ପୁରୁଣା ଭୁବନେଶ୍ୱର: କଳ୍ପନା ଛକରେ ବିଏମ୍ସିର ଉଚ୍ଛେଦକୁ ବ୍ୟବସାୟୀମାନେ ଜୋରଦାର ବିରୋଧ କରିଛନ୍ତି। ଆଚରଣ ବିଧି ଲାଗୁ ହୋଇଥିବା ବେଳେ ଉଚ୍ଛେଦ ପାଇଁ ହାଇକୋର୍ଟଙ୍କ କୌଣସି ନିର୍ଦେଶ ନଥିବା ଦର୍ଶାଇ ବ୍ୟବସାୟୀମାନେ ବିରୋଧ କରିଥିଲେ। କିଛି ରାଜନେତା ବିଡିଏ ଓ ବିଏମ୍ସି ଅଧିକାରୀଙ୍କୁ ବୁଝାଇଥିଲେ ବି ପରିସ୍ଥିତି ନିୟନ୍ତ୍ରିତ ହୋଇ ନଥିଲା। ଆଗାମୀ ଦିନରେ ପୁଣି ଉଚ୍ଛେଦ କରାଗଲେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ବ୍ୟବସାୟୀମାନେ ଚେତାବନୀ ଦେଇଛନ୍ତି। କଳ୍ପନା ଛକରେ ବିଏମ୍ସି କାର୍ଯ୍ୟାଳୟ ସମ୍ମୁଖରେ ଥିବା ଦୋକାନଗୁଡ଼ିକୁ ଉଚ୍ଛେଦ କରିବାକୁ ଆଜି ବିଏମ୍ସି, ବିଡିଏ ଓ ପୁଲିସର ମିଳିତ ସ୍କ୍ବାଡ୍ ପହଞ୍ଚିଥିଲା। ମାତ୍ର ଆଚରଣ ବିଧି ଲାଗୁ ହୋଇଥିବା ବେଳେ ଅନ୍ୟାୟ ଭାବେ ଉଚ୍ଛେଦ କରାଯାଉଛି ବୋଲି ବ୍ୟବସାୟୀମାନେ ଅଭିଯୋଗ କରିଥିଲେ। ଖବରପାଇ କଂଗ୍ରେସ ନେତ୍ରୀ ରଶ୍ମି ମହାପାତ୍ର, ବିଜେପି ନେତା ବାବୁ ସିଂ ବିଏମ୍ସି, ବିଡିଏ ଅଧିକାରୀଙ୍କୁ ବୁଝାଇବା ସହ ବିଏମ୍ସି କମିସନର୍ଙ୍କ ସହିତ ଆଲୋଚନା କରିଥିଲେ। ତେବେ ମିଳିତ ସ୍କ୍ବାଡ୍ ପକ୍ଷରୁ ନିର୍ଦିଷ୍ଟ ଗୋଟିଏ ଦୋକାନ ଉଚ୍ଛେଦ ହୋଇଥିଲା। ଆସନ୍ତା କାଲି ପୁଣି ଦୋକାନ ଭାଙ୍ଗାଯିବ ବୋଲି ବିଏମ୍ସି ପକ୍ଷରୁ ମାଇକ୍ ଯୋଗେ ପ୍ରଚାର କରାଯାଇଥିଲା। ବଡ଼ଗଡ଼ ଥାନା ଅଧିକାରୀ, ଏସିପି ଓ ପୁଲିସ ଫୋର୍ସଙ୍କ ଉପସ୍ଥିତିରେ ଉଚ୍ଛେଦ ହୋଇଥିଲା।