‘ନିଉ ହରାଇଜନ୍ସ ଅଫ୍ ବୁଦ୍ଧିଜିମ୍‌ ଇନ୍‌ ଓଡ଼ିଶା’ ଲୋକାର୍ପିତ: ବୁଦ୍ଧଙ୍କ ଜନ୍ମସ୍ଥାନ ସମ୍ପର୍କରେ ପ୍ରାମାଣିକ ତଥ୍ୟ ଦେବ

ଭୁବନେଶ୍ବର: ଗୌତମ ବୁଦ୍ଧଙ୍କ ସମ୍ପର୍କିତ ନୂତନ ପୁସ୍ତକ ‘ନିଉ ହରାଇଜନ୍ସ ଅଫ୍‌ ବୁଦ୍ଧିଜିମ୍‌ ଇନ୍‌ ଓଡ଼ିଶା’କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଲୋକାର୍ପଣ କରିଛନ୍ତି। ଡ.ଅଜିତ କୁମାର ତ୍ରିପାଠୀ, ଡ.ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀ ଓ ଡ. ଚନ୍ଦ୍ରଭାନୁ ପଟେଲ୍‌ଙ୍କ ରଚିତ ଏହି ଗବେଷଣାତ୍ମକ ପୁସ୍ତକ ଓଡ଼ିଶା ଇତିହାସ ଓ ଐତିହ୍ୟର ପୁନଃ ଆକଳନରେ ସହାୟକ ହେବ ବୋଲି କହିଛନ୍ତି ପ୍ରଫେସର ଲାଲ୍‌। ରାଜଭବନରେ ଆୟୋଜିତ ଏକ ଉତ୍ସବରେ ପ୍ରଫେସର ଲାଲ ଲେଖକମାନଙ୍କ ପ୍ରୟାସକୁ ପ୍ରଶଂସା କରିବା ସହ ଓଡ଼ିଶାର ସାଂସ୍କୃତିକ ସମ୍ପଦର ବ୍ୟାପକ ପ୍ରସାର ପାଇଁ ଉଦ୍ୟମ କରିବାକୁ ପରାମର୍ଶ ଦେଇଥିଲେ। ଲେଖକ ଡ. ଅଜିତ ତ୍ରିପାଠୀ ପୁସ୍ତକ ସମ୍ପର୍କରେ ସୂଚନା ଦେଇ କହିଲେ, ଆବିଷ୍କୃତ ତଥ୍ୟ ଓ ଯୁକ୍ତିକୁ ଅନୁଶୀଳନ କଲେ ଭଗବାନ ଗୌତମ ବୁଦ୍ଧ ଓଡ଼ିଶାର କପିଳେଶ୍ବରରେ ଜନ୍ମ ଗ୍ରହଣ କରିଥିଲେ ବୋଲି ସ୍ପଷ୍ଟ ଜଣାପଡ଼ୁଛି। ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ, ଲୋକକଥା, ବୌଦ୍ଧଧର୍ମ ସହିତ ସମ୍ପୃକ୍ତ ଓଡ଼ିଶାର ଅନେକ ସ୍ଥାନର ପ୍ରାଚୀନତା, ଓଡ଼ିଶାରେ ବୌଦ୍ଧ ଓ ସର୍ପପୂଜା, କପିଳେଶ୍ବର ତଥା ପାରିପାର୍ଶ୍ବିକ ଅଞ୍ଚଳର ବିଶେଷତାକୁ ଆଧାର କରି ପୁସ୍ତକରେ ଯୁକ୍ତିନିଷ୍ଠ ତଥ୍ୟ ଉପସ୍ଥାପନ କରାଯାଇଛି। ବୁଦ୍ଧଙ୍କ ଜନ୍ମସ୍ଥାନ ସମ୍ପର୍କରେ ଏକ ପ୍ରାମାଣିକ ପୁସ୍ତକ ଭାବେ ଗବେଷକମାନଙ୍କ ମଧ୍ୟରେ ଏହା ଆଲୋଡନ ସୃଷ୍ଟି କରିବ ବୋଲି ସେ କହିଛନ୍ତି। ଏହି ଅବସରରେ ଅନ୍ୟତମ ଲେଖକ ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀ, ରାଜ୍ୟ ମୁଖ୍ୟ ସୂଚନା କମିସନର ସୁନିଲ କୁମାର ମିଶ୍ର, ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ମଧୁସୂଦନ ପାଢ଼ୀ, ସଂସ୍କୃତି ନିର୍ଦେଶକ ବିଜୟ କୁମାର ନାୟକ, ପର୍ଯ୍ୟଟନ ନିର୍ଦେଶକ ବିଭୂତି ଭୂଷଣ ପଟ୍ଟନାୟକ, ‘ସମାଜ’ର ସୁରେଶ ଚନ୍ଦ୍ର ମନ୍ତ୍ରୀ, ଗବେଷକ ସୁନିଲ କୁମାର ପଟ୍ଟନାୟକ, ଅସିତ ମହାନ୍ତି, ରମାକାନ୍ତ ମିଶ୍ର, ‘ଆତ୍ମଜା’ର ସମ୍ପାଦିକା କବିତା ମଂଜରୀ ପରିଡ଼ାଙ୍କ ସମେତ ବହୁ ଲେଖକ ଓ ଗବେଷକ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର