‘ନିଶାର୍ଦ୍ଧ ଶାଳଭଞ୍ଜିକା’ ଲୋକାର୍ପିତ: ଖାରବେଳଙ୍କୁ ଜାଣିବା ପାଇଁ ପଥ ପ୍ରଦର୍ଶକ ହେବ

ଭୁବନେଶ୍ବର:ଅବଲୁପ୍ତ ଇତିହାସର କଥାବସ୍ତୁକୁ ନେଇ ଲୋକାର୍ପିତ ହୋଇଛି ଐତିହାସିକ ଉପନ୍ୟାସ ‘ନିଶାର୍ଦ୍ଧ ଶାଳଭଞ୍ଜିକା’। ଖାରବେଳଙ୍କ ସମ୍ବନ୍ଧୀୟ ବହୁ ରୋଚକ କଥାବସ୍ତୁକୁ ନିଆରା ଢଙ୍ଗରେ ଉପସ୍ଥାପନ କରିଛନ୍ତି ପୁସ୍ତକର ସ୍ରଷ୍ଟା ଡାକ୍ତର ଇନ୍ଦ୍ରମଣି ଜେନା। ଖଣ୍ଡଗିରି ଓ ଉଦୟଗିରିରେ ଦଂଶନୀ ସାପ ଉଡ଼ିବାର କଥା ହେଉ ଅବା ଯମଜ ପାହାଡ଼ ଆଭ୍ୟନ୍ତରରେ ବହୁ ଧନ ରହିଥିବାର କଥା; ନିଶାର୍ଦ୍ଧରେ ପୂର୍ବ ଦିଗରୁ ବିମାନ ଉଡ଼ି ଆସିବା ଭଳି ଲୋକକଥାକୁ ଆଧାର କରି ପ୍ରସ୍ତୁତ ଏହି ଉପନ୍ୟାସ ଅତିଥିଙ୍କ ଦ୍ବାରା ଉନ୍ମୋଚିତ ହୋଇଛି।

ଆଜି ଗୀତଗୋବିନ୍ଦ ସଦନରେ ଗବେଷଣାତ୍ମକ ତଥ୍ୟ ଓ ଲୋକକଥା ଆଧାରରେ ବର୍ଣ୍ଣିତ ‌ଏହି ପୁସ୍ତକକୁ ଲୋକାର୍ପଣ କରି ମୁଖ୍ୟ ଅତିଥି ସାଂସଦ ସିଦ୍ଧାନ୍ତ ମହାପାତ୍ର କହିଲେ, ଏହି ବହି ଖାରବେଳଙ୍କୁ ଜାଣିବା ପାଇଁ ପଥ ପ୍ରଦର୍ଶକ ହେବ। ଏହି ବହିକୁ କେବଳ ଓଡ଼ିଆରେ ସୀମିତ ନରଖି ହିନ୍ଦୀ ଓ ଇଂରାଜୀରେ ଅନୁବାଦ କରାଯାଉ ବୋଲି ସେ ପ୍ରସ୍ତାବ ଦେଇଥିଲେ। ଏହାଦ୍ବାରା ଖାରବେଳ ଓ ସମୃଦ୍ଧ କଳିଙ୍ଗର କଥା ବିଶ୍ବବାସୀ ଜାଣିପାରିବେ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ସଚିବ ମନୋରଂଜନ ପାଣିଗ୍ରାହୀ ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଲେ, ଏହି ପୁସ୍ତକ ସାହିତ୍ୟ, ଲୋକକଥା, କିମ୍ବଦନ୍ତୀ ଓ ଇତିହାସର ସମାହାର। ଖାରବେଳ ଓଡ଼ିଆ ଜାତିର ସ୍ବାଭିମାନକୁ ପୁନଃ ପ୍ରତିଷ୍ଠା କରିଥିଲେ। କିନ୍ତୁ ଖାରବେଳଙ୍କ ତୈଳଚିତ୍ର କି ପୋଟ୍ରେଟ୍‌ ନଥିବାରୁ ଏପର୍ଯ୍ୟନ୍ତ ଖାରବେଳଙ୍କ ପ୍ରତିମୂର୍ତିଟିଏ କରାଯାଇପାରୁନି। ଯଦି ଡାକ୍ତର ଜେନା ଏହାର ନେତୃତ୍ବ ନେବେ ଏବଂ ଏକ ବିଶେଷଜ୍ଞ କମିଟି ଗଠନ କରାଯାଇ ଖାରବେଳଙ୍କ ସ୍ବରୂପକୁ ନିର୍ଧାରଣ କରାଯାଇପାରିବ, ତେବେ ଖଣ୍ଡଗିରି ନିକଟରେ ଖାରବେଳଙ୍କ ପ୍ରତିମୂର୍ତି କରାଯାଇପାରିବ ବୋଲି ସେ କହିଥିଲେ। ପ୍ରାକ୍ତନ ଓଡ଼ିଆ ପ୍ରଫେସର ଅଭିନ୍ନ ସାହୁ ବହିର ସମୀକ୍ଷା କରି ଶାଳଭଞ୍ଜିକାର ମହତ୍ତ୍ବ ସମ୍ପର୍କରେ କହିବା ସହ ଉପନ୍ୟାସରେ ଥିବା କାରୁଣ୍ୟ ବିଷୟରେ ବର୍ଣ୍ଣନା କରିଥିଲେ। ସଭାରେ ଅଧ୍ୟକ୍ଷତା କରି କଥାକାର ଗୌରହରି ଦାସ କହିଲେ, ଯୋଉ ଜାତି ଏତେ ବଡ଼ ଇତିହାସ ସୃଷ୍ଟି କରିପାରିଥିଲା, ସେ ଜାତି ତା’ଠୁ ବଡ଼ ଭବିଷ୍ୟତ ତିଆରି କରିପାରିବ। ତେଣୁ ଖାରବେଳଙ୍କୁ ନେଇ ସିନେମା କରିବା ଉପରେ ସେ ଗୁରୁତ୍ବ ଦେଇଥିଲେ। ଏହି ବହି ପିଲାମାନଙ୍କ ପାଇଁ ଉପଯୋଗୀ ହୋଇଥିବାରୁ ଏହାକୁ ରାଜା ରାମମୋହନ ରାୟ ପାଠାଗାର ଯୋଜନାରେ ସରକାର କିଣି ସବୁ ପାଠାଗାରକୁ ଯୋଗାଇବାକୁ ପରାମର୍ଶ ଦେଇଥିଲେ। ପ୍ରାକ୍ତନ ଇତିହାସ ପ୍ରଫେସର୍‌ ପ୍ରସନ୍ନ କୁମାର ମିଶ୍ର ବହିରେ ପ୍ରଚଳିତ ଗ୍ରାମୀଣ ଭାଷାର ବ୍ୟବହାର ସମ୍ପର୍କରେ ଆଲୋକପାତ କରିବା ସହ ଖଣ୍ଡଗିରିରେ ପ୍ରସ୍ତାବିତ ଲାଇଟ୍‌ ଆଣ୍ଡ୍‌ ସାଉଣ୍ଡ୍‌ ସୋ’ର କାହାଣୀ ଏହି ବହିର କାହାଣୀ ଆଧାରରେ କରିବାକୁ ମତ ରଖିଥିଲେ। ଲେଖକ ଡାକ୍ତର ଜେନା ନିଜର ଲେଖକୀୟ ଓ ଗବେଷଣାତ୍ମକ ଅଭିଜ୍ଞତା ବାବଦରେ କହିଥିଲେ। ପ୍ରେରଣା ଅତିଥି ପରିଚୟ ଦେଇଥିବା ବେଳେ ଲିଜାଶ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର