ପିଲା ମଲା ପରେ ଚେତିଲେ

ନଦୀରେ ଗାଧୋଇବାକୁ ଦିଆଯିବନି ଅନୁମତି, ଲାଗିବ ସତର୍କ ସୂଚନା ଫଳକ

ଭୁବନେଶ୍ୱର: କୁଆଖାଇରେ ବୁଡ଼ି ଦୁଇ ଜଣ ଛାତ୍ରଙ୍କ ମୃତ୍ୟୁ ପରେ ପ୍ରଶାସନ ଚେତିଲା। କମିସନରେଟ୍‌ ପୁଲିସ ଓ ଅଗ୍ନିଶମ ବିଭାଗର ନିଦ ଭାଙ୍ଗିଲା। ଏଣିକି ବ୍ରିଜ୍‌ ଉପରେ ୨୪ ଘଣ୍ଟିଆ ପୁଲିସ ମୁତୟନ କରାଯିବ। ନଦୀପଠାରେ ଲାଗିିବ ସତର୍କ ସୂଚନା ଫଳକ। କମିସନରେଟ୍‌ ପୁଲିସ ଓ ଅଗ୍ନିଶମ ବିଭାଗ ପକ୍ଷରୁ ଏପରି ଯୋଜନା କରାଯାଇଥିବା ସୂଚନା ମିଳିଛି।କମିସନରେଟ୍‌ ପୁଲିସ ପକ୍ଷରୁ ଦୁଇ ଜଣ କନ୍‌ଷ୍ଟେବଲ କୁଅଖାଇ ବ୍ରିଜ୍‌ ଉପରେ ଦିନରାତି ଜଗି ରହିବେ। ଏହା ଛଡ଼ା ଦିନର ଅଧିକାଂଶ ସମୟ ପିସିଆର୍‌ ଭ୍ୟାନ୍‌କୁ ସେହି ଅଞ୍ଚଳରେ ପାଟ୍ରୋଲିଂ ପାଇଁ ପଠାଯିବ। ବନ୍ୟା ନ ଛାଡ଼ିବା ଯାଏ କାହାରିକୁ ଏବେ ନଦୀରେ ଗାଧୋଇବାକୁ ଅନୁମତି ଦିଆଯିବ ନାହିଁ ବୋଲି କମିସନରେଟ୍‌ ପୁଲିସର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ସେହିପରି କୁଆଖାଇ ନଦୀର ବିଭିନ୍ନ ସ୍ଥାନରେ ବଡ଼ବଡ଼ ଖାଲ ରହିଛି। ଯେଉଁଠି ବନ୍ୟା ଜଳ ଆସିଲେ ଭଉଁରି ପଡ଼ୁଛି। ଏପରିକି ନଦୀର ତୁଠରେ ମଧ୍ୟ ଗଭୀର ପାଣି। କିନ୍ତୁ ଅଜଣା ଲୋକ ନଦୀକୁ ଗାଧୋଇ ଆସି କେଉଁଠି ଅଧିକ ଖାଲ ଅଛି ଜାଣି ପାରନ୍ତି ନାହିଁ। ଏହା ଛଡ଼ା କୁଆଖାଇରେ ବାଲି ଚରି ଯାଇଥାଏ। ଯାହାର ତଳେ ପାଣିଥାଏ। ଅଗ୍ନିଶମ ବିଭାଗ ପକ୍ଷରୁ ଏଭଳି ସ୍ଥାନ ଚିହ୍ନଟ କରାଯାଇ ପୁଣି ଥରେ ସର୍ତକ ସୂଚନା ବୋର୍ଡ ଲଗାଯିବ ବୋଲି ଅଗ୍ନିଶମ ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଏଠାରେ ପ୍ରକାଶଥାଉକି, ବୁଧବାର କୁଆଖାଇ ନଦୀରେ ବୁଡ଼ି ୟୁନିଟ୍‌ ୯ ସରକାରୀ ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ର ସାପିକ ଦିଗାଲ(୧୪) ଓ ଜଗମୋହନ ସାହୁ (୧୪)ଙ୍କ ମୃତ୍ୟୁ ଘଟିଥିଲା। ଏହି ଅଘଟଣ ବେଳେ ୪ ଜଣ ସାଙ୍ଗ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତି ଯାଇଥିଲେ। ସେମାନେ ହେଲେ ଅମନ ସାହୁ (୧୫), ରାକେଶ ନାୟକ(୧୫), ତ୍ରିଲୋଚନ ନାୟକ (୧୩), ଦେବାଶିଷ ରାଉତ (୧୨)।

ନିଦୟା କୁଆଖାଇ, ଚିକନେ୍‌ ଖାଇବ ବୋଲି କହି ଯାଇଛି ଯେ ଯାଇଛି…

ଭୁବନେଶ୍ୱର: ବୋଉ ଆଜି ଚିକେନ୍‌ କରିବୁ। ମୁଁ ୪ଟାରେ ଆସିଲେ ଖାଇବି। ସବୁଦିନ ପରି ସେଦିନ ବି ସେ ଷ୍ଟାଇଲ୍‌ ମାରି ବୋଉକୁ ଅର୍ଡର ଦେଇଥିଲା। ସାନଭାଇଠୁ ଏକଥା ଶୁଣିବା ପରେ ମାର୍କେଟ୍‌କୁ ଯାଇ ଚିକେନ୍‌ ଆଣିଥିଲି। ଜଗୁର ମନଜାଣି ବୋଉ ତା ମନ ପସନ୍ଦର ଚିକେନ୍‌ ତରକାରି କରିଦେଇଥିଲା। ହେଲେ ତାହା ତା ଭାଗ୍ୟରେ ନଥିଲା। ବାଷ୍ପରୁଦ୍ଧ କଣ୍ଠରେ ଏତକ କହୁକହୁ ତାଙ୍କ ଆଖି ଲୁହରେ ଜକେଇ ଯାଇଥିଲା। ଘର ଭିତରୁ ଜଗୁଙ୍କ ମା’ ବି ଜଗୁର ଦୁଷ୍ଟାମୀକୁ ନେଇ ବାହୁନୁଥିବା ବେଳେ ସାହି ପଡ଼ିଶା ଯେମିତି ଥମ୍‌ ହୋଇ ଯାଉଥିଲେ। କାହା ମୁହଁରେ ଭାଷା ନଥିଲା। ଜଗୁ ଯେ ଆଉ ନାହିଁ ଏକଥାକୁ କେହି ବି ବିଶ୍ୱାସ କରିପାରୁ ନଥିଲେ। ବୁଧବାର ସାଙ୍ଗମେଳରେ କୁଆଖାଇକୁ ବନ୍ୟା ପାଣି ଦେଖିବାକୁ ଯାଇଥିବା ବେଳେ ଜଗୁ ଓରଫ୍‌ ଜଗମୋହନ ସାହୁକୁ ନିଦୟା କୁଆଖାଇ ଟାଣି ନେବା ପରେ ଆଜି ଯେମିତି ନିଃସ୍ୱ ହୋଇଯାଇଛି ଆତ୍ମରାମ ବସ୍ତି। ଗଲାବେଳେ ବଡ଼ ଭାଇଠୁ ଟଙ୍କା ମାଗିବାରୁ ଶଙ୍କର ୫୦ ଟଙ୍କା ବଢ଼େଇ ଦେଇ ତାଗିଦ୍‌ କରି କହିଥିଲେ, ଶୁଣ ଆଜି ୩୦ ଟଙ୍କା ଖର୍ଚ କରିବୁ। ବଳକା ୨୦ ଟଙ୍କା ଆସନ୍ତାକାଲି ପାଇଁ ରଖିଥିବୁ। ହେଲେ ବଡ଼ ଭାଇର କଥା ଜଗୁ ମାନିଛି ନା ଦୁଷ୍ଟାମୀ କରି ପୂରା ୫୦ ଟଙ୍କା ଖର୍ଚ କରିଦେଇଛି ସେ ଅମାନିଆ ପଣର ଉତ୍ତର ବି ସେ ନଦୀ ଗର୍ଭରେ ଲୀନ ହୋଇଯାଇଛି। ଜଗୁ ଷ୍ଟାଇଲିସ୍‌ ବୋଲି ତାକୁ ସମସ୍ତେ ବସ୍ତିର ଜଗୁ ଅଟୋବାଲା ବୋଲି ଥଟ୍ଟାରେ ଡାକନ୍ତି। ଯଦି ସାହି ପଡ଼ିଶା କେହି କେବେ କୌଣସି ବୋଲହାକ କରିବାକୁ କୁହେ ଜଗୁ ନିର୍ଦ୍ୱନ୍ଦରେ କରିଦିଏ। ପୁଣି ମା’ଙ୍କ ଷ୍ଟୋନ୍‌ ସମସ୍ୟା ଥିବାରୁ ଜଗୁ ଝିଅଟିଏ ଭଳି ଘର କାମ କରି ଦେଉଥିଲା। ଅଥଚ କଅଁଳା ବାଛୁରୀ ଭଳି ବସ୍ତିର ଏ ମୁଣ୍ଡରୁ ସେ ମୁଣ୍ଡ ଡିଆଁ ମାରୁଥିବା ଜଗୁ ଗଲା ଯେ ଆଉ ଫେରିଲାନି।

ଜଗୁ ଭଳି ସାପିକ୍‌ ଦିଗାଲ୍‌ ବି ବନ୍ୟା ଜଳ ଦେଖିବାକୁ ଯାଇଥିଲା। କିନ୍ତୁ ପାଣିକୁ କାଳେ ସାପିକ୍‌ର ପ୍ରଚୁର ଡର। ଏଇ କିଛିଦିନ ତଳେ ଯେବେ ସାପିକ୍‌ ଶୁଣିଲା ଯେ, ଆଚାର୍ଯ୍ୟ ବିହାରରେ ପ୍ରଚୁର ପାଣି ଜମୁଛି ଘରେ ବାପାଙ୍କୁ ସଫା ସଫା କହି ଦେଇଥିଲା ସେ ସ୍କୁଲ୍‌ ଯିବନି। ବର୍ଷା ପାଣିରେ କାଳେ ଭାସିଯିବ ବୋଲି ସ୍କୁଲ୍‌ ନଯାଇ ସେ ଘରେ ପାଠ ପଢ଼ୁଥିଲା। ହେଲେ ପାଣିକୁ ଡରୁଥିବା ସାପିକ୍‌କୁ ଯେମିତି ସେଦିନ ସେଇ ପାଣି ହିଁ ମୃତ୍ୟୁ ଦେବାକୁ ଡାକି ନେଇଥିଲା। ନଚେତ୍‌ ୯ଟା ୪୦ ମିନିଟ୍‌ରେ ଘରୁ ବାହାରୁଥିବା ସାପିକ୍‌ କାହିଁକି ବା ୯ଟା ୧୫ରେ ଘରୁ ବାହାରିଗଲା ବୋଲି କହିଛନ୍ତି ବିଶେଶ୍ୱରୀ ବସ୍ତିର ବାସିନ୍ଦା କବିତା ଭୋଳ। ଫୁଲବାଣୀ ତିଗିରିଆ ହେଉଛି ସାପିକ୍‌ର ଘର। କିନ୍ତୁ ତା’ର ଜନ୍ମ ଏହି ବସ୍ତିରେ। ବସ୍ତିରୁ ସ୍କୁଲ୍‌ ହିଁ ତା’ର ଗୋଟିଏ ରାସ୍ତା। ସାପିକ୍‌ର ବାପା ଶାନ୍ତନୁ ଦିଗାଲ୍‌ ଦିନ ମଜୁରିଆ ହୋଇଥିବା ବେଳେ ମା’ ସଂଜୀମା ଆପୋଲୋରେ ହାଉସ୍‌ କିପିଂ କାମ କରନ୍ତି। ବାପା ମା’ ଯେବେ କାମକୁ ବାହାରି ଯାଆନ୍ତି ସେତେବେଳେ ସାପିକ୍‌କୁ କହି ଦେଇ ଯାଆନ୍ତି, ଦେଖ୍‌ ତୋ’ର ପାଠ ପଢ଼ାରେ ଯାହା ଖର୍ଚ ହେବ ଆମେ କରିବୁ। କିନ୍ତୁ ତୁ ଯେମିତି ପାଠ ପଢ଼ି ଭଲ ମଣିଷଟେ ହେବୁ। ହେଲେ ଏ ଆଶା ଆଉ ସ୍ୱପ୍ନ ସବୁକିଛି କୁଆଖାଇରେ ଲୀନ ହୋଇଗଲା।

ମୃତ୍ୟୁକାଳୀନ ସହାୟତା ପ୍ରଦାନ
ମୃତ୍ୟୁ ହୋଇଥିବା ସାପିକ୍‌ ଦିଗାଲ୍‌ ଏବଂ ଜଗମୋହନ ସାହୁଙ୍କ ପରିବାରକୁ କ୍ଷତିପୂରଣ ବାବଦରେ ୧୦ ହଜାର ଟଙ୍କା ପ୍ରଦାନ କରାଯାଇଛି। ରେଡ୍‌କ୍ରସ୍‌ ପାଣ୍ଠିରୁ ମେୟର ଅନନ୍ତ ନାରାୟଣ ଜେନାଙ୍କ ଉପସ୍ଥିତିରେ ଗତକାଲି ଏହା ପ୍ରଦାନ କରାଯାଇଛି। ଏଥିସହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ୪ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବା ନେଇ ଘୋଷଣା ହୋଇଛି।

ପିଲା ସ୍କୁଲ ଯାଉଛି କହି… ନ ଆସିଲେ
ଅଘଟଣ ପାଇଁ ଦାୟୀ କିଏ?
ଭୁବନେଶ୍ୱର: ସ୍କୁଲ ଯାଉଛନ୍ତି କହି ପିଲାମାନେ ଘରୁ ବାହାରୁଛନ୍ତି। ଅଭିଭାବକ ଜାଣୁଛନ୍ତି ଯେ ପିଲା ଆମର ସ୍କୁଲ ଯାଉଛି। ହେଲେ ପିଲା ସ୍କୁଲରେ ପହଞ୍ଚିଲେ କି ନାହିଁ? କ୍ଲାସ୍‌ କରୁଛନ୍ତି କି ନାହିଁ? ସ୍କୁଲ ନାଁରେ ଆଉ କେଉଁ ଆଡ଼େ ଚାଲିଗଲେ କି? କିଛି ଯଦି ଦୁର୍ଘଟଣାର ସମ୍ମୁଖୀନ ହେଲେ ସେଥିପାଇଁ କିଏ ଦାୟୀ ରହିବ? ସ୍କୁଲ କର୍ତୃପକ୍ଷ ନା ଅଭିଭାବକ? ବୁଧବାର ୟୁନିଟ୍‌-୯ ବାଳକ ଉଚ୍ଚ ବିଦ୍ୟାଳୟର ଦୁଇ ଜଣ ଛାତ୍ରଙ୍କ ଅକାଳ ବିୟୋଗ ପରେ ଏଭଳି ନାନା ପ୍ରଶ୍ନକୁ ନେଇ ଏବେ ସାରା ରାଜ୍ୟରେ ଉଙ୍କି ମାରୁଛି। ପିଲାଙ୍କ ଖବର ରଖିବା ଦାୟିତ୍ୱ କାହାର? ସ୍କୁଲ କର୍ତୃପକ୍ଷ ପିଲାଙ୍କ ଖବର ରଖିବେ ନା ଅଭିଭାବକ। ଘରୋଇ ବିଦ୍ୟାଳୟରେ ଅଭିଭାବକ ସେମାନଙ୍କ ପିଲାଙ୍କୁ ସ୍କୁଲ୍‌ ଗାଡ଼ିରେ ପଠାଉଛନ୍ତି। ନ ହେଲେ ନିଜେ ଆଣି ସ୍କୁଲ ଫାଟକ ନିକଟରେ ଛାଡ଼ି ଦେଇ ଯାଉଛନ୍ତି। ଫଳରେ ସ୍କୁଲ କ୍ୟାମ୍ପସ ଭିତରକୁ ପ୍ରବେଶ କଲା ପରେ ପିଲାଙ୍କ ସୁରକ୍ଷା ଦାୟିତ୍ୱ ସ୍କୁଲ କର୍ତୃପକ୍ଷଙ୍କ ହାତକୁ ଚାଲିଯାଉଛି। ସରକାରୀ ବିଦ୍ୟାଳୟ କ୍ଷେତ୍ରରେ ସେଭଳି ହେବାର ସମ୍ଭାବନା କମ୍‌। ପିଲାଟି ଘରୁ ବାହାରିଲା ପରେ ସ୍କୁଲ ଗଲା କି ଗଲାନି ତାହାର ଖବର ରଖିବାକୁ ଅଭିଭାବକ କିମ୍ବା ସ୍କୁଲ କର୍ତୃପକ୍ଷଙ୍କ ପାଖରେ ସୁଯୋଗ ନାହିଁ। ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ପିଲାଙ୍କର ଏଭଳି ମୃତ୍ୟୁ ରାଜ୍ୟ ସରକାରଙ୍କ ନିଦ ହଜାଇ ଦେଇଛି। କ’ଣ କଲେ ଏଭଳି ସମସ୍ୟାର ସମାଧାନ କରାଯାଇପାରିବ ଏବେ ତାହାର ବାଟ ଖୋଲାଚାଲିଛି। ପ୍ରତିବର୍ଷ ବର୍ଷା ଆସିବା କ୍ଷଣି ଲମ୍ବା ଚଉଡ଼ା ଗାଇଡ୍‌ଲାଇନ୍‌ ଜାରି କରୁଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ସ୍କୁଲ ପିଲାଙ୍କୁ ନଦୀ, ପୋଖରୀ, ଖୋଲା କୂଅ ଆଦି ସ୍ଥାନକୁ ନ ଛାଡ଼ିବାକୁ ନିର୍ଦେଶ ଦିଆଯାଉଛି। କଡ଼ା ନଜର ରଖିବାକୁ କୁହାଯାଉଛି। ହେଲେ ପ୍ରଶ୍ନ ଉଠୁଛି ପିଲା ସ୍କୁଲ ଆସିଲେ ସିନା କର୍ତୃପକ୍ଷ ନଜର ରଖିବେ। ଯଦି ପିଲାଟି ଘରେ ସ୍କୁଲ ଯାଉଛି କହି ଅନ୍ୟଆଡ଼େ ପଳାଇଯିବ ତେବେ ଦାୟୀ କିଏ ରହିବ?
ବୁଧବାରର ଘଟଣା ପରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଫୁଲ୍ଲ କୁମାର ସାହୁ କହିଛନ୍ତି ଯେ ପିଲା ଘରୁ ବାହାରି ଆସୁଛି ହେଲେ ଯଦି ସ୍କୁଲକୁ ନ ଆସିବ ତେବେ ଆମେ କ’ଣ କରିପାରିବୁ। ପିଲାଟି କେଉଁଆଡ଼େ ଯାଉଛି ଆମ ପାଖରେ ଜାଣିବା ଲାଗି ସୁଯୋଗ ହିଁ ନାହିଁ। ପୂର୍ବାହ୍ନ ୧୦ଟା ଭିତରେ ପିଲା ସ୍କୁଲରେ ପହଞ୍ଚିଲେ ସୁରକ୍ଷା ଦାୟିତ୍ୱ ଆମର। ଯଦି ନ ଆସିଲେ ତେବେ ଆମେ କିଛି କରିପାରିବୁ ନାହିଁ। ସବୁଦିନ ତ ଅଭିଭାବକଙ୍କୁ ଫୋନ୍‌ କରି ଜଣାଇପାରିବୁ ନାହିଁ ଯେ ପିଲା କାହିଁକି ସ୍କୁଲ ଆସିଲା ନାହିଁ। ଯଦି ପିଲାଟି ୫ ଦିନ ଲଗାତାର ଅନୁପସ୍ଥିତ ରହୁଛି ତେବେ ଆମେ ଅଭିଭାବକଙ୍କୁ ଏବିଷୟରେ ଜଣାଉଛୁ।ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ପ୍ରାକୃତିକ ବିପର୍ଯ୍ୟୟ ପରି ଦୁର୍ଘଟଣା ପାଇଁ ଆମେ ସଚେତନ କରାଉଛୁ। ଗଜ ଜୁନ୍‌ ମାସରେ ସ୍କୁଲଗୁଡ଼ିକୁ ଚିଠି ଲେଖାଯାଇଛି। ଅଭିଭାବକମାନେ ସଚେତନ ରହିବାକୁ କୁହାଯାଉଛି। ତା’ ପରେ ବି ଯଦି ପିଲା ସ୍କୁଲ ନ ଆସି ଏଣେତେଣେ ଚାଲିଯିବେ ତେବେ ଆମେ ଆଉ କିଛି କରିପାରିବୁ ନାହିଁ। ଏଭଳି ସମସ୍ୟାର ପ୍ରତିକାର ପାଇଁ କୌଣସି ନିୟମ ନାହିଁ।

ସ୍କୁଲ ଆସିଲେନି ୪ ଛାତ୍ର
ଗତକାଲି ମୃତ୍ୟୁମୁଖରୁ ବଞ୍ଚିଥିବା ୪ ଛାତ୍ର ଆଜି ଆଉ ସ୍କୁଲ ଆସି ନ ଥିଲେ। ସକାଳୁ ବିଦ୍ୟାଳୟ କର୍ତୃପକ୍ଷ ସମ୍ପୃକ୍ତ ଛାତ୍ରମାନଙ୍କ ଘରକୁ ଯାଇ ପଚାରି ବୁଝିଥିଲେ। ମୃତ ଦୁଇ ଛାତ୍ରଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି। ଏଥିସହ ପିଲାଙ୍କ ବାପା-ମା’ଙ୍କୁ ଅଳ୍ପ କିଛି ଆର୍ଥିକ ସହାୟତା ଯୋଗାଇବାକୁ ଯୋଜନା ଚାଲିଛି ବୋଲି ପ୍ରଧାନଶିକ୍ଷକ ପ୍ରଫୁଲ୍ଲ କୁମାର ସାହୁ କହିଛନ୍ତି। ଅନ୍ୟ ୪ ଜଣ ଛାତ୍ରଙ୍କୁ ଆସନ୍ତାକାଲିଠାରୁ ନିୟମିତ ଭାବେ ସ୍କୁଲ ପଠାଇବାକୁ ସେମାନଙ୍କ ଅଭିଭାବକମାନଙ୍କୁ କୁହାଯାଇଛି ବୋଲି ସେ କହିଛନ୍ତି।

ଏଣିକି ଉପସ୍ଥାନ ଯାଞ୍ଚ କଡ଼ାକଡ଼ି
ଦୁଇ ଛାତ୍ରଙ୍କ ମୃତ୍ୟୁ ପରେ ୟୁନିଟ୍‌-୯ ଉଚ୍ଚ ବିଦ୍ୟାଳୟ ବିଦ୍ୟାଳୟରେ ଉପସ୍ଥାନକୁ କଡ଼ାକଡ଼ି କରାଯାଇଛି। ପ୍ରତିଦିନ ଦୁଇଥର ଉପସ୍ଥାନ ଯାଞ୍ଚ ହେବ। ପ୍ରଥମ କ୍ଲାସ୍‌ ଆରମ୍ଭ ହେବା କ୍ଷଣି ଉପସ୍ଥାନ ନିଆଯିବ। କେତେ ପିଲା ଅନୁପସ୍ଥିତ ଅଛନ୍ତି ତାହାର ରିପୋର୍ଟ ପ୍ରଧାନଶିକ୍ଷକ ଯାଞ୍ଚ କରିବେ। ମଧ୍ୟାହ୍ନଭୋଜନ ପରେ ଆଉ ଥରେ ଉପସ୍ଥାନ ଯାଞ୍ଚ କରାଯିବ। ସେହିପରି ଯେଉଁପିଲା ଲଗାତାର ଭାବେ ୩ ଦିନ ଅନୁପସ୍ଥିତ ରହିବେ ତାଙ୍କ ଅଭିଭାବକଙ୍କୁ ଜଣାଇବା ସହ ସ୍କୁଲକୁ ଡକାଯାଇ ପିଲାର କାର୍ଯ୍ୟକଳାପ ସମ୍ପର୍କରେ ଅବଗତ କରାଯିବ।

ସମ୍ବନ୍ଧିତ ଖବର