ମଞ୍ଚସ୍ଥ ହେଲା ‘ତୋର ପାର୍‌ କେ ମୋର ପାହା’

ଭୁବନେଶ୍ବର: ଲୋକ ସଂସ୍କୃତିର ସୁରକ୍ଷା ପାଇଁ ସଂଘର୍ଷର ଏକ ରୋଚକ କଥାବସ୍ତୁକୁ ନେଇ ସମ୍ବଲପୁରୀ-କୋଶଳୀ ନାଟକ ‘ତୋର ପାର୍‌ କେ ମୋର ପାହା’ର ପରିବେଷଣ ସହ ଆଜି ମନନ ନାଟ୍ୟ ମହୋତ୍ସବର ପରଦା ନଇଁଛି। ରବୀନ୍ଦ୍ର ମଣ୍ଡପ ମଞ୍ଚରେ ପରିବେଷିତ ହୋଇଥିଲା ଏହି ସଂଘର୍ଷର କଥା। ଢୋଲ ବାଦକ ଅରକ୍ଷିତ ଓ ଡାଲଖାଇ ନୃତ୍ୟଶିଳ୍ପୀ ରଏବାରୀଙ୍କ ପ୍ରାଣମୂର୍ଚ୍ଛା ସଂଘର୍ଷରେ ‌ସମୟ କ୍ରମେ ଯୋଡ଼ି ହୋଇଥିଲା ବାଦ୍ୟ ତିଆରି କରୁଥିବା କାରିଗର ରାଘବ। କିନ୍ତୁ ଏମିତି ଏକ ସମୟ ଆସେ, ଯେତେବେଳେ ରଏବାରୀ ଆରପାରିକୁ ଚାଲିଯାଏ। ଆଉ ତା’ ଶବକୁ କାନ୍ଧ ଦେବାକୁ ଗାଁରୁ ୪ଜଣ ବାହାରନ୍ତି ନାହିଁ। ଏହା ପରେ କ’ଣ ଘଟୁଛି..? ତାହାକୁ ନେଇ ପରିବେଷିତ ହୋଇଥିଲା ଏହି ନାଟକ। ମନନ ନାଟ୍ୟ ସଂସ୍ଥାର ୪୦ତମ ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ ନାଟକ ମହୋତ୍ସବର ଶେଷ ଦିନରେ ବରଗଡ଼ର ‘ଅବର୍ଣ୍ଣି ଗୁଁଡ଼ା ନାଟ୍ୟ ସଂସଦ’ ପକ୍ଷରୁ ଏହି ନାଟକ ପରିବେଷିତ ହୋଇଥିଲା। ଏହାର ରଚନା ଓ ନିର୍ଦ୍ଦେଶନା ଅଶୋକ କୁମାର ବହିଦାର ଦେଇଥିଲେ। କାର୍ଯ୍ୟକ୍ରମରେ ଦେବାନନ୍ଦ ନାୟକ, ସୁଧାଂଶୁ ଦ୍ବିବେଦୀ ଓ ବିଜୟ ପାତ୍ରଙ୍କୁ ‘ମନନ ସମ୍ମାନ’ରେ ସମ୍ମାନିତ କରାଯାଇଛି। ଆଜିର ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ବିଧାୟକ ବିଜୟ ମହାନ୍ତି, ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନା ଓ ପ୍ରଦୀପ କୁମାର ପୁରୋହିତ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ମନନର ସଭାପତି ମନୋଜ ପଟ୍ଟନାୟକ ଓ ଉପସଭାପତି ବଙ୍କିମଚନ୍ଦ୍ର ନାୟକ ପ୍ରମୁଖ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର