କାଉନ୍‌ସିଲର୍‌ଙ୍କୁ ଦୁର୍ବ୍ୟବହାରର ପ୍ରତିବାଦ: ଜନସ୍ୱାସ୍ଥ୍ୟ ବିଭାଗ କାର୍ଯ୍ୟାଳୟରେ ଧାରଣା

ଜଟଣୀ: ଜଟଣୀ ପୌରପରିଷଦର ଜଣେ କାଉନସିଲର୍‌ ବିଜୟ ପଣ୍ଡାଙ୍କୁ ଜନସ୍ୱାସ୍ଥ୍ୟ ବିଭାଗ କନିଷ୍ଠ ଯନ୍ତ୍ରୀ ଗୋବର୍ଧନ ସେଠୀ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ପ୍ରତିବାଦରେ ଆଜିଠାରୁ କାଉନ୍‌ସିଲର୍‌ମାନେ ଜନସ୍ୱାସ୍ଥ୍ୟ ବିଭାଗ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି। ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଯନ୍ତ୍ରୀ ଶ୍ରୀ ସେଠୀଙ୍କୁ ଏଠାରୁ ବଦଳି କରାନଯିବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ବିକ୍ଷୋଭରତ କାଉନସିଲରମାନେ ଚେତାବନୀ ଦେଇଛନ୍ତି।
କାଉନ୍‌ସିଲର୍‌ମାନଙ୍କ ଅଭିଯୋଗ ଅନୁଯାୟୀ, ଜଟଣୀ ସହରାଞ୍ଚଳ ଅଧିବାସୀମାନଙ୍କୁ ଜଳଯୋଗାଣରେ ଅବ୍ୟବସ୍ଥା ନେଇ ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ କନିଷ୍ଠ ଯନ୍ତ୍ରୀ ଗୋବର୍ଦ୍ଧନ ସେଠୀ ସେଥିପ୍ରତି ଭ୍ରୂକ୍ଷେପ କରୁନଥିଲେ। ଆଜି କାଉନ୍‌ସିଲର୍‌ ଶ୍ରୀ ପଣ୍ଡା ଏକ ସମସ୍ୟା ନେଇ ଯନ୍ତ୍ରୀଙ୍କୁ ପାଖକୁ ଆସିଥିଲେ ହେଁ ସମସ୍ୟା ସଂପର୍କରେ ଶୁଣିବା ପରିବର୍ତେ ସେ ତାଙ୍କୁ ଗାଳିଗୁଲଜ କରିବା ସହ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ। ଏହି ଘଟଣା ପ୍ରଘଟ ହେବା ପରେ ଉପାଧ୍ୟକ୍ଷା ଅନ୍ନପୂର୍ଣ୍ଣା ସାହୁଙ୍କ ନେତୃତ୍ୱରେ କାଉନସିଲର ଜଟାଧାରୀ ପ୍ରଧାନ, ଅନସୂୟା ପ୍ରଧାନ, ବିଜୟ ପଣ୍ଡା, ଲୁସେନ ରାୟ, ବେଣୁଧର ମଙ୍ଗରାଜ, ସୁଶାନ୍ତ ପାଲଟାସିଂଙ୍କ ସମେତ କୁହ୍ନେଇ ମହାପାତ୍ର, ଆଶୁତୋଷ ପ୍ରତାପସିଂ, କଳିଙ୍ଗ କୁମାର ସାହୁ ପ୍ରମୁଖ ଶେଷ ଖବର ଲେଖା ହେବା ସୁଦ୍ଧା ପିଏଚ୍‌ଡି ଅଫିସ୍‌ରେ ତାଲା ପକାଇ ଧାରଣାରେ ବସି ରହିଥିଲେ।

ସମ୍ବନ୍ଧିତ ଖବର