ସଂଗୀତରେ ସୈନିକଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ବର: ସଂଗୀତରେ ସୈନିକଙ୍କୁ ଶ୍ରଦ୍ଧାଞ୍ଜଳି ଭେଟି ଦେବାର ଅବକାଶ ସୃଷ୍ଟି ହୋଇଥିଲା ଆଜି ଏକାମ୍ର ହାଟରେ। ଦେଶର ଅସଲ ନାୟକଙ୍କ ବୀରତ୍ବର ଗାଥାକୁ ଗୀତରେ ବୟାନ କରିଥିଲେ କଣ୍ଠଶିଳ୍ପୀ। ‘ଗୋଲ୍‌ଡେନ୍‌ ଗୀତ୍‌ ଗଜଲ୍‌’ ପକ୍ଷରୁ ଅମର ଯବାନଙ୍କ ଉଦ୍ଦେଶ୍ୟରେ ଆୟୋଜିତ ହୋଇଥିଲା ସ୍ବତନ୍ତ୍ର ସଂଗୀତ ସନ୍ଧ୍ୟା। ଜୋ ସମର୍‌ ମେ ହୋଗୟେ ଅମର୍‌..ଗୀତରୁ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ସଂଗୀତା ଗୋସାଇଁ। ପରେ ବନ୍ଦେ ମାତରମ୍‌.., ଏ ମେରି ୱତନ୍‌ କେ ଲୋଗୋ.., ମେରା ରଙ୍ଗ୍‌ଦେ ବସନ୍ତୀ ଚୋଲା.., ଜିସ୍‌ ଦେଶ୍‌ମେ ଗଙ୍ଗା ରେହତା ହୈ.., ଏ ୱତନ ମେରେ ୱତନ.., ମୌଲା ମେରେ ଲେଲେ ମେରି ଜାନ୍‌.., ସୁନୋ ଗୌର୍‌ସେ ଦୁନିଆ ୱାଲୋ.., ଛୋଡୋ କାଲ୍‌କି ବାତେଁ.., ସ୍ବର୍ଗାଦପୀ ଗରିୟସୀ ଜନନୀ ମା ଧରିତ୍ରୀ.. ଭଳି ଗୀତ ଶୁଣିବାକୁ ମିଳିଥିଲା। ଗାଇ ଶୁଣାଇଥିଲେ ଶର୍ମିଲା, ଲୋଭା, ବବିରାଜ, ପ୍ରଭାତ, ବିଶ୍ବ, ସିଦ୍ଧାନ୍ତ, ପୁଷ୍ପା, କୌଶିକ୍‌, ସ୍ବପ୍ନା ପ୍ରମୁଖ। ଏହି ଅବସରରେ ନିକଟରେ ସହିଦ ହୋଇଥିବା ଓଡ଼ିଆ ମାଟିର ପୁଅ ମନୋଜ ବେହେରା ଏବଂ ପ୍ରସନ୍ନ ସାହୁଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ବ୍ୟକ୍ତ କରାଯାଇଥିଲା। ପ୍ରାରମ୍ଭରେ ଲେଫ୍‌ଟନାଣ୍ଟ୍‌ ଜେନେରାଲ୍‌ ନାରାୟଣ ମହାନ୍ତି, ଏସ୍‌.କେ ତାମୋଟିଆ ଏବଂ କଣ୍ଠଶିଳ୍ପୀ ଚିତ୍ତ ପାଣି ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିବା ବେଳେ ଆୟୋଜକ ଅନୁଷ୍ଠାନର ଉପଦେଷ୍ଟା ଗିରୀଶ ମହାନ୍ତି, ସଭାପତି ଶର୍ମିଲା ସିଂହ ପତି, ସମ୍ପାଦକ ପ୍ରଭାତ କୁମାର ନାୟକ ଉପସ୍ଥିତ ଥିଲେ। କମଲ କିରଣ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର