ଆସୁଛି ବଡ଼ଦିନ: ଝଲସିଲାଣି ଚର୍ଚ

ଆଲୋକମାଳାରେ ଝଲସିଲାଣି ଚର୍ଚ୍ଚ। ସହରର ଗଳିକନ୍ଦିରେ ଖୋଲିଲାଣି ଖ୍ରୀଷ୍ଟମାସ୍‌ ସାମଗ୍ରୀର ସମ୍ଭାର। ରଙ୍ଗବେରଙ୍ଗ ଫୁଲରେ ନିଜ ଦୋକାନ ଭର୍ତ୍ତି କଲେଣି ଫୁଲ ବେପାରୀ। ଚାରିଆଡ଼େ ଖେଳି ଯାଇଛି ଖୁସିର ବାତାବରଣ। ଏସବୁ ଦେଖିଲେ ଲାଗୁଛି ଭଗବାନ ବୋଧେ ଧରାବତରଣ କରୁଛନ୍ତି। ଡିସେମ୍ବର ୨୫ ବଡଦିନ ପର୍ବ। ଏହାକୁ ଆଉ ଦିନ କେଇଟା ବାକି। ଖ୍ରୀଷ୍ଟ ଧର୍ମାବଲମ୍ବୀମାନଙ୍କ ପାଇଁ ଏହା ବଡ଼ ପର୍ବ ହୋଇଥିଲେ ମଧ୍ୟ ରାଜଧାନୀର ସବୁ ବର୍ଗର ଲୋକ ଯୀଶୁଙ୍କ ସ୍ୱାଗତ ପାଇଁ ପ୍ରସ୍ତୁତ ହେଉଛନ୍ତି। ଏ ନେଇ ଏବେଠାରୁ ଉତ୍ସବମୁଖର ହୋଇଗଲାଣି ରାଜଧାନୀ। ଖାଲି ଚର୍ଚ୍ଚ ନୁହେଁ, ରାଜଧାନୀର ପ୍ରମୁଖ ସପିଂ ମଲ୍‌ଗୁଡ଼ିକ ମଧ୍ୟ ଆଲୋକମାଳାରେ ସଜେଇ ହେଲେଣି ଆଉ ସପ୍ତାହ ପରେ ପ୍ରଭୁ ଯୀଶୁଙ୍କ ସ୍ୱାଗତ ପାଇଁ। ପିଲାମାନେ ଚାହିଁ ରହିଛନ୍ତି ସାନ୍ତାକ୍ଲଜ୍‌ର ଆଗମନ ଓ ତାଙ୍କ ଉପହାର ପାଇଁ। ତେବେ ରାଜଧାନୀର ପ୍ରମୁଖ ଚର୍ଚ୍ଚରେ ଖ୍ରୀଷ୍ଟମାସ ପାଳନ ତଥା ପ୍ରଭୁ ଯୀଶୁଙ୍କ ଧରାବତରଣ ପାଇଁ ବିଭିନ୍ନ ଆୟୋଜନ ଜୋର୍‌ସୋର୍‌ରେ ଚାଲିଛି।

ଚର୍ଚ୍ଚରେ ଶୋଭାବର୍ଦ୍ଧନ କରିବ ଖ୍ରୀଷ୍ଟମାସ ଟ୍ରି ପାର୍କ ଓ ଗୁହାଳ ଘର

ସତ୍ୟନଗରସ୍ଥିତ ‘ଭିନ୍‌ସେଣ୍ଟ କ୍ୟାଥଲିକ୍‌ ଚର୍ଚ୍ଚ’ରେ ମାସ ପହିଲାରୁ ବେଶ୍‌ ଜୋର୍‌ସୋର୍‌ରେ ପ୍ରସ୍ତୁତି ଚାଲିଛି। କଟକ-ଭୁବନେଶ୍ୱର ଆର୍ଚବିଷବ୍‌ ଜନ୍‌ ବାର୍‌ଓ୍ଵା କୁହନ୍ତି, ଡିସେମ୍ବର ପ୍ରଥମ ରବିବାରରୁ ଡିସେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ସମୟକୁ ଯୀଶୁଙ୍କ ଆଗମନ କାଳ ବୋଲି ବିଶ୍ୱାସ କରାଯାଏ। ଏହି ସମୟରେ ଯୀଶୁଙ୍କ ଧରାବତରଣକୁ ଉତ୍ସାହର ସହ ଅପେକ୍ଷା କରାଯାଏ। କ୍ୟାଥ୍‌ଲିକ୍‌ ମଣ୍ଡଳୀର ଯୁବପିଢ଼ି ଏହି ଅବସରରେ ଘର ଘର ବୁଲି କାରୋଲ୍‌ ଗୀତ ଗାଇ ଯୀଶୁ ଧରାବତରଣ କରୁଛନ୍ତି ବୋଲି ବାର୍ତ୍ତା ଦେଇଥା’ନ୍ତି। ଏହି ସମୟରେ ନିଜ ଦୋଷ ସ୍ୱୀକାର କରିବା ସହ ବିଗିଡ଼ି ଯାଇଥିବା ସମ୍ପର୍କକୁ ସୁଧାରିବାକୁ ଚେଷ୍ଟା କରାଯାଇଥାଏ। ଏହି ଆଗମନ କାଳରେ ନିଜକୁ ଆଧ୍ୟତ୍ମିକ ଭାବେ ପ୍ରସ୍ତୁତ କରାଯାଇଥାଏ। ଚର୍ଚ୍ଚରେ ପ୍ରାର୍ଥନା, ଉପବାସ, ଧ୍ୟାନ ଓ ଦିବ୍ୟଯଜ୍ଞ ଆଦି କରାଯାଇଥାଏ। ପୁଣି ଚର୍ଚ୍ଚ ବହୁ ଆଡମ୍ବରରେ ସଜା ଯାଇଥାଏ। ଚଳିତବର୍ଷ ଚର୍ଚ୍ଚ ପରିସରରେ ସ୍ୱତନ୍ତ୍ର ୨୦ ଫୁଟର ଖ୍ରୀଷ୍ଟମାସ ଟ୍ରି ତିଆରି କରାଯାଇଛି। ସେହିପରି ୟୁନିଟ୍‌-୪ସ୍ଥିତ ୟୁୁନିୟନ୍‌ ଚର୍ଚ୍ଚରେ ସ୍ୱତନ୍ତ୍ର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ସମ୍ପୂର୍ଣ୍ଣ ଚର୍ଚ୍ଚକୁ ଆଲୋକମାଳା ସଜାଇବା ସହ ଚର୍ଚ୍ଚ ସମ୍ମୁଖରେ ଖ୍ରୀଷ୍ଟମାସ୍‌ ଟ୍ରି ଓ ଷ୍ଟାର୍‌ ଶୋଭା ପାଉଛନ୍ତି। ଚର୍ଚ୍ଚର ପାଳକ ରେଭ୍‌ ଆୟୁବ୍‌ ଛିଞ୍ଚାଣି କହିଛନ୍ତିି, ଗତ ରବିବାରଠାରୁ ଚର୍ଚ୍ଚରେ ଉତ୍ସବ ଆରମ୍ଭ ହୋଇଗଲାଣି। ଏହି ଅବସରରେ ଚର୍ଚ୍ଚରେ କାରୋଲ ଗୀତ ଗାନ କରାଯିବା ସହ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା, ବାଇବେଲ୍‌ ମେମୋରିଭର୍ସ ପ୍ରତିଯୋଗିତା, ଭକ୍ତି ସଙ୍ଗୀତ ଓ ବାଇବେଲ କୁଇଜ୍‌ ଆଦି ପ୍ରତିଯୋଗିତାର ଆୟୋଜନ କରାଯାଇଛି। ଆସନ୍ତା ୨୫ ତାରିଖ ଦିନ ସକାଳ ୧୦ଟାରେ ଇଂରାଜୀରେ ଓ ଅପରାହ୍‌ଣ ସାଢ଼େ ୩ଟାରେ ଓଡ଼ିଆରେ ପ୍ରାର୍ଥନା ହେବା ସହ ଫାଦର୍‌ ଯୋଶେଫ୍‌ ଫିଲଡ୍‌ ସେଦିନ ସମସ୍ତଙ୍କ ଈଶ୍ୱରଙ୍କ ବାକ୍ୟର ଉଦ୍‌ବୋଧନ ଦେବେ।

ବଜାରରେ ଜମିଲାଣି କିଣାକିଣି

କେବଳ ଖ୍ରୀଷ୍ଟଧର୍ମାବଲମ୍ବୀମାନେ ନୁହନ୍ତି, ଏବେ ଯେ କୌଣସି ସମ୍ପ୍ରଦାୟର ଯୁବପିଢ଼ି ବଡ଼ଦିନ ଉତ୍ସବ ଧୁମ୍‌ଧାମ୍‌ରେ ପାଳୁଛନ୍ତି। ତେଣୁ ଏହାକୁ ଆଖିରେ ରଖି ରାଜଧାନୀର ବଡ଼ଦିନ ବଜାରରେ କିଣାବିକା ମଧ୍ୟ ଜମି ଉଠିଲାଣି। ଜନପଥ ଓ ସତ୍ୟନଗର ଚର୍ଚ୍ଚ ପାଖରେ ବଡ଼ଦିନ ସାମଗ୍ରୀକୁ ନେଇ ଯେଉଁ ଷ୍ଟଲ୍‌ସବୁ ଖୋଲିଛି, ସେଥିରେ କ୍ରମଶଃ ଲୋକଙ୍କ ଭିଡ଼ ଜମିବା ଆରମ୍ଭ ହୋଇଛି। ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ବିଭିନ୍ନ ପ୍ରକାରର ଜିନିଷ କଲିକତାରୁ ମଗାଯାଉଛି। ତେବେ ଏସବୁର ଦାମ୍‌ ଟିକେ ଅଧିକ ରହିଛି। ମ୍ୟୁଜିକାଲ ସାନ୍ତାର ଦାମ୍‌ ୩୦୦ରୁ ୧୫୦୦ଟଙ୍କା, କ୍ରିପ୍‌ ସେଟ୍‌ର ଦାମ୍‌ ୧୫୫୦ଟଙ୍କା, ଛୋଟ ପିଲାଙ୍କ ପାଇଁ ଯୀଶୁଙ୍କ ଡ୍ରେସ ୩୦୦ଟଙ୍କାରୁ ୧ ହଜାର ଟଙ୍କା, ବିଭିନ୍ନ ପ୍ରକାରର ଘଣ୍ଟିର ଦାମ ୫ରୁ ୨୫୦ଟଙ୍କା, କ୍ରିସମାସ ଟ୍ରିର ମୂଲ୍ୟ ୩୦ରୁ ୫୦୦୦ଟଙ୍କା, ଟୋପି ୪୦ରୁ ୧୫୦ଟଙ୍କା, ଯୀଶୁଙ୍କ ପୋଷ୍ଟର ୨୫ରୁ ୩୦୦ଟଙ୍କା, ବ୍ୟାନର ୧୫ରୁ ୪୫୦ଟଙ୍କା, ଷ୍ଟିମର ୧୦ରୁ ୬୦୦ଟଙ୍କା, ଲାଇଟ୍‌ ଷ୍ଟାର ୩୦ରୁ ୭୫୦ଟଙ୍କା ରହିଛି। ଏହି ଦେକାନରେ ସମସ୍ତ ଜିନିଷ ଭାରତରେ ପ୍ରସ୍ତୁତ ଏବଂ ଚୀନ ନିର୍ମିତ କୌଣସି ସାମଗ୍ରୀ ଏଠାରେ ମିଳୁନାହିଁ ବୋଲି ଅମିତ ସିଜିନ ସେଣ୍ଟରର ଅଶୋକ ସାହୁ କହିଛନ୍ତି।

ସମ୍ବନ୍ଧିତ ଖବର