ହଜିଯିବ ଚୂଡ଼ଙ୍ଗଗଡ଼, ଦିଶୁନି ଷୋଳପୁର ଉଆସର ପଦଚିହ୍ନ

ଭୁବନେଶ୍ବର: ଉଜୁଡ଼ି ଗଲାଣି ଷୋଳପୁର ଉଆସର ପଦଚିହ୍ନ। ହଜିଗଲାଣି ମଧ୍ୟଯୁଗୀୟ ଓଡ଼ିଶାର ସାମରିକ ପ୍ରାଣକେନ୍ଦ୍ର। ଅପସରି ଆସିଲାଣି ଘଞ୍ଚ ଜଙ୍ଗଲ, ପାହାଡ଼, ବିସ୍ତୃତ ଜଳରାଶି ଏବଂ ସୁଉଚ୍ଚ ପ୍ରାଚୀର। ଏବେ ଯୁଆଡ଼େ ଚାହିଁଲେ ଖାଲି ଘର ଆଉ ଘର..। ଜନବସତିର ଆଢ଼ୁଆଳରେ ଲୁଚି ଗଲାଣି ସମଗ୍ର ଚୂଡ଼ଙ୍ଗଗଡ଼। ବାରଙ୍ଗ ରେଳ ଷ୍ଟେସନ୍‌ ଏବଂ ନନ୍ଦନକାନନର ଅନତି ଦୂରରେ ଦ୍ବାଦଶ ଶତାବ୍ଦୀରେ ନିର୍ମିତ ଏହି ଐତିହାସିକ କୀର୍ତିର ଧ୍ବଂସାବଶେଷ ଆଜି ବି ଦେଖିବାକୁ ମିଳେ। ୧୯୫୧ରୁ ଭାରତ ସରକାରଙ୍କ ପ୍ରତ୍ନତତ୍ତ୍ବ ବିଭାଗ ଦ୍ବାରା ସଂରକ୍ଷିତ ଘୋଷିତ ହୋଇ ବି ଆଜି ଏହା ସୁରକ୍ଷିତ ନୁହେଁ। ଦିନେ ଯେ ଏହି ଐତିହ୍ୟ କୀର୍ତି ଜନମାନସରୁ ବିସ୍ମୃତ ହୋଇଯିବ, ତାହା ଜଳଜଳ ବାରି ହେଲାଣି।

ଦିଶୁନି ଷୋଳପୁର ଉଆସର ପଦଚିହ୍ନ
ଚୂଡ଼ଙ୍ଗଗଡ଼ ମଧ୍ୟରେ ୧୫ ଏକର ପ୍ରାଚୀର ଘେରା ଜମିରେ ରହିଥିଲା ଷୋଳପୁର ଉଆସର ପଦଚିହ୍ନ। ଏଠାରେ ଷୋଳଟି ବର୍ଗାକୃତି କୋଠରି ସଦୃଶ ଭିତ୍ତିଭୂମି ରହିଥିବାର ଦେଖାଯାଏ। ଏଠାରୁ ମିଳିଥିବା ମୃଣ୍ମୟ ମୂର୍ତି, ଖପରା, ଇଟା ଓ ପ୍ରସ୍ତର ଗାତ୍ରରେ ଖୋଦିତ ମୂର୍ତିରୁ ଆଭାସ ମିଳୁଥିଲା ଯେ ଚୋଡ଼ଗଙ୍ଗ ଦେବଙ୍କ ନାମରେ ନାମିତ ହେବା ପୂର୍ବରୁ ବି ଏହାର ଅସ୍ତିତ୍ବ ଥିଲା। ସମ୍ରାଟ ଚୋଡ଼ଗଙ୍ଗଙ୍କ କନ୍ୟା କଳିଙ୍ଗ ରାଜକୁମାରୀ ତ୍ରୈଲୋକ୍ୟ ସୁନ୍ଦରୀଙ୍କ ସହିତ ସିଂହଳ ରାଜକୁମାର ବଜ୍ରବାହୁଙ୍କର ବିବାହ ଏହି ଗଡ଼ରେ ହୋଇଥିବାର କିମ୍ବଦନ୍ତୀ ପ୍ରଚଳିତ ଅଛି। ଭୌଗୋଳିକ ଦୃଷ୍ଟିରୁ ଏହି ଗଡ଼ର ଅବସ୍ଥିତି ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଥିଲା। ବିଶାଳ ପରିସୀମାର ପ୍ରାଚୀନ ଦୁର୍ଗ ଦେଶରେ ଅନ୍ୟତ୍ର ବିରଳ ମଧ୍ୟ। ତୋଷାଳି, କଳିଙ୍ଗ ଓ ଉତ୍କଳ ଶାସନଠୁ ନେଇ ଇଂରେଜମାନଙ୍କ ଓଡ଼ିଶା ଅଧିକାର ପର୍ଯ୍ୟନ୍ତ ଏହାର ଗୁରୁତ୍ବ ଥିଲା। ତେବେ ଖୋର୍ଧା ପାଇକ ବିଦ୍ରୋର ପ୍ରତିରୋଧ ପାଇଁ ୧୮୧୯ ମସିହାରେ ଇଂଜେମାନେ ଏହାକୁ ସମ୍ପୂର୍ଣ୍ଣ ଭାଙ୍ଗି ଦେଇଥିଲେ ବୋଲି ଐତିହାସିକ ପ୍ରଫୁଲ୍ଲ ତ୍ରିପାଠୀ କହିଛନ୍ତି।

ସରକାରୀ ଉଦାସୀନତା
ସରକାରୀ କଳର ଉଦାସୀନତା ଯୋଗୁଁ ଦୁର୍ଗଟି ତାର ଅସ୍ତିତ୍ବ ହରାଇ ବସିଛି। ଗଡ଼ର ଭିତରେ ବ୍ୟକ୍ତିଗତ ମାଲିକାନା ସ୍ବତ୍ତ୍ବ, ରାସ୍ତାଘାଟ, କଳକାରଖାନା, କୋଠାବାଡ଼ି ଓ ରେଳ ଲାଇନ୍‌ କିପରି ସମ୍ଭବ ହେଲା ବୋଲି ଐତିହାସିକ ଶ୍ରୀ ତ୍ରିପାଠୀ ପ୍ରଶ୍ନ ଉଠାଇଛନ୍ତି। ୨୦୧୧ ମସିହାର ପରିସଂଖ୍ୟାନ ମୁତାବକ ଏହି ଗଡ଼ ଅଞ୍ଚଳରେ ଏବେ ୨୯୭ ପରିବାର ରହୁଛନ୍ତି। ଦାଢ଼ାପାଟଣା ରାଜସ୍ବ ଗ୍ରାମ ଅନ୍ତର୍ଗତ ଗଡ଼ ଅଞ୍ଚଳ ଏବେ ଏକ ଶିଳ୍ପାଞ୍ଚଳରେ ପରିଣତ ହେଲାଣି। ଐତିହ୍ୟର ସଂରକ୍ଷଣ ପାଇଁ ଆବଶ୍ୟକ ପଦକ୍ଷେପ ତ ନିଆଗଲା ନାହିଁ, ଏବେ ଦୁର୍ଗର ପଥର କାନ୍ଥକୁ କିଛି ଲୋକେ ଭାଙ୍ଗି ନେଉଥିବା ଦେଖାଯାଇଛି। କେବଳ ସେତିକି ନୁହେଁ, କିଛି ବର୍ଷ ତଳେ ଜଣେ ତାନ୍ତ୍ରିକ ଏଠାରେ ପୂଜା କରି ମାଟି ତଳୁ ଏକ ପିତ୍ତଳ ହଣ୍ଡା ବାହାର କରିଥିଲେ। ହଣ୍ଡାର ଦୁଇଟି ୧୦ କେଜି ଓଜନର କଡ଼ା ଏଯାବତ ଚନ୍ଦକା ଥାନାରେ ଗଚ୍ଛିତ ଅଛି। ସଂରକ୍ଷିତ ଜଙ୍ଗଲର ଦ୍ବାହି ଦେଇ ଏହାର ସଂରକ୍ଷଣରେ ରୋକ୍‌ ଲଗାଇ ଦେଲେ। କିନ୍ତୁ ଥରେ ଭାବିଲେ ନାହିଁ ଯେ ଏହା ପ୍ରଥମେ ଏକ ସଂରକ୍ଷିତ ସ୍ମାରକୀ ଏବଂ ତା’ର ବହୁ ବର୍ଷ ପରେ ଜଙ୍ଗଲ ଆଇନ।

୫୩ ଲକ୍ଷ ଆସିଥିଲା, କାମ ଆଗେଇଲା ନାହିଁ
କଳିଙ୍ଗର ତତ୍କାଳୀନ ସମ୍ରାଟ ଚୋଡ଼ଗଙ୍ଗଦେବଙ୍କ ନାମରେ ନାମିତ ଏହି ଚୂଡ଼ଙ୍ଗଗଡ଼ର ସଂରକ୍ଷଣ ପାଇଁ ୧୯୫୧ରୁ ପ୍ରକ୍ରିୟା ଆରମ୍ଭ ହେଲା। ପ୍ରତ୍ନତତ୍ତ୍ବ ବିଭାଗ ପ୍ରାଚୀନ କୀର୍ତି ସଂରକ୍ଷଣ ଆଇନର ଧାରା ୪ ଅନୁସାରେ ୧୧୩୩ ଏକର ଜମିକୁ ଚିହ୍ନଟ କରି ସଂରକ୍ଷିତ ଅଞ୍ଚଳ ଭାବେ ଘୋଷଣା କରି ବିଜ୍ଞପ୍ତି ପ୍ରକାଶ କରାଗଲା। ମାତ୍ର ଆନ୍ତରିକତା ଅଭାବରୁ ଏହାର ସଂରକ୍ଷଣ ପାଇଁ ଆବଶ୍ୟକୀୟ ପଦକ୍ଷେପ ନିଆଯାଇନାହିଁ। ଏହି ଗଡ଼ର ରକ୍ଷଣାବେକ୍ଷଣ ନିମନ୍ତେ ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗ ଓ ଜୟଦେବ ଫାଉଣ୍ଡେସନ୍‌ ଟ୍ରଷ୍ଟ ପକ୍ଷରୁ ବାରମ୍ବାର ଦାବି ହେବାରୁ କେନ୍ଦ୍ର ପ୍ରତ୍ନତତ୍ତ୍ବ ବିଭାଗ ପ୍ରଥମ ଦଫାରେ ୫୩ ଲକ୍ଷ ଟଙ୍କା ମଂଜୁର କଲେ। ମରାମତି କାମ ଆରମ୍ଭ ପୂର୍ବରୁ ରାଜସ୍ବ ଓ ସଂସ୍କୃତି ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ବସିଲା। କେନ୍ଦ୍ରାଞ୍ଚଳ ରାଜସ୍ବ କମିସନରଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ପୂର୍ବକ ରାଜସ୍ବ ବିଭାଗ, ରାଜ୍ୟ ଜଙ୍ଗଲ ବିଭାଗ ଏବଂ କେନ୍ଦ୍ର ଓ ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗର ଅଧୀକ୍ଷକମାନେ ସଭ୍ୟ ରହିଲେ। କମିଟିର ବୈଠକ ୨୦୦୪ ଜାନୁଆରି ୧୬ ତାରିଖ, ସେପ୍ଟେମ୍ବର ୨୦ ଓ ୨୪ ତାରିଖରେ ବସିବା ସହ ଭାଙ୍ଗି ଯାଇଥିବା ଷୋଳପୁର ଉଆସର ପ୍ରାଚୀର ମରାମତି କରିବାକୁ କେନ୍ଦ୍ରାଞ୍ଚଳ ରାଜସ୍ବ କମିସନର ଅନୁମତି ଦେଲେ। କିନ୍ତୁ କାମ ଆରମ୍ଭ ମାତ୍ରେ ଚନ୍ଦକା ବନ ବିଭାଗର ତତ୍କାଳୀନ ଜଙ୍ଗଲ ଅଧିକାରୀ କହିଲେ ସଂରକ୍ଷିତ ଜଙ୍ଗଲ ଭାବେ ଏହା ଥିବାରୁ ଏଠାରେ କୌଣସି ନିର୍ମାଣ କାର୍ଯ୍ୟ ହୋଇପାରିବ ନାହିଁ। ତେଣୁ ସଂରକ୍ଷଣ ପାଇଁ ଯେଉଁ ପ୍ରାଥମିକ ପଦକ୍ଷେପ ନିଆଗଲା ତାହା ବି ଆରମ୍ଭ ହୋଇପାରିଲା ନାହିଁ।

ସମ୍ବନ୍ଧିତ ଖବର