ଦିବ୍ୟାଙ୍ଗଙ୍କୁ ଶିକ୍ଷା ସହାୟକ ନିଯୁକ୍ତିରେ ଅବହେଳା

ଭୁବନେଶ୍ବର: ଦିବ୍ୟାଙ୍ଗମାନଙ୍କୁ ଶିକ୍ଷା ସହାୟକ ପଦରେ ନିଯୁକ୍ତି ଦେବା ନେଇ ଅବହେଳା କରୁଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ନିୟମ ପରିବର୍ତ୍ତନର ଆଳ ଦେଖାଇ ଶହଶହ ଦିବ୍ୟାଙ୍ଗ ପ୍ରାର୍ଥୀଙ୍କ ପ୍ରତି ଅନ୍ୟାୟ କରାଯାଇଛି। ଏହାର ପ୍ରତିବାଦରେ ୧୭ଜଣ ଦିବ୍ୟାଙ୍ଗ ଲୋୟର ପିଏମ୍‌ଜିରେ ଧାରଣା ଦେବା ସହ ନ୍ୟାୟ ଭିକ୍ଷା କରିଛନ୍ତି। ୨୦୧୬ ଡିସେମ୍ବର ୨୬ରେ ପ୍ରକାଶିତ ବିଜ୍ଞାପନ ମୁତାବକ, ଦିବ୍ୟାଙ୍ଗ ବ୍ୟକ୍ତିମାନେ ଚାକିରି ପାଇଁ ଆବେଦନ କରିଥିଲେ। ମୋଟ୍‌ ପଦର ୪ ପ୍ରତିଶତ ଦିବ୍ୟାଙ୍ଗମାନଙ୍କ ପାଇଁ ସଂରକ୍ଷିତ ଥିଲା। ଏହି ନିୟମ ଅନୁଯାୟୀ, ସେମାନଙ୍କୁ ଚୟନ କରାଗଲା। ଭିନ୍ନକ୍ଷମ ପ୍ରମାଣପତ୍ର ଯାଞ୍ଚ ପାଇଁ ଡିପିସି ତରଫରୁ ଏମ୍‌କେସିଜି ମେଡିକାଲ୍‌ ବୋର୍ଡ, ବ୍ରହ୍ମପୁରକୁ ପଠାଗଲା। ମାତ୍ର ସେଠାରେ ଡାକ୍ତରୀ ପରୀକ୍ଷା ସହ ୪୦ରୁ ୧୦୦ ପ୍ରତିଶତ ଦିବ୍ୟାଙ୍ଗ ପ୍ରାର୍ଥୀ ପ୍ରାର୍ଥିନୀଙ୍କ ମଧ୍ୟରୁ କେତେକଙ୍କୁ ଅସ୍ଥାୟୀ ଶ୍ରେଣୀଭୁକ୍ତ କରାଗଲା। ତେଣୁ ଗଣଶିକ୍ଷା ବିଭାଗ ରିଜୋଲ୍ୟୁସନ୍‌ ନମ୍ବର ୨୫୬୦୫ର ପାରା ୮.୨ ଅନୁସାରେ ସେମାନେ ‘ଅସ୍ଥାୟୀ’ ଶ୍ରେଣୀଭୁକ୍ତ ହୋଇଥିବାରୁ ତାଙ୍କୁ ନିଯୁକ୍ତିରୁ ବଞ୍ଚିତ କରାଗଲା। ଏହାର ପ୍ରତିବାଦ ସ୍ବରୂପ ସେମାନେ ଭିନ୍ନକ୍ଷମ ଆୟୁକ୍ତଙ୍କୁ ଭେଟିବା ପରେ ୨୦୧୭ ଏସ୍‌ଏସ୍‌ଇପିଡିର ନିୟମ ରିଜୋଲ୍ୟୁସନ୍‌ ନମ୍ବର-୭୧୪୦ ଅନୁଯାୟୀ ସେମାନେ ଯୋଗ୍ୟ ‌ବୋଲି ଏସ୍‌ଏସ୍‌ଇପିଡି ଆଶ୍ବାସନା ଦେଲା। ଏନେଇ ଏସ୍‌ଏସ୍‌ଇପିଡି ପକ୍ଷରୁ ଗତ ଅଗଷ୍ଟ ମାସରେ ଗଣଶିକ୍ଷା ବିଭାଗକୁ ଚିଠି କରାଗଲା। ପୁଣି ସେପ୍ଟେମ୍ବର ମାସରେ ଗଣଶିକ୍ଷା ବିଭାଗ ଏବଂ ଏସ୍‌ଏସ୍‌ଇପିଡି ମଧ୍ୟରେ ଆଲୋଚନା ମଧ୍ୟ ହେଲା। ମାତ୍ର କ’ଣ ନିଷ୍ପତ୍ତି ହେଲା ଯୋଗ୍ୟ ବିବେଚିତ ପ୍ରାର୍ଥୀ ପ୍ରାର୍ଥିନୀମାନଙ୍କୁ ଏ ପର୍ଯ୍ୟନ୍ତ ସ୍ପଷ୍ଟ କରାଗଲା ନାହିଁ, ବରଂ ଦ୍ବିତୀୟ ପର୍ଯ୍ୟାୟ ଚୟନ କରାଗଲା। ଏ ପର୍ଯ୍ୟନ୍ତ ଦ୍ବନ୍ଦ୍ବରେ ରଖିଥିବା ଯୋଗୁଁ ଦିବ୍ୟାଙ୍ଗ ପ୍ରାର୍ଥୀ/ପ୍ରାର୍ଥିନୀମାନେ ମାନସିକ ଯନ୍ତ୍ରଣା ଭୋଗୁଛନ୍ତି। ତେଣୁ ଉଚିତ୍‌ ପଦକ୍ଷେପ ନେବାକୁ ସେମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର