ଏଣିକି ଜୁନ୍‌ ୧୪ ଲୋକକଳା ଦିବସ, ସରିଲା ଲୋକକଳା ମହୋତ୍ସବ

ଭୁବନେଶ୍ବର: ଏଣିକି ପ୍ରତିବର୍ଷ ଜୁନ୍‌ ୧୪ ତାରିଖ ହେବ ଲୋକକଳା ଦିବସ। ଓଡ଼ିଶା କଳାର ଭୂମି ହୋଇଥିବାରୁ ଲୋକକଳା ପାଇଁ ଏକ ନିର୍ଦିଷ୍ଟ ଦିନକୁ ସମର୍ପିତ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଉତ୍କଳ ମଣ୍ଡପରେ ଆୟୋଜିତ ନବମ ଲୋକକଳା ମହୋତ୍ସବର ଉଦ୍‌ଯାପନ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଲେ, ଆମର ନୃତ୍ୟ, ସଂଗୀତ ଓ ଲୋକକଳା ଆମ ସଂସ୍କୃତିକୁ ସମୃଦ୍ଧ କରିଛି। କଳା ଏକତାର ମନ୍ତ୍ର ଦେଉଛି। ପ୍ରତି ଜିଲ୍ଲାରେ ଲୋକକଳା ଗ୍ରାମ ପ୍ରତିଷ୍ଠା ହେଉଛି। ଲୋକକଳା ପାଇଁ କୌଣସି ନିର୍ଦିଷ୍ଟ ଦିନ ଏପର୍ଯ୍ୟନ୍ତ ନିର୍ଧାରିତ ହୋଇନଥିବା ବେଳେ ଲୋକକଳାକୁ ପ୍ରାଧାନ୍ୟ ଦେଇ ଜୁନ୍‌ ୧୩ରେ ଲୋକକଳା ଦିବସ ପାଳନ ହେବା ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ଏହି ଅବସରରେ କଳାକାର ସଂଘକୁ ବିଭିନ୍ନ ସରକାରୀ ଯୋଜନାରେ ସମ୍ପୃକ୍ତ କରି ଆର୍ଥିକ ସହାୟତା ଯୋଗାଇ ଦେବାରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପଞ୍ଚାୟତିରାଜ ଓ ସ୍ବାସ୍ଥ୍ୟ ବିଭାଗର ପ୍ରମୁଖ ସଚିବ ଓ ବରିଷ୍ଠ ଅଧିକାରୀ, ଢେଙ୍କାନାଳ, ଭଦ୍ରକ, ନବରଙ୍ଗପୁରର ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଧିତ କରିଥିଲେ। ଏହି ଅବସରରେ ସ୍ମରଣିକା ଉନ୍ମୋଚିତ ହୋଇଥିଲା। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏପର୍ଯ୍ୟନ୍ତ ୩୬ ହଜାର କଳାକାରଙ୍କୁ କଳାକାର ଭତ୍ତା ପ୍ରଦାନ କରାଯାଇସାରିଛି ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ବିଧାୟକ ବିଜୟ ମହାନ୍ତି, ପ୍ରିୟଦର୍ଶୀ ମିଶ୍ର, ସଂସ୍କୃତି ବିଭାଗ ପ୍ରମୁଖ ଶାସନ ସଚିବ ମନୋରଂଜନ ପାଣିଗ୍ରାହୀ, ନିର୍ଦେଶକ ବିଜୟ ନାୟକ, ୟୁନିସେଫ୍‌ର ଓଡ଼ିଶା ମୁଖ୍ୟ ମୋନିକା ନେଲ୍‌ସନ୍‌ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରକଳ୍ପ ସଂଯୋଜକ ବାସୁଦେବ ମାଲବିଶୋଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପରେ ସମ୍ବଲପୁରୀ, ବାଘ ନାଚ, ଢଣ କୋଇଲା, ଆଦିବାସୀ ନୃତ୍ୟ, ସାହିଯାତ, ସଂକୀର୍ତନ, ଧୁଡ଼ୁକି, ଘୋଡ଼ା ନାଚ ଓ ମୋଗଲ୍‌ ତାମ୍‌ସା ପରିବେଷଣ କରାଯାଇଥିଲା।

ସମ୍ବନ୍ଧିତ ଖବର