ରାଜପଥରେ ଦୁର୍ଘଟଣା : ଜଣେ ମୃତ, ଟ୍ରକ୍‌ ଚାଳକ ଗିରଫ

ଭୁବନେଶ୍ୱର : ଦୁର୍ଘଟଣା ରୋକିବାକୁ ଯେତେ ଯୋଜନା କଲେ ବି ଅବସ୍ଥା ସୁଧୁରୁନି। ଆଜି ୧୬ ନମ୍ବର ଜାତୀୟ ରାଜପଥର ହଂସପାଳ ଛକଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଆ‌ଉ ଏକ ମୁଣ୍ଡ ଗଡ଼ିଛି। ପଛପଟୁ ଏକ ଟ୍ରକ୍‌ ପିଟି ଦେବାରୁ ଜଣେ ବ୍ୟକ୍ତିଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି ଜଗତସିଂପୁର ତିର୍ତ୍ତୋଲ ଦିଗଚ୍ଛପୁରର ଫକୀର ମୋହନ ସ୍ବାଇଁ। ମଞ୍ଚେଶ୍ବର ଥାନା ପୁଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦୁଇଟିକୁ ଜବତ କରିବା ସହ ଟ୍ରକ୍‌ ଚାଳକକୁ ଗିରଫ କରିଛି। ସେ ହେଉଛି ଏରସମା କିଆଡିଙ୍ଗିର ଶାରଦା ରାଉତରାୟ।

ହଂସପାଳ ଛକରେ ଆଜି ସକାଳ ୯ଟା ବେଳେ ଏହି ଦୁର୍ଘଟଣା ଘଟିଛି। ଫକୀର କଟକରୁ ନିଜ ହୋଣ୍ଡା ଆକ୍ଟିଭା(ଓଡି୩୩ଜେ-୮୧୩୯) ଯୋଗେ ଭୁବନେଶ୍ବର ଆସୁଥିବା ବେଳେ ପଛପଟୁ ଦ୍ରୁତଗତିରେ ଆସୁଥିବା ଟ୍ରକ୍‌ (ଓଡି୩୩ଭି-୯୪୯୯) ତାଙ୍କୁ ଧକ୍କା ଦେଇଥିଲା। ସେ ରାସ୍ତା ଉପରେ ପଡ଼ିଯିବା ପରେ ଟ୍ରକ୍‌ ତାଙ୍କ ମୁଣ୍ଡ ଉପରେ ଚଢ଼ି ଯାଇଥିଲା। ହେଲ୍‌ମେଟ କିଛି ଦୂରରେ ପଡ଼ିଥିବା ବେଳେ ଗାଡ଼ି କିଛି ଦୂରକୁ ଚାଲି ଯାଇଥିଲା। ରାସ୍ତା ସାରା ରକ୍ତ, ମାଂସ ପଡ଼ିଥିଲା। ଦୁର୍ଘଟଣା ପରେ ଏହି ପାର୍ଶ୍ବଟି ସମ୍ପୂର୍ଣ୍ଣ ବନ୍ଦ ହୋଇ ଯାଇଥିଲା। ଖବର ପାଇ ମଞ୍ଚେଶ୍ବର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରାଫିକ୍‌ ଶୃଙ୍ଖଳିତ କରିଥିଲା।

ଏହି ସ୍ଥାନରେ ବାରମ୍ବାର ଦୁର୍ଘଟଣା ଘଟିବା ନଜିର ରହିଛି। ବିଭାଗୀୟ ସମନ୍ବୟ ଅଭାବରୁ ରାସ୍ତା ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ଉପରେ ରୋକ୍‌ ଲଗା ଯାଇ ପାରୁନାହିଁ। ରାସ୍ତା ଦୁର୍ଘଟଣାକୁ ନେଇ ଗଠିତ ସୁପ୍ରିମକୋର୍ଟ କମିଟି ଏ ନେଇ ବାରମ୍ବାର ତାଗିଦ୍‌ କରୁଥିଲେ ମଧ୍ୟ ଅବସ୍ଥା ସୁଧୁରୁନାହିଁ।

ସମ୍ବନ୍ଧିତ ଖବର