ଅଭିନନ୍ଦନୀୟ, ତଥାପି ଆଶା ଓ ଆଶଙ୍କା

ଓଡ଼ିଆ ଭାଷାର ସୁରକ୍ଷା ଓ ପ୍ରଚାର ନେଇ ରାଜ୍ୟ ସରକାର ଆଜି କ୍ୟାବିନେଟ୍‌ ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପରେ ଏହାକୁ ନେଇ ବିଭିନ୍ନ ମହଲରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇଛି। ଭାଷା ପାଇଁ ଆନ୍ଦୋଳନ କରୁଥିବା କିଛି ସଂଗଠନ ଏହାକୁ ସ୍ୱାଗତ କରିଥିବାବେଳେ ଅନ୍ୟ କିଛି ସଂଗଠନ ଏହା ପଛରେ ଥିବା ନିଷ୍ଠା ଓ ଏହାର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ତେବେ ଓଡ଼ିଆ ଭାଷା ଓ ସାହିତ୍ୟରେ ନିଜର ସ୍ୱତନ୍ତ୍ର ସ୍ୱାକ୍ଷର ଛାଡ଼ିଥିବା ଅନେକ ଲେଖକ, ଭାଷାବିତ୍‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏହି ପଦକ୍ଷେପ ପାଇଁ ଅଭିନନ୍ଦନ ଜଣାଇଛନ୍ତି ଏବଂ ଧନ୍ୟବାଦ ଦେଇଛନ୍ତି। ଏଭଳି କିଛି ଅଗ୍ରଣୀ ସଂଗଠନ ଓ ବ୍ୟକ୍ତିବିଶେଷଙ୍କ ମତାମତକୁ ନେଇ ଆମର ସ୍ୱତନ୍ତ୍ର ଉପସ୍ଥାପନା।

ଆଚରଣ ଓ ଉଚ୍ଚାରଣରେ ପ୍ରଭେଦ ନ ରହୁ
ଓଡ଼ିଆକୁ ଜ୍ଞାନ ଓ ବିକାଶର ଭାଷା ଲାଗି ମାନ୍ୟବର ମୁଖ୍ୟମନ୍ତ୍ରୀ ଆଜି ଯେଉଁ ଘୋଷଣା କରିଛନ୍ତି ସେଥିପାଇଁ ସେ ନିଶ୍ଚିତ ଭାବରେ ଧନ୍ୟର୍ବାଦାହ। ଶାସ୍ତ୍ରୀୟ ମାନ୍ୟତା ପରେ ରାଜ୍ୟରେ ଘଟିଥିବା ଭାଷା ଆଲୋଡ଼ନକୁ ଦୃଷ୍ଟିରେ ରଖି ସରକାର ଉଚିତ ପଦକ୍ଷେପ ନେଇଛନ୍ତି। କିନ୍ତୁ ଆଚରଣ ଓ ଉଚ୍ଚାରଣରେ ପ୍ରଭେଦ ରହିଲେ, ନିର୍ବାଚନକୁ ଆଖି ଆଗରେ ରଖି ଏଭଳି ଘୋଷଣା କରାଯାଉଥିବା ଲୋକେ ଭାବିବେ। ଶାସ୍ତ୍ରୀୟ ମାନ୍ୟତାର ଚାରିବର୍ଷ ବିତିଗଲାଣି, ଓଡ଼ିଶା ସରକାର ଏପର୍ଯ୍ୟନ୍ତ ଶାସ୍ତ୍ରୀୟ ଓଡ଼ିଆ ଗବେଷଣା ସଂସ୍ଥା ପ୍ରତିଷ୍ଠା କରିନାହାଁନ୍ତି। ଏପର୍ଯ୍ୟନ୍ତ ସରକାର କୌଣସି ଭାଷା ନୀତି ପ୍ରସ୍ତୁତ କରିନାହାନ୍ତି। ଆଜି ପର୍ଯ୍ୟନ୍ତ ସରକାର ଯାହା ସବୁ ଘୋଷଣା କରିଛନ୍ତି ସେ ସବୁ ଠିକ ଭାବରେ କାର୍ଯ୍ୟ କଲେ ଏହାର ଶ୍ରେୟ ସବୁଦିନ ପାଇଁ ନେଇପାରିବେ।
ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ,
ଅଧ୍ୟକ୍ଷ, ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା

ପ୍ରତି ଭାଗବତ ଟୁଙ୍ଗୀରେ ମଧ୍ୟ ଏକ ପାଠାଗାର ରହୁ
ରାଜ୍ୟ ସରକାର ସଂସ୍କୃତି ବିଭାଗକୁ ଏକ ସ୍ୱତନ୍ତ୍ର ବିଭାଗ କରିବା ସ୍ୱାଗତଯୋଗ୍ୟ। ଭାଗବତ ଟୁଙ୍ଗୀର ବ୍ୟାପକ ପ୍ରସାର ନିମନ୍ତେ ନେଇଥିବା ପଦକ୍ଷେପ ମଧ୍ୟ ଅଭିନନ୍ଦନୀୟ। ମାତ୍ର ତୃଣମୂଳ ସ୍ତରରୁ ଓଡ଼ିଆ ଭାଷା ସାହିତ୍ୟର ପ୍ରଚାର ପ୍ରସାର କରିବାକୁ ହେଲେ ପ୍ରତି ଭାଗବତ ଟୁଙ୍ଗୀରେ ମଧ୍ୟ ଏକ ପାଠାଗାର ରହିବା ଆବଶ୍ୟକ। ଅନ୍ତତଃ ଦୁଇଟି ଆଲ୍‌ମିରାରେ ଭାଗବତ ଭିନ୍ନ ଆହୁରି ଅଧିକ କିଛି ପୁସ୍ତକ ରହିବା ନିହାତି ଜରୁରୀ। ସେହିପରି ଶିଶୁମାନଙ୍କୁ ଓଡ଼ିଆ ଭାଷାପ୍ରତି ଆଗ୍ରହୀ କରିବା ନିିମନ୍ତେ ଉଭୟ ଇଂରାଜୀ ଓ ଓଡ଼ିଆ ମାଧ୍ୟମ ବିଦ୍ୟାଳୟଗୁଡ଼ିକରେ ନିମ୍ନପ୍ରାଥମିକ ସ୍ତରରୁ ଓଡ଼ିଆ ଭାଷା ଅଧ୍ୟୟନକୁ ବାଧ୍ୟତାମୂଳକ କରାଯିବା ଆବଶ୍ୟକ।
ହରିହର ମିଶ୍ର, ସଭାପତି, ଓଡ଼ିଶା ସାହିତ୍ୟ ଏକାଡେମି

ଏବେ ଓଡ଼ିଆ ଭାଷା ସରକାରଙ୍କ ଅଗ୍ରାଧିକାର ପାଇବ ବୋଲି ଆଶା
ପ୍ରଥମ ଥର ପାଇଁ ସରକାର ସଂସ୍କୃତି ଓ ପର୍ଯ୍ୟଟନ ବିଭାଗକୁ ଅଲଗା କରି ସଂସ୍କୃତି ସହିତ ଓଡ଼ିଆ ଭାଷା ଓ ସାହିତ୍ୟକୁ ନେଇ ଏକ ସ୍ୱତନ୍ତ୍ର ବିଭାଗ ଗଠନ କରିବା ଏକ ଅଭିନବ ପଦକ୍ଷେପ। ଯେତେବେଳେ ସରକାରଙ୍କ ମନ୍ତ୍ରିମଣ୍ଡଳରେ କୌଣସି ନୂତନ ବିଭାଗ ଖୋଲାଯାଏ ସ୍ୱାଭାବିକ ଭାବରେ ଏହା ଅଗ୍ରାଧିକାର ପାଇବାର ବାର୍ତାକୁ ସୂଚାଇଥାଏ। ଯେହେତୁ ପ୍ରଥମ ଥର ପାଇଁ ସଚିବାଳୟ ବାହାରକୁ ଯାଇ ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି, ଏହା ଏକ ନିର୍ବାଚନୀ ଚାଲ୍‌ ହୋଇ ନ ପାରେ। ଏହା ପଛରେ ମୁଖ୍ୟମନ୍ତ୍ରୀଙ୍କର ନିଷ୍ଠା ରହିଛି ବୋଲି ମୁଁ ଆଶା କରୁଛି। ଓଡ଼ିଆ ଭାଷା ଆଇନର ସଂଶୋଧନ କରି ଖିଲାପକାରୀଙ୍କ ବିରୋଧରେ ଦଣ୍ଡ ବିଧାନ ବ୍ୟବସ୍ଥା କରିବାକୁ ବହୁ ଦିନ ହେଲା ବିଭିନ୍ନ ସଂଗଠନ ଦାବି କରି ଆସୁଥିଲେ। ସେମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ସେ ଏହି ଦାବିକୁ ଗ୍ରହଣ କରି ଦଣ୍ଡବିଧାନର ବ୍ୟବସ୍ଥା କରିଛନ୍ତି। ଏହାଛଡ଼ା ଓଡ଼ିଆ ଭାଷାର ବହୁଳ ପ୍ରଚାର ପାଇଁ ବିଭିନ୍ନ ଯୋଜନା କରିବା ସହିତ ଏସବୁକୁ କାର୍ଯ୍ୟକାରୀ କରିବାକୁ ଭାଷା କମିସନ ଗଠନ କରିବାର ନିଷ୍ପତ୍ତି ନେଇଥିବାରୁ ମୁଖ୍ୟମନ୍ତ୍ରୀ ଏହାକୁ ଗମ୍ଭୀରତାର ସହ ନେଇଥିବା ଅନୁଭବ କରୁଛି ଏବଂ ଏହାର କାର୍ଯ୍ୟକାରିତାକୁ ଅପେକ୍ଷା କରୁଛି। ବିଳମ୍ବରେ ହେଲେ ମଧ୍ୟ ମୁଖ୍ୟମନ୍ତ୍ରୀ ଓଡ଼ିଆ ଭାଷା ଓ ସାହିତ୍ୟର ସୁରକ୍ଷା ଦିଗରେ ଏଭଳି ଉଲ୍ଲେଖନୀୟ ପଦକ୍ଷେପ ନେଇଥିବାରୁ ମୁଁ ତାଙ୍କୁ ଅଭିନନ୍ଦନ ଜଣାଇବା ସହ କୃତଜ୍ଞତା ଜ୍ଞାପନ କରୁଛି।
ସୌମ୍ୟରଂଜନ ପଟ୍ଟନାୟକ, ଅଧ୍ୟକ୍ଷ ‘ଆମ ଓଡ଼ିଶା’

ନିଷ୍ପତ୍ତି ଅଭିନନ୍ଦନୀୟ, କାର୍ଯ୍ୟକାରୀ ହେବା ଜରୁରୀ
ଅବକ୍ଷୟମୁଖୀ ଓଡ଼ିଆ ଭାଷା ସାହିତ୍ୟର ପ୍ରଚାର ପ୍ରସାର ନିମିତ୍ତ ରାଜ୍ୟ ସରକାର ନେଇଥିବା ନିଷ୍ପତି ଅଭିନନ୍ଦନୀୟ। ମାତ୍ର ନିଷ୍ପତ୍ତି କେବଳ ନିଷ୍ପତ୍ତିରେ ନ ରହି କାର୍ଯ୍ୟକାରୀ ହେଲେ ତାହା ଆନନ୍ଦର ବିଷୟ ହେବ। ଏହା ଓଡ଼ିଆ ସ୍ୱାଭିମାନକୁ ବଞ୍ଚାଇବା ସହିତ ଓଡ଼ିଆ ଭାଷାର ଅଗ୍ରଗତି କରିବ। ଉପଯୁକ୍ତ ବ୍ୟକ୍ତିଙ୍କୁ ଦାୟିତ୍ୱ ଦିଆଯାଇ ଏହି ନିଷ୍ପତ୍ତିର କାର୍ଯ୍ୟକାରୀ କରାଗଲେ ଓଡ଼ିଆ ଭାଷା ସାହିତ୍ୟ ପାଇଁ ଏହା ଖୁସି ଆଣିଦେବ।
ପ୍ରତିଭା ରାୟ, ଜ୍ଞାନପୀଠ ପୁରସ୍କାରପ୍ରାପ୍ତ ଲେଖିକା

ଗ୍ରାମ୍ୟ ପାଠାଗାରର ପୁନରୁଦ୍ଧାର କରାଯାଉ
ଓଡ଼ିଆ ଭାଷାର ପ୍ରଚଳନ ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଖୁସିର ବିଷୟ। ସବୁ କ୍ଷେତ୍ରରେ ଓଡ଼ିଆ ଭାଷାର ପ୍ରଚଳନ ନେଇ ବିଭିନ୍ନ ସଂଗଠନଗୁଡ଼ିକ ପକ୍ଷରୁ କରାଯାଉଥିବା ଦାବିଗୁଡ଼ିକୁ ଏହି ନିଷ୍ପତ୍ତି ଉଣା ଅଧିକେ ଗ୍ରହଣ କରିଛି। ମାତ୍ର ଏହା ଏତିକିରେ ସୀମିତ ରହିବା କଥା ନୁହେଁ। ଓଡ଼ିଆ ଭାଷା ସାହିତ୍ୟକୁ ପରବର୍ତ୍ତୀ ପିଢ଼ି ନିକଟରେ ପହଞ୍ଚାଇବା ନିମନ୍ତେ ବିଦ୍ୟାଳୟସ୍ତରରୁ ପାଠାଗାରଗୁଡ଼ିକୁ ସମୃଦ୍ଧ କରାଯାଉ। ଏକ ସ୍ୱତନ୍ତ୍ର ପାଠାଗାର ଶ୍ରେଣୀ କରିବା ସହିତ ପର୍ଯ୍ୟାପ୍ତ ପରିମାଣର ପୁସ୍ତକ ଯୋଗାଇଦିଆଯାଉ। ସେହିପରି ସବୁକ୍ଷେତ୍ରରେ ଓଡ଼ିଆ ସାହିତ୍ୟର ପ୍ରସାର ନିମନ୍ତେ ଗ୍ରାମ୍ୟ ପାଠାଗାରଗୁଡ଼ିକର ପୁନରୁଦ୍ଧାର କରାଯାଉ। ପ୍ରତି ଗ୍ରାମରେ ପାଠାଗାର ସ୍ଥାପନ ସହିତ ତୃଣମୂଳ ସ୍ତରରେ ଓଡ଼ିଆ ସାହିତ୍ୟ ପଠନର ଧାରା ଆରମ୍ଭ ହେବା ନିହାତି ଜରୁରୀ। ସେହିଭଳି ପୁସ୍ତକ ପ୍ରକାଶନକୁ ଶିଳ୍ପର ମାନ୍ୟତା ଦେବା ସହିତ ପ୍ରକାଶକଙ୍କୁ ସରକାର ପ୍ରୋତ୍ସାହନ ଯୋଗାଇଦେବା ଆବଶ୍ୟକ।
ବିଭୂତି ପଟ୍ଟନାୟକ, ବିଶିଷ୍ଟ ଔପନ୍ୟାସିକ

ସାମୟିକ ସ୍ଫୂର୍ତ୍ତିରେ ପରିଣତ ନ ହେଉ
ରାଜ୍ୟ ସରକାରଙ୍କର ଓଡ଼ିଆ ଭାଷା ପ୍ରତି ଏଭଳି ସକାରାତ୍ମକ ଦୃଷ୍ଟିଭଙ୍ଗୀ ପୂର୍ବରୁ ଦେଖିବାକୁ ମିଳିନଥିଲା। ଭାଷା ଆନ୍ଦୋଳନକାରୀମାନଙ୍କର ଦୀର୍ଘ ଦିନର ଆନ୍ଦୋଳନ ପରେ ସରକାରଙ୍କର ଏପରି ନିଷ୍ପତ୍ତି ବେଶ୍‌ ସମ୍ବର୍ନ୍ଧନୀୟ। ମାତ୍ର ସରକାରଙ୍କର ଏହି ନିଷ୍ପତ୍ତିର ପ୍ରକୃତ ମର୍ମ ରୂପାୟନରେ ରହିଛି। ଓଡ଼ିଆ ଭାଷାକୁ ଓଡ଼ିଆ ଜାତିର ଜୀବନଧର୍ମ ଭାବରେ ବ୍ୟବହାର କରାଯିବା ନିମନ୍ତେ ଅନୁକୂଳ ପରିସ୍ଥିତି ସୃଷ୍ଟି କରିବା, ଏହି ବିଚାରଧାରାର ପ୍ରୟୋଗ ଓ ତା’ର ବିଧିବଦ୍ଧ ପରିଚାଳନା ପାଇଁ ଦୃଢ଼ ମାନସିକତା ଓ ସର୍ବୋପରି ମାତୃଭାଷା ପ୍ରେମ କୌଣସି ସରକାରୀ ନିୟମ ଦ୍ୱାରା ସଂଚାଳିତ ହୁଏ ନାହିଁ। ଏଥିପାଇଁ ସ୍ୱାଭାବିକ ଆଗ୍ନେୟ ଓ ଆବେଗମୟ ପ୍ରାଣଶକ୍ତି ରହିବା ଆବଶ୍ୟକ। ଏନେଇ କୌଣସି ବ୍ୟବସ୍ଥା ନାହିଁ, ମାତ୍ର ଏହି ନିଷ୍ପତ୍ତିଗୁଡ଼ିକ କାର୍ଯ୍ୟକାରୀ ହେଲେ ଏ ଜାତିର ସଂସ୍କୃତି ଏବଂ ସ୍ୱାଭିମାନ ପ୍ରତିଷ୍ଠାରେ ସଂଚାର ଆସିବ ଏଥିରେ ସନ୍ଦେହ ନାହିଁ। ବିଜୁ ବାବୁ ଓଡ଼ିଆମାନେ ବଡ଼ ସ୍ୱପ୍ନ ଦେଖିବା ଓ ବଡ଼ କାର୍ଯ୍ୟ କରିବା ନିମନ୍ତେ ସର୍ବଦା ଆଗ୍ରହ ପ୍ରକାଶ କରୁଥିଲେ। ଓଡ଼ିଆ ଭାଷାକୁ ନେଇ ସରକାରଙ୍କର ଏହି ନିଷ୍ପତ୍ତି ବଡ଼ ସ୍ୱପ୍ନ ଜାଗ୍ରତ କରୁ ଏବଂ ବଡ଼ ସଫଳତା ନିମନ୍ତେ ଦ୍ୱାର ଉନ୍ମୁକ୍ତ କରୁ ଏହା କାମନା। ଏହା ରାଜନୈତିକ କ୍ରୀଡ଼ାଙ୍ଗନରେ ଏକ ସାମୟିକ ସ୍ଫୁର୍ତ୍ତିରେ ପରିଣତ ନହେବା ଆବଶ୍ୟକ।
ହରପ୍ରସାଦ ଦାସ, ବିଶିଷ୍ଟ ସାହିତ୍ୟିକ

ସରକାରଙ୍କ ନିଷ୍ପତ୍ତିକୁ ପ୍ରତ୍ୟାଖ୍ୟାନ କରୁଛୁ
ଓଡ଼ିଆ ଭାଷା ସମ୍ପର୍କରେ ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତିକୁ ଭାଷା ଆନ୍ଦୋଳନ, ଓଡ଼ିଶା ପ୍ରତ୍ୟାଖ୍ୟାନ କରୁଛି। ସରକାରୀ ଭାଷା ଆଇନ ୧୯୫୪ର ସଂଶୋଧନ ଅଣାଯାଇ ରାଜ୍ୟ ସରକାର କରିଥିବା ଦଣ୍ଡବିଧାନରେ କୌଣସି ଆନ୍ତରିକତା ନାହିଁ। କାରଣ ଏଥିରେ ଦଣ୍ଡର ପରିମାଣ, ଦଣ୍ଡବିଧାନର ନ୍ୟାୟିକ ପଦ୍ଧତି ଆଦି ସମ୍ପର୍କରେ କିଛି ସ୍ପଷ୍ଟ କରାଯାଇନାହିଁ। ସ୍ପଷ୍ଟତା ବିହୀନ ଏହି ନିଷ୍ପତ୍ତିରେ ଶବ୍ଦଜାଲ ସୃଷ୍ଟି କରାଯାଇ ଓଡ଼ିଆ ଜାତିକୁ ପ୍ରତାରିତ କରିବା ପାଇଁ ରାଜ୍ୟ ସରକାର ଉଦ୍ୟମ କରିଛନ୍ତି। ଭାଷା ଆନ୍ଦୋଳନ ଏଥିରେ ପ୍ରଭାବିତ ନ ହୋଇ କଳାପତାକା ଅଭିଯାନ ଜାରି ରଖିବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି। ଓଡ଼ିଆ ଭାଷାକୁ ବ୍ୟବସାୟିକ ପଣ୍ୟ କରିବା ପାଇଁ ସହଭାଗିତାରେ କାମ କରିବାକୁ କହି ସରକାର ଭାଷା ମାଫିଆମାନଙ୍କୁ ପ୍ରୋତ୍ସାହନ ଦେବାକୁ ଏହି ନିଷ୍ପତ୍ତି ନେଇଛନ୍ତି। ଓଡ଼ିଆ ଭାଷା ଶିକ୍ଷାର୍ଥୀଙ୍କୁ ପ୍ରୋତ୍ସାହନ ପୂର୍ବରୁ ରାଜ୍ୟ ସରକାର ପ୍ରତ୍ୟେକ ବିଦ୍ୟାଳୟରେ ଖାଲିଥିବା ଓଡ଼ିଆ ଶିକ୍ଷକ ପଦବି ପୂରଣ କରିବା, ଭାଷା ବିଚାରାଳୟ ସ୍ଥାପନ କରିବା ଆଦି ସମସ୍ତ ଲକ୍ଷ୍ୟ ହାସଲ ନହେବା ପର୍ଯ୍ୟନ୍ତ ଭାଷା ଆନ୍ଦୋଳନ ଆହୁରି ତୀବ୍ରତର ହେବ।
ସୁଭାଷ ପଟ୍ଟନାୟକ (ଅଧ୍ୟକ୍ଷ) ଓ ପ୍ରଦ୍ୟୁମ୍ନ ଶତପଥୀ (ସଭାପତି),ଭାଷା ଆନ୍ଦୋଳନ

ସରଳ ଓଡ଼ିଆଙ୍କୁ ପ୍ରତାରିତ କରିଛନ୍ତି ରାଜ୍ୟ ସରକାର
ଓଡ଼ିଆ ଭାଷା ସାହିତ୍ୟର ଉନ୍ନତି ନିମନ୍ତେ ରାଜ୍ୟ ସରକାର ଆଜି ନେଇଥିବା ବିଂଶସୂତ୍ରୀ ନିଷ୍ପତ୍ତି ପୁରୁଣା ବୋତଲରେ ନୂଆ ମଦ ସଦୃଶ। ଭାଷା ଆଇନକୁ କାର୍ଯ୍ୟକାରୀ କରିବା ନିମନ୍ତେ ଭାଷା ଆୟୋଗ ଗଠନର ଦାବି କରାଯାଇଥିବା ବେଳେ ରାଜ୍ୟ ସରକାର ପ୍ରଚାର ପ୍ରସାର ନିମନ୍ତେ ଭାଷା ଆୟୋଗ ଗଠନର କଥା କହିଛନ୍ତି। ଏହା ଅବାସ୍ତବ ଓ ନିର୍ବାଚନୀ ଧୂଆଁବାଣ। ଆଜି କରାଯାଇଥିବା ଘୋଷଣା ମଧ୍ୟରୁ ଅଧିକାଂଶ ପୂର୍ବରୁ ହୋଇଥିବା ବେଳେ ତାହା ଆଦୌ ଫଳପ୍ରଦ ହୋଇନାହିଁ। ୯୫ପ୍ରତିଶତରୁ ଅଧିକ ସରକାରୀ କାର୍ଯ୍ୟ ଆଜି ପର୍ଯ୍ୟନ୍ତ ଇଂରାଜୀରେ ହେଉଛି। ଗଣିତ ଶିକ୍ଷକ ଓଡ଼ିଆ ପଢ଼ାଉଛନ୍ତି, ଏହା ରାଜ୍ୟ ସରକାରଙ୍କର ଓଡ଼ିଆ ଭାଷା ପ୍ରୀତି ପ୍ରମାଣିତ କରୁଛି। ଓଡ଼ିଆ ଭାଷାକୁ ପ୍ରୋତ୍ସାହନ ଦେବା ପରିବର୍ତ୍ତେ ସରକାର ସରଳ ଓଡ଼ିଆ ଲୋକଙ୍କ ସହିତ ପ୍ରତାରଣା କରିଛନ୍ତି। ଓଡ଼ିଆ ଭାଷା ପ୍ରତି ପ୍ରକୃତରେ ଦରଦ ଥିଲେ  ରାଜ୍ୟ ସରକାର ତୁରନ୍ତ ଭାଷା ଆୟୋଗ ଗଠନ କରନ୍ତୁ।
ବୈଷ୍ଣବ ପରିଡ଼ା, ସଭାପତି, ଭାଷା ସୁରକ୍ଷା ସମ୍ମିଳନୀ

ଆଗ୍ରହ ପ୍ରତିବଦ୍ଧତାରେ ପରିଣତ ହେବା ଆବଶ୍ୟକ
ଆଜିର କ୍ୟାବିନେଟ ନିଷ୍ପତ୍ତିରୁ ରାଜ୍ୟ ସରକାରଙ୍କର ଏ ଦିଗରେ ଆଗ୍ରହ ଥିବା ଜଣାପଡ଼ୁଛି। ଦୀର୍ଘଦିନ ଧରି ରହିଥିବା ସମସ୍ତ ସମସ୍ୟାର ସମାଧାନ ଅବଶ୍ୟ ଗୋଟିଏ ସଂକଳ୍ପରେ ହେବା ସମ୍ଭବ ନୁହେଁ। ତେବେ ସରକାରଙ୍କର ଆଗ୍ରହ ପ୍ରତିବଦ୍ଧତାରେ ପରିଣତ ହେଲେ ନବୀନ ବାବୁଙ୍କ ସରକାର ସବୁଦିନ ସ୍ମରଣୀୟ ହୋଇ ରହିବେ। ଓଡ଼ିଶାର ବିଦ୍ୟାଳୟଗୁଡ଼ିକରେ ଓଡ଼ିଆ ଭାଷାରେ ପ୍ରାମାଣିକ ଯୋଗ୍ୟତା ଓ ଦକ୍ଷତା ଥିିବା ଶିକ୍ଷକମାନଙ୍କୁ ଭାଷା-ସାହିତ୍ୟ ଶିକ୍ଷକ ଭାବେ ନିଯୁକ୍ତି ଦେଲେ ଓଡ଼ିଆ ପଢ଼ିବା ପାଇଁ ଚାହିଦା ସୃଷ୍ଟି ହେବ। ଏହା ସାଙ୍ଗକୁ ରାଜ୍ୟରେ ଥିବା ଇଂରାଜୀ ମାଧ୍ୟମ ବିଦ୍ୟାଳୟଗୁଡ଼ିକରେ ମଧ୍ୟ ଓଡ଼ିଆ ଭାଷା ଶିକ୍ଷା ଦେବା ପାଇଁ ପଦକ୍ଷେପ ନିଆଯିବା ପ୍ରୟୋଜନ।
ଡ. ଗୌରହରି ଦାସ, କେନ୍ଦ୍ର ସାହିତ୍ୟ ଅକାଡମି, ଓଡ଼ିଶା ଉପଦେଷ୍ଟା ମଣ୍ଡଳୀର ଆବାହକ

ନିଷ୍ପତ୍ତିର ଯଥାର୍ଥ କାର୍ଯ୍ୟକାରିତା ଗୁରୁତ୍ୱପୂର୍ଣ୍ଣ
ଓଡ଼ିଆ ଭାଷା ସାହିତ୍ୟର ବିକାଶ ନିମନ୍ତେ ରାଜ୍ୟ ସରକାରଙ୍କ ଆଜିର ନିଷ୍ପତ୍ତି ସ୍ୱାଗତଯୋଗ୍ୟ। ନିଷ୍ପତ୍ତିର ଯଥାର୍ଥ କାର୍ଯ୍ୟକାରୀ କରାଗଲେ ଭାଷା ସାହିତ୍ୟର ବିକାଶ କ୍ଷେତ୍ରରେ ଏକ ନୂତନ ସୋପାନ ଉନ୍ମୋଚିତ ହେବ। ସେହିପରି ସଂସ୍କୃତି ବିଭାଗକୁ ଏକ ସ୍ୱତନ୍ତ୍ର ବିଭାଗ କରାଯିବା ନିଷ୍ପତ୍ତି ମଧ୍ୟ ବେଶ୍‌ ଅଭିନନ୍ଦନୀୟ। ଏହା ସଂସ୍କୃତି ବିଭାଗକୁ ଆହୁରି ଅଧିକ ବିକଶିତ କରିବ।
ବିଜୟାନନ୍ଦ ସିଂ, ସଭାପତି, ଉତ୍କଳ ସାହିତ୍ୟ ସମାଜ

ନିଷ୍ପତ୍ତି ପାଇଁ ସରକାରଙ୍କୁ ଧନ୍ୟବାଦ
ପ୍ରଥମ ଥର ପାଇଁ ଶ୍ରୀକ୍ଷେତ୍ରରେ ଓଡ଼ିଆ ଭାଷା ପାଇଁ ସମର୍ପିତ ସ୍ୱତନ୍ତ୍ର କ୍ୟାବିନେଟରେ ନିଆଯାଇଥିବା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଓଡ଼ିଆ ଭାଷା ଓ ସାହିତ୍ୟର ବିକାଶ ଦିଗରେ ଏକ ଐତିହାସିକ ପଦକ୍ଷେପ। ଓଡ଼ିଶା ସରକାର ଓ ଓଡ଼ିଆ ଭାଷା ସଂଗ୍ରାମ ସମିତିର ସମ୍ପାଦିତ ସର୍ତ୍ତ ଅନୁଯାୟୀ ରାଜ୍ୟ ସରକାର ବିଂଶ ସୂତ୍ରୀ କାର୍ଯ୍ୟକ୍ରମ ଘୋଷଣା ଏବଂ ପର୍ଯ୍ୟଟନ ବିଭାଗରୁ ସଂସ୍କୃତି ବିଭାଗକୁ ଅଲଗା କରାଯିବା ନିଷ୍ପତ୍ତିକୁ ସ୍ୱାଗତ କରୁଛି।
ଶଙ୍କର୍ଷଣ ପରିଡ଼ା, ଆବାହକ, ଓଡ଼ିଆ ଭାଷା ସଂଗ୍ରାମ ସମିତି

ଭାଷା ପ୍ରସଙ୍ଗରେ କ୍ୟାବିନେଟ ନିଷ୍ପତ୍ତିକୁ ସ୍ୱାଗତ
ଭାଷା, ସାହିତ୍ୟ , ସଂସ୍କୃତି ପ୍ରସଙ୍ଗରେ ଆଜି ଓଡ଼ିଶା ସରକାର ନେଇଥିବା ନିଷ୍ପତ୍ତିକୁ ଉତ୍କଳ ସମ୍ମିଳନୀ ପକ୍ଷରୁ ସ୍ୱାଗତ କରୁଛି। ଦୀର୍ଘ ତିନି, ଚାରି ଦଶନ୍ଧି ଧରି ଉତ୍କଳ ସମ୍ମିଳନୀ ପକ୍ଷରୁ କରାଯାଉଥିବା ଏସବୁ ଦାବି ଏହା ଦ୍ୱାରା ପୂରଣ ହୋଇଛି। ମଧୁ ବାବୁଙ୍କ ସ୍ୱପ୍ନ କିଛିମାତ୍ରାରେ ସାର୍ଥକ ହୋଇଛି। ସମସ୍ତ ନିଷ୍ପତ୍ତିକୁ ନିଷ୍ଠାର ସହ କାର୍ଯ୍ୟକାରୀ କରାଗଲେ ଓଡ଼ିଆ ଜାତି ଆଶ୍ୱସ୍ତ ହେବ।
ଡ. ଅଦ୍ୱୈତ କୁମାର ପାତ୍ର, ସାଧାରଣ ସମ୍ପାଦକ, ଉତ୍କଳ ସମ୍ମିଳନୀ

ଓଡ଼ିଆ ଭାଷା ଓ ସଂସ୍କୃତିର ସମୃଦ୍ଧି ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ
ଆଜିର ସରକାରୀ ନିଷ୍ପତ୍ତି ଓଡ଼ିଆ ଭାଷା ଓ ସଂସ୍କୃତିର ସମୃଦ୍ଧି ନିମନ୍ତେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ସ୍ୱତନ୍ତ୍ର ସଂସ୍କୃତି ବିଭାଗ ଗଠନ କରିବା ନିଷ୍ପତ୍ତି ଅତ୍ୟନ୍ତ ସ୍ୱାଗତଯୋଗ୍ୟ। ଓଡ଼ିଆ ଭାଷାର ପ୍ରସାର ନିମିତ୍ତ ରାଜ୍ୟ ସରକାରଙ୍କର ଏହି ନିଷ୍ପତ୍ତିର ସୁଦୂରପ୍ରସାରୀ ପ୍ରଭାବ ଅନୁଭୂତ ହେବ।
ଲେନିନ୍‌ ମହାନ୍ତି, ସମ୍ପାଦକ, ଉତ୍କଳ ପ୍ରସଙ୍ଗ

ସମ୍ବନ୍ଧିତ ଖବର