ଲୁଚାଛପା ସମ୍ପର୍କକୁ ପରିଚୟ

0 372

ଭାରତରେ ସମଲିଙ୍ଗୀ ସମ୍ପର୍କ ଆଉ ଅପରାଧ ଭାବେ ଗ୍ରହଣ ହେବନି। ଦୁଇ ଜଣ ପ୍ରାପ୍ତ ବୟସ୍କ ବ୍ୟକ୍ତି ଯଦି ସହମତି ଭିତ୍ତିରେ ଶାରୀରିକ ସମ୍ପର୍କ ରଖନ୍ତି ତେବେ ଏହା ଅପରାଧ ହେବନି ବୋଲି ସୁପ୍ରିମକୋର୍ଟ ଆଜି ରାୟ ଦେଇଛନ୍ତି। ଏହାପରେ ସମଲିଙ୍ଗୀଙ୍କ ମଧ୍ୟରେ ଉତ୍ସାହର ଲହରୀ ଖେଳି ଯାଇଛି। ଲୁଚାଛପା ସମ୍ପର୍କକୁ ନୂଆ ପରିଚୟ ମିଳିବାର ସମ୍ଭାବନା ସୃଷ୍ଟି ହୋଇଛି। ବିଶେଷକରି କିନ୍ନର ସମୁଦାୟ ସୁପ୍ରିମକୋର୍ଟଙ୍କ ଏହି ରାୟକୁ ଐତିହାସିକ ବୋଲି କହିବା ସହ ଆଜି ସ୍ୱାଧୀନ ହୋଇଛନ୍ତି ବୋଲି କହିଛନ୍ତି। ସୁପ୍ରିମକୋର୍ଟଙ୍କ ରାୟ ପ୍ରକାଶ ପାଇବା ପରେ ରାଜଧାନୀରେ କିନ୍ନରମାନେ କେକ୍‌ କାଟି, ଦେହରେ ରଙ୍ଗ ବୋଳି ଖୁସି ମନାଇଛନ୍ତି। ଏତେ ଦିନ ପର୍ଯ୍ୟନ୍ତ ଯେଉଁ ସମ୍ପର୍କକୁ ସେମାନେ ସମାଜକୁ ଲୁଚାଇ ରଖିଥିଲେ ତାହାକୁ ପରିଚୟ ଦେବାରେ ଆଉ ଦ୍ୱିଧା ହେବନି ବୋଲି କହିଛନ୍ତି।

ସ୍ୱାଧୀନତାର ୭୨ବର୍ଷ ପରେ ଆମେ ସ୍ୱାଧୀନ ହେଲୁ
ଦୀର୍ଘ ବର୍ଷ ହେଲା ଚାଲିଥିବା ମାନବିକତାର ଯୁଦ୍ଧର ଆଜି ଅବସାନ ହୋଇଛି। କିନ୍ନରମାନଙ୍କୁ ସାମ୍ବିଧାନିକ ଓ ମାନବିକ ଅଧିକାର ମିଳିଛି। ଦେଶ ସ୍ୱାଧୀନ ହେବାର ୭୨ବର୍ଷ ପରେ ଆମେ ସ୍ୱାଧୀନ ହୋଇଛୁ ବୋଲି କିନ୍ନର ମୀରା ପରିଡ଼ା କହିଛନ୍ତି। ସେ କହିଛନ୍ତି ଯେ, ମୋତେ ସମାଜରେ ଯଦି କେଉଁ ରଙ୍ଗର ପୋଷାକ ପିନ୍ଧିବି ବାଛିବାକୁ ସୁଯୋଗ ମିଳୁଛି, କ’ଣ ଖାଇବି ନିଜ ଇଚ୍ଛାରେ ପସନ୍ଦ କରୁଛି ତେବେ କାହା ସହ ବେଡୁ ରୁମ୍‌ରେ ଶୋଇବି ସେ ସ୍ୱାଧୀନତା ବି ମିଳିବା ଦରକାର ଥିଲା। ସୁପ୍ରିମକୋର୍ଟଙ୍କ ଆଜିର ରାୟ ପରେ ଆମକୁ ସ୍ୱାଧୀନ ଭାବେ ବଞ୍ଚିବାର ସୁଯୋଗ ମିଳିବ।
ମୀରା ପରିଡ଼ା, ସଭାପତି, ଅଲ୍‌ ଓଡ଼ିଶା ଥାର୍ଡ ଜେଣ୍ଡର େଓ୍ଵଲଫେୟାର ଟ୍ରଷ୍ଟ୍‍

ଦୀର୍ଘ ଦିନର ଲଢ଼େଇ ଆଜି ସଫଳ ହୋଇଛି
ସୁପ୍ରିମକୋର୍ଟଙ୍କ ରାୟ ଐତିହାସିକ। ଦୀର୍ଘ ଦିନ ହେଲା ଚାଲିଥିବା ଲଢ଼େଇ ଆଜି ସଫଳ ହୋଇଛି। ଏହି ରାୟ ବହୁ ଆଗରୁ ଆସିବାର ଥିଲା। ଯାହା ବି ହେଉ ଆଜି ଯେଉଁ ରାୟ ଆସିଛି ତାକୁ ଆମେ ସ୍ୱାଗତ କରୁଛୁ। କିନ୍ନର, ସମଲିଙ୍ଗୀମାନେ ଏବେ ସମ୍ମାନର ସହ ସମାଜରେ ବଞ୍ଚିପାରିବେ। ସେମାନେ ବିବାହ କରି ସମାଜରେ ନିଜର ନୂଆ ପରିଚୟ ସୃଷ୍ଟି କରିପାରିବେ।
ସାଧନା ମିଶ୍ର, ସୋସିଆଲ ଡେଭଲପମେଣ୍ଟ ଅଫିସର, କିସ୍‌

ସମାଜରେ ଅପରାଧ କମିବ
ବହୁ ଦେଶରେ ସମଲିଙ୍ଗୀ ସମ୍ପର୍କକୁ ଆଇନସମ୍ମତ କରାଯାଇଛି। ଆମ ଦେଶରେ ଏହା ହେବାର ଥିଲା। ସୁପ୍ରିମକୋର୍ଟଙ୍କ ରାୟ ସ୍ୱାଗତଯୋଗ୍ୟ। ଏହାଦ୍ୱାରା ସମାଜରେ ଧର୍ଷଣ, ଅସଦାଚରଣ ଭଳି ଅପରାଧ କମିବ। ସମଲିଙ୍ଗୀ ଓ କିନ୍ନରମାନେ ସମ୍ମାନର ସହ ସମାଜରେ ବଞ୍ଚିପାରିବେ। ଏହି ବର୍ଗର ଲୋକମାନଙ୍କର ଆଉ ବିବାହଜନିତ ସମସ୍ୟା ରହିବନି। ନିଜ ଇଚ୍ଛାରେ ଜୀବନସାଥୀ ବାଛିପାରିବେ।
ବିଶ୍ୱରଂଜନ ଦାଶ, ଯୁବ ବ୍ୟବସାୟୀ

ସମଲିଙ୍ଗୀଙ୍କ କ୍ଷେତ୍ରରେ ବାଛ ବିଚାର କମିବ
ସମଲିଙ୍ଗୀ ସଂପର୍କକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। ସହମତି ଭିତ୍ତିରେ ହେଉଥିବା ଯୌନ ସଂପର୍କକୁ ମଧ୍ୟ ୩୭୭ ଧାରାରେ ଅପରାଧ ବୋଲି ବିବେଚନା କରାଯାଉଥିଲା। ଯାହାଫଳରେ କାର୍ଯ୍ୟସ୍ଥଳୀ, ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ସେମାନେ ବାଛ ବିଚାରର ଶିକାର ହେଉଥିଲେ। ଏହି ରାୟ ଫଳରେ ସମଲିଙ୍ଗୀମାନଙ୍କୁ ଏଭଳି ବାଛ ବିଚାରର ଶିକାର ହେବାକୁ ପଡ଼ିବ ନାହିଁ। ଏହାସହ ଅନେକ ପିତାମାତା ଏହାକୁ ଏକ ମାନସିକ ରୋଗ ବୋଲି ଭାବିବା ସହିତ ସେମାନଙ୍କ ପିଲାମାନଙ୍କୁ ମନସ୍ତତ୍ୱବିତ୍‌ଙ୍କ ନିକଟକୁ ଚିକିତ୍ସା ପାଇଁ ନେଉଥିଲେ। ତେବେ ଏହି ରାୟ ପିତାମାତାଙ୍କ ମନରେ ପରିବର୍ତନ ଆଣିବା ସହିତ ସେମାନଙ୍କ ପାଇଁ ସହାୟତାର ହାତ ବଢ଼ାଇବେ ବୋଲି ଆଶା କରାଯାଉଛି। ଏହି ରାୟ କେବଳ ୩୭୭ରେ ସଂଶୋଧନ ନୁହେଁ, ବରଂ ଭାରତୀୟ ପିଙ୍ଗଳ କୋଡ୍‌ରେ ଥିବା ଏଭଳି ଆଇନର ସଂଶୋଧନରେ ସାହାଯ୍ୟ କରିବ।
ବିଶ୍ୱ ଭୂଷଣ ପଟ୍ଟନାୟକ, ସହକାରୀ ନିର୍ଦେଶକ, ସାଥୀ

ଏହାର ଦୁରୁପଯୋଗ ନହେଉ
ଆଜି ଯେଉଁ ରାୟ ଆସିଛି ତାହା ସ୍ୱାଗତଯୋଗ୍ୟ। କିନ୍ତୁ ଏହାର ଦୁରୁପଯୋଗ ଯେପରି ନହୁଏ ତାହାକୁ ନ୍ୟାୟପାଳିକା, ପୁଲିସ ପ୍ରଶାସନ ନଜର ରଖିବା ଦରକାର। ସମସ୍ତଙ୍କୁ ସମାଜରେ ବଞ୍ଚିବାର ସମାନ ଅଧିକାର ମିଳୁ କିନ୍ତୁ କେହି ଯେପରି ଡରାଇ ଧମକାଇ ଅପ୍ରାକୃତିକ ଯୌନ ସମ୍ପର୍କ ନରଖନ୍ତି, ପୈଶାଚିକ ପ୍ରବୃତ୍ତିର ଲୋକମାନେ ଏଥିରୁ ନିବୃତ୍ତ ରହିବେ ସେଥିପାଇଁ ଏହି ରାୟର ଭଲ ଦିଗ ଉପରେ ସଚେତନତା ସୃଷ୍ଟି କରାଯାଉ। ଏହାର ଦୁରୁପଯୋଗ କଲେ କ’ଣ ଦଣ୍ଡ ମିଳିବ ସେନେଇ ମଧ୍ୟ ଲୋକ ସଚେତନ ହେବା ଦରକାର।
ଲୋହିତ କୁମାର ମହାନ୍ତି, ଛାତ୍ର ନେତା

ଏହା ଏକ ସ୍ୱାଗତଯୋଗ୍ୟ ପଦପେକ୍ଷ
ଧାରା ୩୭୭ ଏକ ବ୍ରିଟିସ ଅମଳର ଆଇନ। ଏହି ଆଇନରେ ସଂଶୋଧନ ପାଇଁ ଦୀର୍ଘ ବର୍ଷରୁ ଆନ୍ଦୋଳନ ହୋଇଆସୁଛି। ୮ବର୍ଷ ତଳେ ବମ୍ବେ ହାଇକୋର୍ଟରେ ସମଲିଙ୍ଗୀଙ୍କୁ ନେଇ ମାମଲା ଦାୟର ହୋଇଥିଲା। ସେତେବେଳେ ଯଦିଓ ବମ୍ବେ ହାଇକୋର୍ଟ ଏହା ସପକ୍ଷରେ ରାୟ ଦେଇଥିଲେ, ମାତ୍ର ସୁପ୍ରିମକୋର୍ଟ ଏହାକୁ ଖାରଜ କରି ଦେଇଥିଲେ। ଏହା ବିରୋଧରେ ଅନେକ ସଂଗଠନ ସ୍ୱର ଉତ୍ତୋଳନ କରିଥିଲେ। ସୁପ୍ରିମକୋର୍ଟର ୫ଜଣିଆ ଖଣ୍ଡପୀଠ ଆଜି ସହମତି ଭିତ୍ତିକ ସମଲିଙ୍ଗୀ ସଂପର୍କକୁ ବୈଧ ବୋଲି ଘୋଷଣା କରିଛନ୍ତି। ଯାହାକି ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ।
ପ୍ରତାପ ସାହୁ, ସଭାପତି, ଓଡ଼ିଶା କିନ୍ନର ଓ ତୃତୀୟଲିଙ୍ଗୀ ମହାସଂଘ

ସମାଜରେ ଏହାର ଭଲ ପ୍ରଭାବ ପଡ଼ିବ
ଏହା ପୂର୍ବରୁ ସୁପ୍ରିମକୋର୍ଟ କିନ୍ନରମାନଙ୍କୁ ତୃତୀୟଲିଙ୍ଗୀର ମାନ୍ୟତା ଦେଇ ସାରିଛନ୍ତି। ଆଜି ସୁପ୍ରିମକୋର୍ଟ ସହମତି ଭିତ୍ତିରେ ଯୌନ ସଂପର୍କକୁ ସ୍ୱୀକୃତି ଦେବା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। ସମାଜ ଉପରେ ଏହାର ଭଲ ପ୍ରଭାବ ପଡ଼ିବ ବୋଲି ଆଶା କରାଯାଉଛି। ତେବେ ଏଭଳି ବହୁ ପୁରୁଣା ଆଇନରେ ସଂଶୋଧନ ହେବା ପାଇଁ ଏହାର ତର୍ଜମା କରିବାର ଆବଶ୍ୟକତା ରହିଛି।
ଅଶୋକ ବଡ଼ପଣ୍ଡା, ଆଇନଜୀବୀ

କିଏ କାହାକୁ ଭଲ ପାଇବ ଏହା ତା’ର ନିଜସ୍ୱ ଅଧିକାର
ସୁପ୍ରିମକୋର୍ଟର ରାୟକୁ ସ୍ୱାଗତ କରୁଛି। ଏହା ବହୁ ପୂର୍ବରୁ ଆସିବାର ଥିଲା। ସମଲିଙ୍ଗୀ ସଂପର୍କ କୌଣସି ଅପରାଧ ନୁହେଁ। କେଉଁ ମଣିଷ କାହାକୁ ଭଲ ପାଇବ ତାହା ସେମାନଙ୍କର ବ୍ୟକ୍ତଗତ ଅଧିକାର। ହେଲେ ୩୭୭ ଧାରାରେ ପଶୁଙ୍କ ସହିତ ଅପ୍ରାକୃତିକ ଯୌନ ସଂପର୍କରେ ଯେଉଁ ବର୍ଣ୍ଣନା କରାଯାଇଛି ତାହାର ମଧ୍ୟ ତର୍ଜମା କରିବାର ଆବଶ୍ୟକତା ରହିଛି।
ନମ୍ରତା ଚଢ଼ା, ସମାଜସେବୀ

ସମ୍ବନ୍ଧିତ ଖବର

Leave A Reply

Your email address will not be published.