ନନ୍ଦନକାନନକୁ ଆସିଲା ଜୟପୁରରୁ ଉଦ୍ଧାର ବଜ୍ରକାପ୍ତା, ଫାଟିଲା ୨ୟ ଶାଗୁଣା ଅଣ୍ତା

ବାରଙ୍ଗ: କୋରାପୁଟ ଜିଲ୍ଲା ଜୟପୁର ଅଞ୍ଚଳରୁ ଉଦ୍ଧାର ହୋଇଥିବା ଏକ ମାଈ ବଜ୍ରକାପ୍ତା ଆଜି ନନ୍ଦନକାନନରେ ପହଞ୍ଚିଛି। ବଜ୍ରକାପ୍ତାଟିର ବୟସ ପ୍ରାୟ ୪ବର୍ଷ ହେବ। ତାକୁ ନନ୍ଦନକାନନ ପ୍ରାଣୀ ଚିକିତ୍ସା କେନ୍ଦ୍ରର କ୍ୱାରେନ୍‌ଟାଇନ୍‌ରେ ରଖାଯାଇଛି। ଏହାକୁ ମିଶାଇ ନନ୍ଦନକାନନରେ ମୋଟ ବଜ୍ରକାପ୍ତା ସଂଖ୍ୟା ୧୮କୁ ବୃଦ୍ଧି ହୋଇଛି। ଏଥିରେ ୧୧ଟି ମାଈ ଓ ୭ଟି ପୁରୁଷ ଅଛନ୍ତି। ଅପରପକ୍ଷେ ରାଜ୍ୟ ଉଦ୍ଭିଦ ଉଦ୍ୟାନରେ ବିଲୁପ୍ତପ୍ରାୟ ଶାଗୁଣା ବଂଶ ବୃଦ୍ଧି ଯୋଜନାକୁ ଆଜି ପୁଣି ଝଟକା ଲାଗିଛି। ଗତ ଫେବ୍ରୁଆରି ୧୨ ତାରିଖରେ ପ୍ରଥମ ଅଣ୍ତାରୁ ବାହାରିଥିବା ୧୩ ଦିନର ଛୁଆର ଯକୃତ ସମସ୍ୟାରୁ ମୃତ୍ୟୁ ହୋଇଥିଲା। ଆଜି ଦ୍ବିତୀୟ ଅଣ୍ତା ଦେଇଥିବା ଏକ ମାଈ ଶାଗୁଣା ତା’ ଅଣ୍ତାକୁ ଥଣ୍ଟ ମାରି ଫଟାଇ ଦେଇଛି। ଫଳରେ ଲଗାତାର ଦ୍ବିତୀୟବାର ଶାଗୁଣା ପ୍ରଜନନକୁ ଧକ୍କା ଲାଗିଛି। ୧୯୯୯ ମହାବାତ୍ୟାରେ ଓଡ଼ିଶାରୁ ଶାଗୁଣା ବଂଶ ଲୋପ ପାଇଯାଇଛି। ବଂଶବୃଦ୍ଧି ଲାଗି ରାଜ୍ୟ ଉଦ୍ଭିଦ ଉଦ୍ୟାନରେ ନିର୍ମିତ ଶାଗୁଣା ପ୍ରଜନନ କେନ୍ଦ୍ରକୁ ଗତ ନଭେମ୍ବର ୨୪ ତାରିଖ‌‌ରେ ୬ ହଳ ଶାଗୁଣା ଅଣାଯାଇଥିଲା।

ସମ୍ବନ୍ଧିତ ଖବର