ଆମ୍ବ ତୋଳିବା କାଳ ହେଲା, ବିଦ୍ୟୁତ୍‌ ଆଘାତରେ ଜୀବନ ଗଲା

ଭୁବନେଶ୍ବର: ଆମ୍ବ ତୋଳିବା କାଳ ହେଲା। ଆମ୍ବ ତୋଳିବା ପାଇଁ ଗଛକୁ ଚଢ଼ୁଥିବା ବେଳେ ବିଦ୍ୟୁତ୍‌ ଆଘାତରେ ଆଜି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ କନ୍ଧମା‌ଳ ଜିଲା ଟିକାବାଲି ଅଞ୍ଚଳର ଲକ୍ଷ୍ମଣ ପ୍ରଧାନ (୫୦)। ସେ ଏଠାରେ ସହିଦନଗର ଥାନା ଅଧୀନ ସାଇନ୍ସ ପାର୍କ ବସ୍ତିରେ ରହୁଥିଲେ। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି। ଦିନ ପ୍ରାୟ ସାଢ଼େ ୨ଟା ସମୟରେ ଲକ୍ଷ୍ମଣ ଆମ୍ବ ତୋଳିବା ପାଇଁ ପାଲ୍‌ ହାଇଟସ୍‌ ନିକଟରେ ଥିବା ଏକ ଗଛକୁ ଚଢ଼ିଥି‌ଲେ। ମାତ୍ର ସେ ଜାଣି ନପାରି ଗଛକୁ ଲାଗି ଯାଇଥିବା ୧୧କେଭି ବିଦ୍ୟୁତ୍‌ ତାରକୁ ଧରିପକାଇ ଥିଲେ। ଶକ୍ତ ବିଦ୍ୟୁତ୍‌ ଆଘାତ ଯୋଗୁଁ ସେ ଛିଟିକି ଯାଇ ଗଛ ଉପରେ ଲାଖି ରହିଥିଲେ। ନିକଟରେ ଥିବା ଲୋକମାନେ ଏହା ଦେଖି ପୁଲିସକୁ ଫୋନ୍‌ କରି ଜଣାଇଥିଲେ। ନୂଆପଲ୍ଲୀ ଥାନା ଏନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର