ନିଶା ନେଲା ଜୀବନ

ଖଣ୍ଡଗିରି : ଅତ୍ୟଧିକ ନିଶାସେବନ ପାଇଁ ମାତ୍ର ୨୭ ବର୍ଷ ବୟସରେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଣ୍ଡଗିରି ଥାନା ଡୁମୁଡୁମା ରଘୁନାଥନଗରର ସ୍ୱର୍ଗତ ପୂର୍ଣଚନ୍ଦ୍ର ମିଶ୍ରଙ୍କ ପୁଅ ସୁଶାନ୍ତ। ଶେଷ ସମୟରେ ନିଶା ଛଡ଼ାଇବାକୁ ତାଙ୍କୁ ନିଶା ନିବାରଣ କେନ୍ଦ୍ରରେ ଛଡ଼ାଯାଇଥିଲେ ବି କିଛି ଲାଭ ହୋଇନାହିଁ। ନିଶା ନିବାରଣ କେନ୍ଦ୍ରରେ ହିଁ ତାଙ୍କ ମୃତ୍ୟୁ ଘଟିଛି।

ପୁଲିସ ସୂଚନାନୁସାରେ ଗୁରୁବାର ସକାଳେ ସୁଶାନ୍ତଙ୍କୁ ତାଙ୍କ ମା ଯାଁଳାସ୍ଥିତ ନିଶା ନିବାରଣ କେନ୍ଦ୍ରରେ ଛାଡ଼ିଥିଲେ। କିନ୍ତୁ ସେ ଅସୁସ୍ଥ ଥିବାରୁ ନିଶା ନିବାରଣ କେନ୍ଦ୍ର ରଖିବାକୁ ମନା କରିଦେଇଥିଲା। ତାଙ୍କୁ ହସ୍ପିଟାଲରେ ଦେଖାଇ ପରେ ନିବାରଣ କେନ୍ଦ୍ରରେ ଛାଡ଼ିବାକୁ କୁହାଯାଇଥିଲା। ସେମାନଙ୍କ ପରାମର୍ଶ ମାନି ମା’ ପୁଣି ସୁଶାନ୍ତଙ୍କୁ ହସ୍ପିଟାଲ ନେଇଥିଲେ ଓ ଡାକ୍ତରଙ୍କୁ ଦେଖାଇ ସାରି ଅପରାହ୍ଣ ୩ଟାବେଳେ ନିବାରଣ କେନ୍ଦ୍ରରେ ଛାଡ଼ିଥିଲେ। କିନ୍ତୁ ମା ଛାଡ଼ି ଚାଲିଯିବା ପରେ ପରେ ସୁଶାନ୍ତ ହଠାତ୍‌ ପୁଣି ଅସୁସ୍ଥ ହୋଇପଡ଼ିଥିଲେ।

ତୁରନ୍ତ ନିଶା ନିବାରଣ କେନ୍ଦ୍ର ପରିଚାଳକମାନେ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରିଥିଲେ। କିନ୍ତୁ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ଯାଁଳା ଫାଣ୍ଡି ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି। ଅତ୍ୟଧିକ ନିଶାସେବନ ଯୋଗୁଁ ସୁଶାନ୍ତ ରୋଗଗ୍ରସ୍ତ ହୋଇପଡ଼ିଥିଲେ ବୋଲି ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।

ସମ୍ବନ୍ଧିତ ଖବର