ଆଜି ରାକ୍ଷୀ ପୂର୍ଣ୍ଣିମା: ସ୍ନେହର ନିଆରା ଡୋରି

ଭୁବନେଶ୍ୱର: ଭାଇ ହାତରେ ରାକ୍ଷୀ ବାନ୍ଧିବା ତ ଏକ ପରମ୍ପରା। କିନ୍ତୁ ରକ୍ତ ଦେଇ ଅନ୍ୟର ଜୀବନ ବଞ୍ଚାଉଥିବା ବ୍ୟକ୍ତଙ୍କୁ ଖୋଜିଖୋଜି ତାଙ୍କ ହାତରେ ରାକ୍ଷୀ ବାନ୍ଧି ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ଦୁଇ ସାଙ୍ଗ ରୀନା ଓ ପୂର୍ବିପ୍ରିୟା। ରକ୍ତ ସଂଗ୍ରହ କରୁଥିବା ଅନୁଷ୍ଠାନ କିମ୍ବା ସାଙ୍ଗସାଥୀଙ୍କୁ ଯୋଗାଯୋଗ କରି ରକ୍ତଦାତାଙ୍କ ଠିକଣା ଆଣି ରାକ୍ଷୀ ପୂର୍ଣ୍ଣମୀରେ ସେମାନଙ୍କ ଘରେ ପହଞ୍ଚି ଯାଆନ୍ତି। ୩ବର୍ଷ ହେଲା ସେମାନେ ଏପରି ଅନେକ ରକ୍ତଦାତାଙ୍କ ହାତରେ ରାକ୍ଷୀ ବାନ୍ଧିଛନ୍ତି। ରୀନାଙ୍କ କହିବା ମୁତାବକ ରାକ୍ଷୀର ମୂଲ୍ୟ ଯେପରି କେଉଁ ଭାଇ ସୁଝି ପାରେ ନାହିଁ, ରକ୍ତ ଦେଇ ଅନ୍ୟର ଜୀବନ ବଞ୍ଚାଉଥିବା ବ୍ୟକ୍ତିର ଅମୂଲ୍ୟ ଦାନର ପ୍ରତିଦାନ କେହି ଦେଇ ପାରିବେ ନାହିଁ।

ପରମ୍ପରାରେ ଗହ୍ମା ପୂର୍ଣ୍ଣିମା
ଗାଁ ଗହଳିରେ ଗହ୍ମା ପୂର୍ଣ୍ଣିମା ଭାବେ ପ୍ରଚଳିତ ଏହି ପ୍ରାଚୀନ ପରମ୍ପରା। ମୁଖ୍ୟତଃ ଏହି ଦିନ ଚାଷୀକୂଳ ପାଇଁ ବହୁତ ବଡ଼ ପର୍ବ। ଏହି ଦିନ ପ୍ରଭୁ ବଳରାମଙ୍କ ଜନ୍ମଦିନ ହୋଇଥିବାରୁ ପ୍ରତୀକ ସ୍ୱରୂପ ଲଙ୍ଗଳ ପୂଜା ହୁଏ। ବଳଦଙ୍କୁ ପୂଜା କରି ପିଠା ଖୁଆଇ ବିଶ୍ରାମ ଦିଆଯାଏ। ପୁଣି ଅତୀତରେ ଏହିଦିନ ପୁରୁଷମାନଙ୍କ ମଧ୍ୟରେ ଗହ୍ମା ଡିଆଁ ବା ମାଟିର ପାଚେରି ଡିଆଁ ପ୍ରତିଯୋଗିତା ହୁଏ। କିନ୍ତୁ ଆଜିକାଲି ଏହି ପରମ୍ପରା ଲୁଚିଗଲାଣି। ପରପିଢ଼ି ଏହାର ମହତ୍ତ୍ୱକୁ ବୁଝିବା ଆବଶ୍ୟକ ବୋଲି କହିଛନ୍ତି ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ସଂସ୍କୃତି ପାଠ୍ୟକ୍ରମର ମୁଖ୍ୟ ଆଶିଷ ମହାପାତ୍ର କହିଛନ୍ତି।

ସମ୍ବନ୍ଧିତ ଖବର