ସତ୍ୟବିହାରରେ ଘନଘନ ବିଦ୍ୟୁତ୍‌ କାଟ୍‌

ସତ୍ୟବିହାରରେ ଘନଘନ ବିଦ୍ୟୁତ୍‌ କାଟ୍‌

ଭୁବନେଶ୍ୱର: ପ୍ରଚଣ୍ଡ ଖରା ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଜନଜୀବନ ଅସ୍ତବ୍ୟସ୍ତ କରି ପକାଉଛି। ଗଛପତ୍ର ଅଭାବରୁ ପ୍ରାକୃତିକ ପବନ ଟିକେ ବି ଦେହରେ ବାଜୁନି। ଖାଲି ଯାହା କୁଲର୍‌, ଫ୍ୟାନ ଓ ଏସି ଉପରେ ଭରସା। କିନ୍ତୁ ଘନଘନ ବିଦ୍ୟୁତ୍‌ କାଟ ଯୋଗୁଁ ସେଗୁଡ଼ା ବି କାମରେ ଆସୁନି। ସୂର୍ଯ୍ୟଙ୍କ ପ୍ରକୋପ ସାଙ୍ଗକୁ ବିଜୁଳି ବିଭାଗ ସତ୍ୟବିହାର ଅଞ୍ଚଳବାସୀଙ୍କ ଉପରେ ଗଲା ଦେଢ଼ ମାସ ହେଲା ଏମିତି ଦାଉ ସାଧୁଛି। ଖରା ଦିନେ ଘନଘନ ବିଦ୍ୟୁତ୍‌ କାଟ୍‌ ଅଞ୍ଚଳବାସୀଙ୍କୁ ନାକେଦମ୍‌ କଲାଣି। ସହର ଉପକଣ୍ଠରେ ଥିବା ସତ୍ୟବିହାର ଅଞ୍ଚଳରେ ପ୍ରାୟ ୫ ହଜାରରୁ ଅଧିକ ଲୋକ ରହୁଛନ୍ତି। କିନ୍ତୁ ରାଜଧାନୀର ଏହି ଅଞ୍ଚଳ କୌଣସି ଅପହଞ୍ଚ ଗାଁଠାରୁ ବି କମ୍‌ ନୁହେଁ। ରାଜଧାନୀରେ ବିଦ୍ୟୁତ୍‌ କାଟ୍‌ ହେବ ନାହିଁ ବୋଲି ସରକାରୀ ଭାବେ ଘୋଷଣା କରାଯାଇଛି। କିନ୍ତୁ ଏ ନେଇ ସେସୁ କର୍ତୃପକ୍ଷଙ୍କ ବେପରୁଆ ନୀତି ଲୋକଙ୍କୁ ଗରମରେ ଆଉଟୁ ପାଉଟୁ ହେବାକୁ ବାଧ୍ୟ କରୁଛି। ପାଗ ଶୁଖିଲା ଥିବା ବେଳେ ଦିନକୁ ୧୦/୧୨ ଥର ବିଦ୍ୟୁତ୍‌ କାଟ୍‌ ହେଉଥିବା ବେଳେ ବର୍ଷା ପବନ ହେଲେ କଥା ସରିଲା। ଟିକେ ପବନ ହେଉ ହେଉ ଅଞ୍ଚଳର ବିଦ୍ୟୁତ୍‌ ଦୀର୍ଘ ସମୟ ଧରି କାଟ କରାଯାଉଛି ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ସତ୍ୟବିହାର ୟୁଥ୍‌ କ୍ଲବ୍‌ର ସମ୍ପାଦକ ମୁନ୍ନା ପାତ୍ର କହନ୍ତି, ଦିନ-ରାତି କିଛି ନାହିଁ; ଯେତେବେଳେ ଇଚ୍ଛା ସେତେବେଳେ ଲାଇନ୍‌ କାଟୁଛନ୍ତି। ପୁଣି ଅଧିକାଂଶ ସମୟ ଭୋଲ୍‌ଟେଜ ବି ରହୁନାହିଁ। ଏସି ଛାଡ଼, ଫ୍ୟାନ ବି ଚାଲିବା କଷ୍ଟକର ହୋଇପଡ଼େ। ଏହି ସମସ୍ୟା ଆଜିର ନୁହେଁ, ଦେଢ଼ ମାସ ହେଲା ଏହିଭଳି ଆମେ ଭୋଗି ଚାଲିଛୁ ବୋଲି ଶ୍ରୀ ପାତ୍ର କହିଛନ୍ତି। ସ୍ଥାନୀୟ ବାସିନ୍ଦା ଜ୍ୟୋତି ରଞ୍ଜନ ରାଉତରାୟ କହନ୍ତି, ଲାଇନ୍‌ ଯିବା ଏହି ଅଞ୍ଚଳର ନିତିଦିନିଆ ସମସ୍ୟା। ଏହା ଦେହସୁହା ବି ହୋଇଗଲାଣି। ବିଦ୍ୟୁତ୍‌ କାଟ୍‌ ହେଲେ ଇଲେକ୍ଟ୍ରି ଅଫିସ୍‌କୁ ଫୋନ୍‌ କଲେ, କେହି ଉଠାନ୍ତିନି। ଯଦି ବି କେତେବେଳେ ଉଠାନ୍ତି, ତେବେ ସେଠାରୁ କିଛି ଉତ୍ତର ମିଳେନି। କିନ୍ତୁ ଏହି ଅଭିଯୋଗକୁ ରସୁଲଗଡ଼ ସେସୁର କନିଷ୍ଠ ଯନ୍ତ୍ରୀ ଛବିଳ ସ୍ଵାଇଁ ଅସ୍ଵୀକାର କରିଛନ୍ତି। ସତ୍ୟବିହାର ଅଞ୍ଚଳରେ ବିଦ୍ୟୁତ୍‌ କାଟ ହୁଏ ନାହିଁ।

ସମ୍ବନ୍ଧିତ ଖବର