ଲୌହମାନବଙ୍କ ଜୟନ୍ତୀରେ ପାଳିତ ହେଲା ରାଷ୍ଟ୍ରୀୟ ଏକତା ଦିବସ

ଚନ୍ଦ୍ରଶେଖରପୁର: ଓଡ଼ିଶା ପୁଲିସ ପକ୍ଷରୁ ଆଜି ରାଜ୍ୟସ୍ତରୀୟ ରାଷ୍ଟ୍ରୀୟ ଏକତା ଦିବସ ପାଳନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱର ସପ୍ତମ ଓଏସ୍‌ଏପି ବାଟାଲିୟନ ପଡ଼ିଆରେ ଆନୁଷ୍ଠାନିକ ପରେଡ୍‌ ଆୟୋଜନ କରାଯାଇଥିଲା। ଏହି ଅବସରରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ସ୍ମୃତିଚାରଣ କରାଯାଇଥିଲା। କାର୍ଯ୍ୟକ୍ରମରେ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଡା. ରାଜେନ୍ଦ୍ର ପ୍ରସାଦ ଶର୍ମା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପରେଡ୍‌ରେ ଅଭିବାଦନ ଗ୍ରହଣ କରିଥିଲେ। ସ୍ୱାଧୀନୋତ୍ତର ଦେଶୀୟ ରାଜ୍ୟମାନଙ୍କୁ ଭାରତରେ ମିଶାଇବା ପାଇଁ ସର୍ଦ୍ଦାର ପଟେଲଙ୍କ ଅକ୍ଲାନ୍ତ ଉଦ୍ୟମର ଭୂୟସୀ ପ୍ରଶଂସା କରିଥିଲେ ଶ୍ରୀ ଶର୍ମା। ପରେଡ୍‌ରେ ସିଆର୍‌ପିଏଫ୍‌, ସିଆଇଏସ୍‌ଏଫ୍‌, ଆଇଟିବିପି, ଏନ୍‌ଡିଆରଏଫ୍‌, ସପ୍ତମ ଓଏସ୍‌ଏପି, ଷଷ୍ଠ ଆଇଆର କମିସନରେଟ୍‌ ପୁଲିସର ଏପିଆର ଦଳ ଓ ଓଡ଼ିଶା ସ୍ୱିଫ୍ଟ ଆକ୍ସନ ଫୋର୍ସ ଭଳି ସମୁଦାୟ ଆଠଟି ଦଳ ଅଶଂଗ୍ରହଣ କରିଥିଲେ। ସହକାରୀ ଦୁର୍ଗପତି ବିଭୂତି ଭୂଷଣ ମହାରଣା ପରେଡ୍‌ର ନେତୃତ୍ୱ ନେଇଥିଲେ। କାର୍ଯ୍ୟକ୍ରମକୁ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ସତ୍ୟଜିତ୍‌ ମହାନ୍ତି ପରିଚାଳନା କରିଥିଲେ।

ପୂର୍ବତଟ ରେଳପଥ

ଚନ୍ଦ୍ରଶେଖରପୁର: ପୂର୍ବତଟ ରେଳପଥ ପକ୍ଷରୁ ଏହାର ମୁଖ୍ୟ କାର୍ଯ୍ୟାଳୟ ରେଳ ସଦନରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହୋଇଯାଇଛି। ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଉମୋ ସିଂହ ଏହି ଅବସରରେ ରେଳ କର୍ମଚାରୀ ଓ ଅଧିକାରୀମାନଙ୍କୁ ଶପଥ ପାଠ କରାଇବା ସହିତ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଦେଶର ଅଖଣ୍ଡତାକୁ ସୁରକ୍ଷିତ ରଖିବାକୁ ପ୍ରତିବଦ୍ଧତା ରଖିବାକୁ ଆହ୍ଵାନ ଦେଇଥିଲେ। ଏହି ଅବସରରେ ରେଳବାଇ ସୁରକ୍ଷା ବଳ ପକ୍ଷରୁ ସକାଳେ ମାର୍ଚ୍ଚପାଷ୍ଟ ଆୟୋଜିତ ହୋଇଥିଲା। ଏହାସହିତ ଏକ ଗଣଦୌଡ଼ର ମଧ୍ୟ ଆୟୋଜନ କରାଯାଇଥିଲା।

ଓଡ଼ିଶା ସ୍କାଉଟସ୍‌ ଗାଇଡସ୍‌

ଭୁବନେଶ୍ୱର: ଓଡ଼ିଶା ସ୍କାଉଟସ୍‌ ଗାଇଡସ୍‌ ପକ୍ଷରୁ ଆଜି ଅନୁଷ୍ଠାନ ପରିସରରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ଭାରତ ସ୍କାଉଟସ୍‌ ଗାଇଡସର ସର୍ବଭାରତୀୟ ଉପ ନିର୍ଦେଶକ ରାଜକୁମାର କୌଶିକ୍‌ ଯୋଗ ଦେଇଥିଲେ। ଏହି ଅବସରରେ ରାଜଧାନୀର ବିଭିନ୍ନ ବିଦ୍ୟାଳୟର ପ୍ରାୟ ୩୦୦ ସ୍କାଉଟସ୍‌ ଓ ଗାଇଡସ୍‌ ରାଜ୍ୟ ମୁଖ୍ୟାଳୟ ପରିସରରେ ସର୍ବଧର୍ମ ପ୍ରାର୍ଥନାରେ ଭାଗ ନେଇଥିଲେ। ଏଥିସହିତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବନ୍ଧ, ଚିତ୍ରାଙ୍କନ ଏବଂ ସ୍ଲୋଗାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପରେ ପରେ ଏକତାର ବାର୍ତା ବହନ କରି ଏକ ସଚେତନତା ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ଶେଷରେ ସାରା ଦେଶର ଏକତା ବଜାୟ ରଖିବା ନିମନ୍ତେ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ରାଜ୍ୟ କାର୍ଯ୍ୟାଳୟର ସମସ୍ତ କର୍ମକର୍ତା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସିଆରପିଏଫ୍‌

ସିଆରପିଏଫ୍‌ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ସିଆରପିଏଫ୍‌ କ୍ୟାମ୍ପସରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସର୍ଦ୍ଦାର ବଲ୍ଲଭ ଭାଇ ପଟ୍ଟେଲ୍‌ଙ୍କ ଜୟନ୍ତ୍ରୀ ପାଳନ କରାଯାଇଥିଲା। ଉତ୍ସବରେ ମୁଖ୍ୟ ଅତିଥି ଭାବେ ସିଆରପିଏଫ୍‌ ଆଇଜି କମଳ କାନ୍ତ ଶର୍ମା ଯୋଗଦେଇ କହିଥିଲେ ଯେ,ଆମ ଭିତରେ ଏକତା ରହିଲେ ଶତ୍ରୁପକ୍ଷ ଠାରୁ ସହଜରେ ବିଜୟ ହାସଲ କରିପାରିବା। ସେହିପରି ଉତ୍ସବରେ ସମ୍ମାନିତ ଅତିଥି ଭାବେ ସିଜି ଡିଆଇଜି ଏସ୍‌କେ ଟିଗା ଯୋଗଦେଇ ଆଜିର ଏହି ଦିବସର ମହତ୍ୱ ଉପରେ ଆଲୋକପାତ କରିଥିଲେ। ଉତ୍ସବରେ ବହୁ ଅଫିସର, ଜଓ୍ଵାନ, କର୍ମଚାରୀ ଓ ଛାତ୍ରଛାତ୍ରୀ ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର