ଶତାବ୍ଦୀର କଳାକାରର ପ୍ରତିଷ୍ଠା ଦିବସ, ନାଟକ ପରିବେଷଣ ଶୈଳୀ ପରିବର୍ତ୍ତନ ହେବା ଦରକାର

ଭୁବନେଶ୍ବର: ବର୍ତ୍ତମାନ ସମୟରେ ଓଡ଼ିଆ ନାଟକ ପରିବେଷଣ ଶୈଳୀ ପରିବର୍ତ୍ତନ ହେବା ଦରକାର। ଓଡ଼ିଆ ସାହିତ୍ୟରେ ବହୁ କାଳଜୟୀ ଗଳ୍ପ ଓ ଉପନ୍ୟାସ ରହିଛି। ସେଗୁଡ଼ିକୁ ନାଟ୍ୟ ରୂପ‌ ଦେଇ ରାଜ୍ୟର ନାଟ୍ୟାନୁଷ୍ଠାନଗୁଡ଼ିକ ପରିବେଷଣ କରିବା ଆବଶ୍ୟକ। ଓଡ଼ିଶାର ବରିଷ୍ଠ ନାଟ୍ୟକାରମାନେ ଏହା ଉପରେ ଗବେଷଣା କରି ଭଲ ଭଲ ନାଟକକୁ ସ୍ଥାନ ଦେବା ଦରକାର। ତାହା ହେଲେ ଜାତୀୟ ତଥା ଅନ୍ତର୍ଜାତୀୟସ୍ତରରେ ଓଡ଼ିଆ ନାଟକ ସୁନାମ ଅର୍ଜନ କରିପାରିବ। ଆଜି ଶତାବ୍ଦୀର କଳାକାରର ୪୪ତମ ପ୍ରତିଷ୍ଠା ଦିବସରେ ଯୋଗଦେଇ ଅତିଥିମାନେ ଏଭଳି ମତ ପ୍ରକାଶ କରିଛନ୍ତି।
ନୂଆପଲ୍ଲୀସ୍ଥିତ ବିଜୁ ନାଟ୍ୟ କେନ୍ଦ୍ରରେ ଅନୁଷ୍ଠିତ ଏହି ଉତ୍ସବ ପାଳନ ଅବସରରେ ‘ଜାତୀୟ ସ୍ତରରେ ଓଡ଼ିଆ ନାଟକର ସ୍ଥିତି’କୁ ନେଇ ଏକ ଆଲୋଚନାଚକ୍ର କରାଯାଇଥିଲା। ଅନୁଷ୍ଠାନର ସଭାପତି ଧୀରେନ୍ଦ୍ର ନାଥ ମଲ୍ଲିକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ମୁଖ୍ୟ ଅତିଥିଭାବେ ସଂସ୍କୃତି ସଚିବ ମନୋରଂଜନ ପାଣିଗ୍ରାହୀ ଯୋଗଦେଇ କହିଥିଲେ ଯେ ଓଡ଼ିଆ ନାଟକ ଅନ୍ୟ ନାଟକ ତୁଳନାରେ କିଛି କମ୍‌ ନୁହେଁ। ଏହାର ବିକାଶ ପାଇଁ ରାଜ୍ୟ ସରାକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏଥିପାଇଁ ଆର୍ଥିକ ସହାୟତା ମଧ୍ୟ ଯୋଗାଇ ଦିଆଯାଉଛି। ସମ୍ମାନିତ ଅତିଥି ଭାବେ ପୂର୍ବତନ ମୁଖ୍ୟ ଶାସନ ସଚିବ ସହଦେବ ସାହୁ ଯୋଗଦେଇ କହିଥିଲେ, ନାଟକରେ ଅଧିକରୁ ଅଧିକ ଯୁବପିଢ଼ି ସାମିଲ ହେବା ଦରକାର। ସେମାନଙ୍କୁ ସୁଯୋଗ ଦିଆଯାଇ ଏ ଦିଗରେ ଉତ୍ସାହିତ କରିବା ଦରକାର‌। କାର୍ଯ୍ୟକ୍ରମରେ ଅନ୍ୟତମ ସମ୍ମାନିତ ଅତିଥି ଭାବେ ବରିଷ୍ଠ ନାଟ୍ୟକାର ନବୀନ ପରିଡ଼ା, ପ୍ରବୋଧ ରଥ, ସତ୍ୟରଂଜନ ବେହେରା, ବରିଷ୍ଠ ସାହିତ୍ୟିକ ସୀତେଶ ତ୍ରିପାଠୀ, ବରିଷ୍ଠ ନାଟ୍ୟନିର୍ଦେଶକ ଚୌଧୁରୀ ଜୟପ୍ରକାଶ ଦାସ ଏବଂ ଓଡ଼ିଶା ସଂଗୀତ ନାଟକ ଏକାଡେମୀର ‌ସଂପାଦକ ବିଜୟ କୁମାର ଜେନା ଯୋଗଦେଇ ନିଜର ମତ ପୋଷଣ କରିଥିଲେ।

ସମ୍ବନ୍ଧିତ ଖବର