‘ଅନ୍ୟମାନଙ୍କ ପାଥେୟ ହେଉ ଶରତଙ୍କ ଅଧ୍ୟବସାୟ’

‘ଶରତ ଶତମ୍‌’ ଲୋକାର୍ପିତ

ଭୁବନେଶ୍ୱର: ମାତ୍ର ୪୦ ବର୍ଗଫୁଟ ଜାଗାରେ ୫ ହଜାର ଟଙ୍କାରୁ ଆରମ୍ଭ ହୋଇଥିବା ‘ରୁଚି’କୁ ୩ ଏକର ଜାଗାରେ ୩୦୦ କୋଟିରେ ପହଞ୍ଚାଇ ଅସମ୍ଭବକୁ ସମ୍ଭବ କରିଛନ୍ତି ଡ. ଶରତ ସାହୁ। ଯୁକ୍ତ ଦୁଇ ପର୍ଯ୍ୟନ୍ତ ପଢ଼ିଥିଲେ ହେଁ, ସେ କେବଳ ସଫଳ ଶିଳ୍ପଦ୍ୟୋଗୀ ହୋଇନାହାନ୍ତି। ବରଂ ଅତୀତର ସାଧବ ପୁଅ ଭଳି ରୁଚି ମସଲାକୁ ବିଦେଶରେ ପହଞ୍ଚାଇ ଓଡ଼ିଶାର ସୁନାମ ବଢ଼ାଇ ପାରିଛନ୍ତି। ଏବେ ମେକ୍‌ ଇନ୍‌ ଓଡ଼ିଶା କଥା କୁହାଯାଉଥିବା ବେଳେ ସେ ୪୩ ବର୍ଷ ତଳୁ ଏହାର ପ୍ରମାଣ ଦେଇ ଉଦ୍ୟୋଗୀଙ୍କ ପାଇଁ ପ୍ରେରଣା ସାଜିଛନ୍ତି। ଶରତଙ୍କ ଏହି ଅଧ୍ୟବସାୟ ଅନ୍ୟମାନଙ୍କ ପାଇଁ ପାଥେୟ ହେଉ ବୋଲି କହିଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ଡ. ସୁବାସ ପାଣି। ସଫଳ ଉଦ୍ୟୋଗୀ ତଥା ‘ରୁଚି ମସଲା’ର ପରିଚାଳନା ନିର୍ଦ୍ଦେଶକ ଶରତ ସାହୁଙ୍କ ଜୀବନୀକୁ ନେଇ ଲିଖିତ ପୁସ୍ତକ ‘ଶରତ ଶତମ୍‌’ର ଉନ୍ମୋଚନ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ସେ ଏହା କହିଛନ୍ତି। ଇଡ୍‌କଲ ପ୍ରେକ୍ଷାଳୟରେ ‘ଶିଶୁ କଲମ’ ପକ୍ଷରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସେ କହିଲେ, ୧୦ ହଜାର ଲୋକଙ୍କୁ ନିଯୁକ୍ତି ଦେବା ସହିତ ସାହିତ୍ୟ, ସଂସ୍କୃତି ଓ ମେଧାକୁ ସେ ଯେଉଁ ପ୍ରୋତ୍ସାହନ ଦେଇଆସୁଛନ୍ତି। ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆ କହିଲେ, ଗୁଣାତ୍ମକ ମାନ ଠିକ୍‌ ନଥିଲେ କୌଣସି ଉତ୍ପାଦ କେହି ନେବେ ନାହିଁ। ଏଣୁ ଶରତ ବିଦେଶରେ ପ୍ରତିଷ୍ଠିତ ହେବା ଉତ୍ପାଦନ ସହ ଗୁଣବତ୍ତାକୁ ପ୍ରାଧାନ୍ୟ ଦେଇଥିବା ପ୍ରମାଣିତ କରୁଛି ବୋଲି ସେ କହିଛନ୍ତି। ଡ. ଶରତ ସାହୁ କହିଲେ, ମୁଁ ପାଠରେ ଦୁର୍ବଳ ଥିଲି। ପିଲାବେଳେ କବାଡ଼ି ଖେଳାଳି ଥିଲି। ଓଡ଼ିଶାର କ୍ୟା‌ପ୍‌ଟେନ୍‌ ବି ହୋଇଥିଲି। ୪ ଜଣ ପଡ଼ିଆରେ ଥିଲେ ବି ବିପକ୍ଷକୁ ମାତ୍‌ ଦେବାକୁ ସାହସ ବାନ୍ଧୁଥିଲି। ସେହି ସାହସ ହିଁ ମୋତେ ଏହି ଶିଳ୍ପରେ ଆଗକୁ ବଢ଼ିବାରେ ସାହସ ଯୋଗାଇଥିଲା। ଇଟାଲିରୁ ପାସ୍ତା ମେସିନ୍‌ ଆଣିବା ବେଳେ ଲୋକ ଥଟ୍ଟା କରି କହିଥିଲେ ‘ଇଏ ପଖାଳ ଖିଆ ଦେଶରେ ପାସ୍ତା ମେସିନ୍‌ ଚଲେଇବ’। ହେଲେ ଆଜି ରୁଚିକୁ ଦେଖି ଶହେ କମ୍ପାନି ଖୋଲିଲାଣି। ରେଭେନ୍‌ସା ବିଶ୍ବବିଦ୍ୟାଳୟର ପ୍ରଥମ କୁଳପତି ପ୍ରଫେସର ପଦ୍ମଜା ମିଶ୍ର ଯୋଗଦେଇ ଡ. ସାହୁଙ୍କ ଜୀବନ କାହାଣୀ ମ୍ୟାନେଜ୍‌ମେଣ୍ଟ ମଡେଲ ଭାବେ ପାଠ୍ୟକ୍ରମରେ ସାମିଲ ହେବା ଯୋଗ୍ୟ ବୋଲି କହିଥିଲେ।

ଜଷ୍ଟିସ୍‌ ଅନନ୍ତ ସୂର୍ଯ୍ୟନାରାୟଣ ନାଇଡୁ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଶରତଙ୍କ ସଫଳତାକୁ ଏକ ଯାନ ସହ ତୁଳନା କରି ଚକକୁ ପରିଶ୍ରମ ଓ ନିଷ୍ଠାକୁ ଇନ୍ଧନ ବୋଲି କହିଥିଲେ। ଏହି ଅବସରରେ ସଫଳ ଯୁବ ଉଦ୍ୟୋଗୀ ବୌଦ୍ଧର ଜ୍ୟୋତ୍ସ୍ନାରାଣୀ ମେହେର ଏବଂ ବ୍ରହ୍ମପୁରର ପବିତ୍ର ରାଉତଙ୍କୁ ‘ଶରତ ଯୁବ ଉଦ୍ୟୋଗୀ’ସମ୍ମାନରେ ସମ୍ମାନିତ କରାଯାଇଥିଲା। ଡ. ସାହୁ ଓ ପତ୍ନୀ ସଙ୍ଗୀତା ସାହୁଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ପୁସ୍ତକ ଛାପାରେ ସହଯୋଗ କରିଥିବା ଅଶୋକ ପରିଡ଼ା, ସୁଧାଂଶୁ ସାମନ୍ତରାୟ, ବିଶ୍ବରଞ୍ଜନ ନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଚନ୍ଦ୍ରବିଜୟୀ ମିଶ୍ର ସଂଯୋଜନା କରିଥିବା ବେଳେ ‘ଶିଶୁ କଲମ’ର ରମେଶ ଚନ୍ଦ୍ର ପ୍ରଧାନ ସ୍ବାଗତ ଭାଷଣ ଦେଇଥିଲେ। ପ୍ରାରମ୍ଭରେ ଡ. ସାହୁଙ୍କ ଜୀବନୀ ସମ୍ପର୍କିତ ଏକ ବୃତ୍ତ ଚିତ୍ର ପ୍ରଦର୍ଶିତ ହୋଇଥିଲା।

ସମ୍ବନ୍ଧିତ ଖବର