ଭୁବନେଶ୍ବର: ରିଅଲଇଷ୍ଟେଟ୍ ରେଗୁଲେଟୋରି ଅଥରିଟି (ରେରା) ନିୟମ କହୁଛି ଓଡ଼ିଶାରେ ସହରାଞ୍ଚଳରେ କୌଣସି ଗୃହ ପ୍ରକଳ୍ପ ନିର୍ମାଣ କରିବାକୁ ହେଲେ (ଓରେରା)ରେ ପ୍ରକଳ୍ପକୁ ପଞ୍ଜୀକରଣ କରିବାକୁ ହେବ। ଏହାସହ ନିର୍ମଣାଧୀନ ପ୍ରକଳ୍ପଗୁଡ଼ିକର ସେଲ୍ଡିଡ୍ ହେବା ପୂର୍ବରୁ ଉନ୍ନୟନ କର୍ତ୍ତୃପକ୍ଷଙ୍କ ଠାରୁ ଅକୁପାନ୍ସି ସାର୍ଟିଫିକେଟ୍ ଆଣିବାକୁ ହେବ ଏବଂ ଓରେରାରେ ପ୍ରକଳ୍ପକୁ ପଞ୍ଜୀକୃତ କରିବ। କିନ୍ତୁ ବିନା ଅକୁପାନ୍ସି ସାର୍ଟିଫିକେଟ୍ରେ ଏବେ ଲୋକଙ୍କୁ ସେଲ୍ଡିଡ୍ କରି ଘର ବିକ୍ରି କରାଯାଉଛି। ଆଉ ଓରେରା କର୍ତ୍ତୃପକ୍ଷ ବିନା ଅକୁପାନ୍ସି ସାର୍ଟିଫିକେଟରେ ପ୍ରକଳ୍ ପଞ୍ଜୀକରଣ ନମ୍ବର ଦେଉଥିବାରୁ ଏବେ ବେଆଇନ ନିର୍ମାଣ ବଢ଼ିବାରେ ଲାଗିଛି। ଓରେରା କର୍ତ୍ତୃପକ୍ଷଙ୍କ ଆଖିେର ଆଙ୍ଗୁଠି ଗେଞ୍ଜି ରିଅଲ ଇଷ୍ଟେଟ୍ ସଂସ୍ଥା ଘର ବିକ୍ରି କରୁଥିବାବେଳେ ଗ୍ରାହକଙ୍କୁ ଯେଉଁ ସବୁ ସୁବିଧା ସୁଯୋଗ ଦେବେ ବୋଲି ପ୍ରତିଶ୍ରୁତି ଦେଉଛନ୍ତି ତାହାକୁ ମାନୁନାହାନ୍ତିି। କେବଳ ଏତିକି ନୁହେଁ ଯେଉଁ ଜମିର ଲେ ଆଉଟ୍ ପ୍ଲାନ୍ ଉନ୍ନୟନ କର୍ତ୍ତୃପକ୍ଷଙ୍କ ଦ୍ବାରା ମଞ୍ଜୁର ହୋଇନଥିବ ସେହି ଜମି ବିକ୍ରି ହୋଇପାରିବନି। କିନ୍ତୁ ଏହା କେବଳ ନିୟମରେ ଅଛି। କେହି ମାନୁନାହାନ୍ତି। ଲେ ଆଉଟ୍ ପ୍ଲାନ୍ ନଥାଇ ଯଦି କେହି ଜମି କିଣୁଛନ୍ତି ତେବେ ଉନ୍ନୟନ କର୍ତ୍ତୃପକ୍ଷ ଏଠାରେ ଘର ନିର୍ମାଣ ପାଇଁ ପ୍ଲାନ୍ ଦେଉନାହାନ୍ତି। ବ୍ୟାଙ୍କ୍ ବି ଋଣ ଦେଉନି। ଅଥଚ ବିନା ଅକୁପାନ୍ସି ସାର୍ଟିଫିକେଟରେ ନିର୍ମଣାଧୀନ ପ୍ରକଳ୍ପକୁ ବ୍ୟାଙ୍କ ଋଣ ମିଳୁଛି ବୋଲି ଅଭିଯୋଗ ଉଠିଲାଣି।
Sambad is now on WhatsApp
Join and get latest news updates delivered to you via WhatsApp
ଉନ୍ନୟନ କର୍ତ୍ତୃପକ୍ଷ, ବ୍ୟାଙ୍କ, ସବ୍ରେଜିଷ୍ଟ୍ରି କାର୍ଯ୍ୟାଳୟ ଓରେରା ଅଧୀନକୁ ଆସିବ: ଓରେରା ଅଧ୍ୟକ୍ଷ
ରେରା ନିୟମ ସଂଶୋଧନ ପାଇଁ ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟକୁ ଚିଠି ଲେଖିଛୁ
ଏନେଇ ଓରେରାର ଅଧ୍ୟକ୍ଷ ଅମିୟ କୁମାର ମହାପାତ୍ରଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଯାହା ନିୟମ ଅଛି ଆମେ ପାଳନ କରିପାରୁନୁ। କାରଣ ଆମ ଅଧୀନରେ ଉନ୍ନୟନ କର୍ତ୍ତୃପକ୍ଷ କି ସବ୍ ରେଜିଷ୍ଟ୍ରି କାର୍ଯ୍ୟାଳୟ ଯାଉନାହାନ୍ତି। ଆମେ ରାଜସ୍ବ ବିଭାଗକୁ ବିନା ଅକୁପାନ୍ସି ସାର୍ଟିଫିକେଟରେ ସେଲ୍ଡିଡ୍ ନ କରିବାକୁ ବର୍ଷେ ତଳୁ ଚିଠି କରିଥିଲେ ହେଁ ସେମାନେ ମାନୁନାହାନ୍ତି। ତେଣୁ ଆମେ ରେରା ନିୟମରେ ପରିବର୍ତ୍ତନ ଆଣିବାକୁ କେନ୍ଦ୍ରକୁ ଚିଠି ଲେଖିଛୁ। ଓରେରା ଅଧୀନରେ ରିଅଲ ଇଷ୍ଟେଟ୍ ସଂସ୍ଥା, ସାଧାରଣ ଲୋକଙ୍କ ଭଳି ଉନ୍ନୟନ କର୍ତ୍ତୃପକ୍ଷ, ବ୍ୟାଙ୍କ, ସବ୍ରେଜିଷ୍ଟ୍ରି ଅଫିସ୍ଗୁଡ଼ିକୁ ବି ରଖିବାକୁ ଆମେ କହିଛୁ। ରେରା ଆକ୍ଟ ସଂଶୋଧନ ହେବା ପରେ ଓରେରା ଏହା ଉପରେ କାର୍ଯ୍ୟାନୁଷ୍ଠାନ ନେଇପାରିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।ସୂଚନାଯୋଗ୍ୟ ଯେ, ବିଡିଏ ଓ ବିଏମ୍ସି ପକ୍ଷରୁ ରିଅଲ ଇଷ୍ଟେଟ୍ ପ୍ରକଳ୍ପଗୁଡ଼ିକୁ ଅକୁପାନ୍ସି ସାର୍ଟିଫିକେଟ୍ ନେବା ବାଧ୍ୟତାମୂଳକ କରାଯାଉ ନଥିବାରୁ ବହୁ ସଂସ୍ଥା ଯେତିକି ପ୍ଲାନ୍ ନେଉଛନ୍ତି ତାହାଠାରୁ ବହୁ ଅଧିକ ଅଞ୍ଚଳରେ ବେଆଇନ ନିର୍ମାଣ କରୁଛନ୍ତି। ଏପରିକି ରାଜଧାନୀରେ ଯେତିକି ଆପାର୍ଟମେଣ୍ଟ, ସପିଂ ମଲ୍, ହୋଟେଲ ନିର୍ମାଣ ହୋଇଛି ସେଥିରୁ ୯୦% ଅକୁପାନ୍ସି ସାର୍ଟିଫିକେଟ୍ ନେଇନାହାନ୍ତି।