ଭୁବନେଶ୍ବର: ରାମ, ଯୀଶୁ, ଆଲ୍ଲା ବା ମନ୍ଦିର, ମସ୍ଜିଦ୍, ଗୀର୍ଜା ଆଦି ଶୃଙ୍ଖଳିତ ଗୋଷ୍ଠୀସମୂହର ବିଶ୍ବାସ ଓ ଆସ୍ଥା ମାତ୍ର। ଏହା କେବେ ବି ପରସ୍ପର ବିରୋଧୀ ନୁହେଁ। କିନ୍ତୁ ଧର୍ମ ନାମରେ ମଣିଷ-ମଣିଷ ମଧ୍ୟରେ ଏତେ ଅସହିଷ୍ଣୁତା, ସୀମା ସରହଦ କାହିଁକି? ଜୀବନର ଜଟିଳ ତଥା ସମ୍ବେଦନଶୀଳ ପ୍ରସଙ୍ଗକୁ ଉପଜୀବ୍ୟ କରି ସେ ସବୁର ସୂକ୍ଷ୍ମାତି ସୂକ୍ଷ୍ମ ଅଂଶବିଶେଷକୁ ମଞ୍ଚରେ ଉପସ୍ଥାପନ ପାଇଁ ଆଗ୍ରହୀ ନିର୍ଦ୍ଦେଶକ ସତ୍ୟରଞ୍ଜନ ବେହେରା ଆଜି ଦର୍ଶକଙ୍କୁ ଭେଟି ଦେଇଥିଲେ ଧାର୍ମିକ ଅସହିଷ୍ଣୁତା ଉପରେ ପର୍ଯ୍ୟବସିତ ନାଟକଟିଏ। ହିନ୍ଦୁମାନଙ୍କୁ ଖ୍ରୀଷ୍ଟଧର୍ମରେ ଧର୍ମାନ୍ତରୀକରଣର ପରବର୍ତ୍ତୀ ପ୍ରଭାବ ଉପରେ ରଚିତ ହୋଇଥିଲା ଏହି ନାଟକ। ନାଟକରେ ବାପା ଚରିତ୍ରଟି ହିନ୍ଦୁ ଧର୍ମର। କିନ୍ତୁ ପରିସ୍ଥିତିରେ ପଡ଼ି ପୁଅ ହେଉଛି ଖ୍ରୀଷ୍ଟିୟାନ। ଫଳରେ ବାପା-ପୁଅ ମଧ୍ୟରେ ସୃଷ୍ଟି ହୁଏ ଏକ ଦୁର୍ଭେଦ୍ୟ ପାଚେରି। ବଦଳିଯାଏ ସେମାନଙ୍କ ପରିଚୟ। ଦୂରେଇଯାଏ ସମ୍ପର୍କ। ମଞ୍ଚସ୍ଥ ଏହି ସମ୍ବଲପୁରୀ ନାଟକ ‘ସିମ୍ନା କାଁଥି’ ଆଜି ପ୍ରେକ୍ଷାଳୟରେ ଦର୍ଶକଙ୍କୁ ଭାବନାର ଗଭୀରତମ ପ୍ରଦେଶକୁ ନେଇ ଯାଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
‘ଶତାବ୍ଦୀର କଳାକାର’ ପକ୍ଷରୁ ରବୀନ୍ଦ୍ର ମଣ୍ଡପଠାରେ ଆୟୋଜିତ ବହୁଭାଷୀ କଳିଙ୍ଗ ନାଟ୍ୟ ମହୋତ୍ସବର ଆଜି ୪ର୍ଥ ଦିନରେ ସମ୍ବଲପୁରସ୍ଥିତ ଶ୍ରୀକଲ୍ଚରାଲ୍ ଆସୋସିଏସନ୍ ପକ୍ଷରୁ ଏହି ନାଟକ ପରିବେଷିତ ହୋଇଥିଲା। କାହାଣୀର ରଚନା ଆଶିଷ କୁମାର ସୋନାର୍ କରିଥିଲେ। ଅଭିନୟରେ ନିଜେ ନିର୍ଦ୍ଦେଶକ ଶ୍ରୀ ବେହେରାଙ୍କ ସମେତ କନକ ଡନସନା, ରାଜା ସ୍ମରଜିତ ବଡ଼ପଣ୍ଡା, ଶୁଭେନ୍ଦ୍ର ନନ୍ଦ ଓ ଦଧିଶ୍ବର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ବିଶ୍ବଭୂଷଣ ହରିଚନ୍ଦନ, ନାଟ୍ୟକାର ବିଜୟ ମିଶ୍ର ଓ ଶତାବ୍ଦୀର କଳାକାରର ପୂର୍ବତନ ସଭାପତି ପ୍ରଦୋଷ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସାଧାରଣ ସମ୍ପାଦକ ଧୀର ମଲ୍ଲିକ ପରିଚାଳନା କରିଥିଲେ।