ବ୍ଲକ ଅଧ୍ୟକ୍ଷାଙ୍କ ଜନ କଲ୍ୟାଣ ବୈଠକ ଟେଣ୍ଟ ଜାଳିଦେଲେ ଦୁର୍ବୃତ୍ତ

ବାଲିଅନ୍ତା: ସ୍ବେଚ୍ଛାସେବୀ ସଂଗଠନ ‘ଆମ ସଂଗଠନ’ ତତ୍ତ୍ବାବଧାନରେ ବାଲିଅନ୍ତା ବ୍ଲକ ଅଧୀନ ଝିଣ୍ଟି ଶାସନ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଆଜି ଆୟୋଜିତ ହେବାକୁ ଥିବା ଏକ ଜନ କଲ୍ୟାଣ ସଭାର ଟେଣ୍ଟକୁ ଗତକାଲି ବିଳମ୍ବିତ ରାତି‌ରେ କିଛି ଦୁର୍ବୃତ୍ତ ଜାଳି ଦେଇଛନ୍ତି। ଟେଣ୍ଟରେ ବନ୍ଧା ଯାଇଥିବା ସମସ୍ତ କପଡ଼ା, ବାଉଁଶ ଓ ବିଭିନ୍ନ ଆସବାବପତ୍ର ଜଳିଯିବା ସହ ପାଖରେ ଥିବା କୁଟାଗଦା ମଧ୍ୟ ଜଳି ଯାଇଛି। ସାଧାରଣ ନିର୍ବାଚନ ପୂର୍ବରୁ ବାଲିଅନ୍ତାରେ ପ୍ରଥମ ପ୍ରାକ୍‌ ନିର୍ବାଚନୀ ହିଂସା ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି। ଏନେଇ ଆଜି ସକାଳେ ଗ୍ରାମରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଏ ସଂପର୍କରେ ଖବର ପାଇ ବାଲିପାଟଣା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଏହାର ତଦନ୍ତ କରିଥିଲେ। ତେବେ ସଂଗଠନ ପକ୍ଷରୁ ପୁନର୍ବାର ଟେଣ୍ଟ ବନ୍ଧାଯାଇ ବୈଠକ ଅନୁଷ୍ଠିତ ହୋଇଥିଲା। ପୂରଣ ପଞ୍ଚାୟତ ସମିତି ସଭ୍ୟ ଲକ୍ଷ୍ମୀଧର ନାୟକଙ୍କ ସଭାପତିତ୍ବରେ ପରିଚାଳିତ ଉକ୍ତ ସଭାରେ ଆମ ସଂଗଠନର ଅଧ୍ୟକ୍ଷ କମଳ କୁମାର ପାତ୍ର ମୁଖ୍ୟ ଅତିଥି, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଚୌଧୁରୀ ଦ୍ବାରିକାନାଥ ଦାଶ ଓ ବ୍ଲକ୍ ଅଧ୍ୟକ୍ଷା ସୁଚିତ୍ରା ଜେନାମଣି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ବ୍ଲକସ୍ତରରେ ତ୍ବରାନ୍ବିତ ହେବାକୁ ଥିବା ଆମ ଗାଁ ଆମ ବିକାଶ ଯୋଜନାର ସଫଳ ରୂପାୟନ ତଥା ବିଭିନ୍ନ ଜନ କଲ୍ୟାଣ ଯୋଜନାର ସଠିକ୍‌ କାର୍ଯ୍ୟକାରିତା ଉପରେ ଆଲୋଚନା ହୋଇଥିଲା। ଏହି ପରିପ୍ରେକ୍ଷୀରେ ପଞ୍ଚାୟତର ଅନେକ ଗରିବ ଲୋକଙ୍କୁ ଆର୍ଥିକ ସହାୟତା ଏବଂ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରାଯାଇଥିଲା।

ସମ୍ବନ୍ଧିତ ଖବର