‘ବୈଶାଖୀ’ରେ ହିଡ଼ିମ୍ବା

ଭୁବନେଶ୍ବର: ମହାଭାରତର ଚର୍ଚ୍ଚିତ ଚରିତ୍ର ହିଡ଼ିମ୍ବା ଏବଂ ପୁତ୍ର ଘଟୋତ୍କଚର କଥାବସ୍ତୁକୁ ଓଡ଼ିଶୀ ନୃତ୍ୟରେ ପରସି ଦେଇଥିଲେ ଶିଳ୍ପୀ ଶୁଭଲକ୍ଷ୍ମୀ ପାଢ଼ୀ। ଅନନ୍ୟ ଭାବ ରସରେ ସେ ଆକର୍ଷଣୀୟ ଢଙ୍ଗରେ ଭେଟି ଦେଇଥିଲେ ଏହି ନୃତ୍ୟ। ‘ଚିନ୍ତା ଓ ଚେତନା’ ପକ୍ଷରୁ ଆୟୋଜିତ ବୈଶାଖୀ ମହୋତ୍ସବରେ ହିଡ଼ିମ୍ବାଙ୍କ ଚରିତ୍ର ବିଷୟରେ ଜାଣିବାର ଅବସର ପାଇଥିଲେ ଦର୍ଶକ। ଏଥିସହ ଅହଂର ପରିଣାମକୁ ନୃତ୍ୟରେ ଚେତାଇ ଦେଇଥିଲେ ଓଡ଼ିଶୀ ଶିଳ୍ପୀ ଅଶୋକ ଘୋଷାଲ୍‌। ଚାରି ଯୁଗରେ ଏହି ଅହଙ୍କାର କିଭଳି ସେମାନଙ୍କୁ ଧ୍ବଂସାଭିମୁଖୀ କରିଛି, ନୃତ୍ୟରେ ସେ ଏହାର ବଳିଷ୍ଠ ବାର୍ତା ଦେଇଥିଲେ। ପ୍ରାରମ୍ଭରେ ଅନନ୍ୟା କାନନ ମାନ ଉଦ୍ଧାରଣ କରହେ… ଗୀତରେ ନୃତ୍ୟ ଭେଟି ଦେଇଥିଲେ। ଏଥିସହ ଦିବ୍ୟାଙ୍ଗ ନୃତ୍ୟଶିଳ୍ପୀ ହରିହର ଦେଓ ‘ମୋ ଆଖିର ଲୁହରେ ତୋ ଦରିଆ ପାଣି ଲୁଣି… ’ ଗୀତରେ ଅଭିମାନକୁ ବ୍ୟକ୍ତି କରି ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଆଜିର ଏହି ଉତ୍ସବରେ ଆକାଶ ଇନ୍‌ଷ୍ଟିଚ୍ୟୁଟ୍‌ର ନିର୍ଦେଶକ ଅଜୟ ବାହାଦୂର ସିଂହ, ପ୍ରୟାସର ମୁଖ୍ୟ ବନବିହାରୀ ମହାନ୍ତି ଅତିଥି ଭାବେ ଯୋଗ ଦେଇଥିବା ବେଳେ ଚିନ୍ତା ଓ ଚେତନାର କାର୍ଯ୍ୟକାରୀ ଅଧ୍ୟକ୍ଷ ସହଦେବ ସାହୁ, ମହାସଚିବ ସୁରେନ୍ଦ୍ର ଦାସ ଏବଂ ଡ.ଶ୍ରୀକାନ୍ତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଡ. ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର