ୍କୁ ଧରି ପକାଇଥିଲେ। ଫଳରେ ସହଜରେ ଦୁର୍ବୃତ୍ତମାନେ ସେଠାରୁ ଖସି ଯାଇଥିଲେ। ଏ ସଂପର୍କରେ ବୈଭବ ଥାନାକୁ ଫୋନ୍ କରି ଜଣାଇବା ପରେ ଘଟଣାସ୍ଥଳରୁ ପୁଲିସ ବୈଭବଙ୍କୁ ଧରି ପକାଇଥିବା ଯୁବକଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲା। ଉକ୍ତ ଯୁବକଙ୍କ ଦୁର୍ବୃତ୍ତଙ୍କ ସହ ସମ୍ପୃକ୍ତି ଥିବା ବୈଭବ କହିଛନ୍ତି। ଏନେଇ ସେ ଥାନାରେ ମଧ୍ୟ ଅଭିଯୋଗ କରିଥିଲେ। କିନ୍ତୁ ପୁଲିସ ଘଟଣା ବିଷୟରେ ଜାଣିବା ପରେ କାହିଁକି ଉକ୍ତ ଯୁବକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠା ନେଲା ନାହିଁ ? କାହିଁକି ମାମଲା ରୁଜୁ କରିବାରେ ବିଳମ୍ବ କଲା ବୋଲି ବୈଭବଙ୍କ ବାପା ମାନସ ପ୍ରଶ୍ନ କରିଛନ୍ତି?
Sambad is now on WhatsApp
Join and get latest news updates delivered to you via WhatsApp
ଅପରପକ୍ଷେ ଆଇଆଇସି ପଦ୍ମନାଭ ପ୍ରଧାନ କହିଛନ୍ତି ଯେ ଘଟଣା ବିଷୟରେ ଖବର ପାଇବା ପରେ ଆମର ଏକ ଟିମ୍ ସେଠାରେ ପହଞ୍ଚି ବିଭିନ୍ନ ଦିଗ ଉପରେ ଯାଞ୍ଚ କରିଛି। ସନ୍ଦେହରେ ୩ଜଣ ଯୁବକଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। ପ୍ରଥମେ ଯେଉଁ ଯୁବକଙ୍କୁ ଅଟକ ରଖାଯାଇଥିଲା, ତାଙ୍କର ସମ୍ପୃକ୍ତି ଅଛିକି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ଘଟଣାର ତଦନ୍ତ ଜାରି ରହିଛି ବୋଲି ଆଇଆଇସି ଶ୍ରୀ ପ୍ରଧାନ କହିଛନ୍ତି। ସେହିପରି ପ୍ରଥମେ ଅଟକ ଥିବା ଯୁବକଙ୍କୁ ଛାଡ଼ିବା ପାଇଁ ପ୍ରମୁଖ ଏକ ରାଜନୈତକ ଦଳର ସମର୍ଥକମାନେ ପ୍ରତିବାଦରେ ଥାନା ଘେରାଉ କରି ପୁଲିସ ଉପରେ ଚାପ ପକାଇଥିଲେ। ସେମାନେ କହିଥିଲେ ଯେ ଉକ୍ତ ଯୁବକଙ୍କ ଘଟଣା ସହ କୌଣସି ସମ୍ପୃକ୍ତି ନାହିଁ। ସେ ମାଡ଼ପିଟ୍ ଦେଖି ଛଡ଼ାଇବା ପାଇଁ ଉଦ୍ୟମ କରୁଥିଲେ।