ରହସ୍ୟମୟ ସୃଷ୍ଟିକୁ ନେଇ ‘ସର୍ଜନା’

ଭୁବନେଶ୍ବର: ବିଶ୍ବର ଏଇ ଅନନ୍ତ ଲୀଳାକୁ ଦେଖିଲେ ମନରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୁଏ। ଏ ସୃଷ୍ଟି କ’ଣ? ଏହାର ସ୍ରଷ୍ଟା କିଏ? ଏସବୁ ପ୍ରଶ୍ନକୁ ନେଇ ଅନେକ ପ୍ରାସଙ୍ଗିକ ଓ ପ୍ରାମାଣିକ ତଥ୍ୟ ଉପସ୍ଥାପନ କରାଯାଇଛି। ଏଥିରେ ଅଛି କିଛି ପୌରାଣିକ କଥା ଓ ଗାଥା, ଅହୁରି ଅଛି ବୈଜ୍ଞାନିକ ଗବେଷଣାଲବ୍ଧ ଅନେକ ତତ୍ତ୍ବ। ତଥାପି ଏ ସଚରାଚର ବିଶ୍ବ ଆଜି ବି ରହସ୍ୟମୟ ହୋଇରହିଛି। ଏହି ରହସ୍ୟମୟ ସୃଷ୍ଟି ସର୍ଜନାର ସତ୍ୟତାକୁ ଏକ ରୁଚିପୂର୍ଣ୍ଣ ଢଙ୍ଗରେ ନେଇ ଆସିଥିଲା ଆଜିର ନାଟକ ‘ସର୍ଜନା’। ବିଶିଷ୍ଟ ନାଟ୍ୟକାର ସ୍ବର୍ଗତ ଅସୀମ ବସୁଙ୍କ ଶ୍ରାଦ୍ଧ ଦିବସ ଉପଲକ୍ଷେ ‘ଅସୀମ ବସୁ ଫାଉଣ୍ଡେସନ’ ପକ୍ଷରୁ ଭଞ୍ଜ କଳାମଣ୍ଡପଠାରେ ଆୟୋଜିତ ‘ଅସୀମ ଉତ୍ସବ’ର ଆଜି ଦ୍ବିତୀୟ ଦିନରେ ମଞ୍ଚସ୍ଥ ଏହି ନାଟକର ରଚନା ଗଣେଶ୍ବର ମହାପାତ୍ର କରିଥିଲେ। ନିର୍ଦ୍ଦେଶନା ‌ଦେଇଥିଲେ ବିକ୍ରମ ସାହୁ। ଆଜିର ସନ୍ଧ୍ୟାରେ ଅତିଥି ଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ଅଧ୍ୟାପକ ବିଶ୍ବରଞ୍ଜନ, ସ୍ତମ୍ଭକାର ଅସିତ ମହାନ୍ତି, ନାଟ୍ୟ ନିର୍ଦ୍ଦେଶକ ଧୀର ମଲ୍ଲିକ, ଲାଲା ବିରେନ ରାୟ ଓ ବରିଷ୍ଠ ଅଭିନେତ୍ରୀ ଝରଣା ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଚିତ୍ରଶିଳ୍ପୀ ଅତସୀ ବସୁ ଏଥିରେ ଉପସ୍ଥିତ ଥିଲେ। ଦେବଦତ୍ତ ପତି ଉତ୍ସବକୁ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର