ସବୁ ଥାଇ କିଛି ନାହିଁ : ସମସ୍ୟା ଘେରରେ କଳିଙ୍ଗ ବିହାର କେ-୬ ବାସିନ୍ଦା

ନିଜ କଲୋନି ପ୍ରତି ବି ବିଡିଏର ବୈମାତୃକ ମନୋଭାବ

ଭୁବନେଶ୍ୱର : ରାସ୍ତାଘାଟ ଅଛି, କିନ୍ତୁ ଖାଲଖମାରେ ଭର୍ତ୍ତି। ଷ୍ଟ୍ରିଟ୍‌ ଲାଇଟ୍‌ ଲାଗିଛି, କିନ୍ତୁ ଅଧିକାଂଶ ଅଞ୍ଚଳ ଅନ୍ଧାର। ଅବସର ବିନୋଦନ ପାଇଁ ପାର୍କ ଅଛି, କିନ୍ତୁ ଅସଜଡ଼ା। ମାର୍କେଟ୍‌ କମ୍ପ୍ଲେକ୍ସ ନିର୍ମାଣ ହୋଇଛି, କିନ୍ତୁ ଦୋକାନ ଖୋଲୁନି। କମ୍ୟୁନିଟି ସେଣ୍ଟର୍‌ ନିର୍ମାଣ ଆରମ୍ଭ ହୋଇଛି, କିନ୍ତୁ କାମ ସରୁନି। ଏହା ହେଉଛି ରାଜଧାନୀର ଅନ୍ୟତମ ବୃହତ୍‌ ଆବାସିକ ଅଞ୍ଚଳ କଳିଙ୍ଗ ବିହାରର କେ-୬ର ସମସ୍ୟା। ସବୁ ଥାଇ ବି କିଛି ନ ଥିଲା ପରି ଅନୁଭବ କରୁଛନ୍ତି ସ୍ଥାନୀୟ ଅଧିବାସୀ। କାରଣ ସହରରେ ବଞ୍ଚିବା ପାଇଁ ଯେତିକି ମୌଳିକ ଆବଶ୍ୟକତା ରହିଛି, ତାହା ପୂରଣ ହୋଇପାରୁ ନାହିଁ। ଖୋଦ୍‌ ବିଡିଏ ପକ୍ଷରୁ ଏହି ଅଞ୍ଚଳଟି ନିର୍ମାଣ କରାଯାଇଥିଲେ ବି ଲୋକମାନେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିଡିଏ ଅଧିକାରୀମାନେ ସବୁ ଜାଣି ନ ଜାଣିଲା ପରି ରହିଯାଉଛନ୍ତି।

କଳିଙ୍ଗ ବିହାର କେ-୬ ଅଞ୍ଚଳର ରାସ୍ତା ଘାଟର ଅବସ୍ଥା ବହୁତ ଶୋଚନୀୟ। ଅଧିକାଂଶ ରାସ୍ତା ଖାଲଖମାରେ ଭର୍ତ୍ତି। ସ୍ଥାନୀୟ ଲୋକମାନେ ଏଥି ପାଇଁ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଠାରେ ସ୍ୱେରେଜ ବ୍ୟବସ୍ଥା ଠିକ୍‌ ନାହିଁ। ଏହାକୁ ବ୍ୟବସ୍ଥିତ କରିବା ପାଇଁ କୁହାଯାଉଥିଲେ ବି ତାହା ହୋଇପାରି ନାହିଁ। ଏହି ଅଞ୍ଚଳରେ କିଛି ସ୍ଥାନରେ ଷ୍ଟ୍ରିଟ୍‌ ଲାଇଟ୍‌ ଲାଗିଛି। କିନ୍ତୁ ତାହାର ପରିମାଣ କମ୍‌ ଥିବାରୁ ବହୁ ସ୍ଥାନ ଅନ୍ଧାରରେ ରହୁଛି। ଫଳରେ ସନ୍ଧ୍ୟାରେ ବିଭିନ୍ନ ସମୟରେ ଅଘଟଣ ଘଟୁଥିବାର ଅଭିଯୋଗ ହେଉଛି। ଲୋକସଂଖ୍ୟା ବୃଦ୍ଧି ପାଉଥିବାରୁ କେ-୬ ଅଞ୍ଚଳରେ ବିଡିଏ ପକ୍ଷରୁ ଏକ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରାଯାଇଥିଲା। ବହୁ ଦିନ ହେବ ଏହାର କାମ ସରିଥିଲେ ବି ଦୋକାନ ଖୋଲିବା ପାଇଁ କାହାକୁ ଅନୁମତି ମିଳୁ ନାହିଁ। ଟେଣ୍ଡର୍‌ ପ୍ରକ୍ରିୟା ହୋଇ ନ ଥିବାରୁ ଦୋକାନ ଖୋଲିପାରୁ ନାହିଁ ବୋଲି କୁହାଯାଉଛି। ଫଳରେ ମାର୍କେଟ୍‌ କମ୍ପ୍ଲେକ୍ସଟି ଅଞ୍ଚଳବାସୀଙ୍କ କାମରେ ଆସିପାରୁ ନାହିଁ। ସେମିତି ଲୋକମାନେ ତାଙ୍କ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ପାଇଁ ଦୂରକୁ ଯାଉଛନ୍ତି।  ଅଞ୍ଚଳବାସୀଙ୍କ ମନୋରଞ୍ଜନ ପାଇଁ ଦୁଇଟି ପାର୍କ ନିର୍ମାଣ ହୋଇଛି। କିନ୍ତୁ ଏହା ଭିତରକୁ ପଶିଗଲେ ଜଙ୍ଗଲର ଭ୍ରମ ସୃଷ୍ଟି ହେଉଛି। ନା ବସିବା ପାଇଁ ଭଲ ଜାଗା ଅଛି ନା ପିଲାଙ୍କ ପାଇଁ ଖେଳ ସାମଗ୍ରୀ। କେଉଁଠି ଉଈ ହୁଙ୍କା ମାଡ଼ିଗଲାଣି ତ କେଉଁଠି ଗଛ ବଡ଼ ହୋଇ ଜଙ୍ଗଲ ସୃଷ୍ଟି ହେଲାଣି। ଏଠାରେ ଏକ କମ୍ୟୁନିଟି ହଲ୍‌ ପାଇଁ ଲୋକମାନେ ଦୀର୍ଘ ଦିନ ଦାବି କଲା ପରେ ବିଡିଏ ପକ୍ଷରୁ ତାହାର ନିର୍ମାଣ ଆରମ୍ଭ ହେଲା। କିନ୍ତୁ ଅଧପନ୍ତରିଆ ଭାବେ ତାହା ରହିଯାଇଛି।

କେ-୬ ଅଞ୍ଚଳରେ ଆଉ ଏକ ସଙ୍ଗିନ୍‌ ସମସ୍ୟା ସୃଷ୍ଟି କରୁଛି ଅର୍ଦ୍ଧନିର୍ମିତ ବାସଗୃହ। ଏଠାରେ ପ୍ରାୟ ୫୦ଟି ଅର୍ଦ୍ଧନିର୍ମିତ ବାସଗୃହ ରହିଛି। ଏହି ବାସଗୃହଗୁଡ଼ିକ କଲୋନିର ସୌନ୍ଦର୍ଯ୍ୟକୁ ନଷ୍ଟ କରୁଥିବା ବେଳେ ଅସାମାଜିକ ଲୋକଙ୍କ ଆଡ଼ାସ୍ଥଳୀ ପାଲଟିଛି। ଲୋକଙ୍କ କହିବା ଅନୁଯାୟୀ ଯଦି ବିଡିଏ ଏହି ଘରମାଲିକମାନଙ୍କୁ ଏକ ନିର୍ଦ୍ଧାରିତ ସମୟ ମଧ୍ୟରେ ନିର୍ମାଣ ଶେଷ କରିବା ପାଇଁ ନିର୍ଦ୍ଦେଶ ଦିଅନ୍ତା, ତେବେ ସମସ୍ୟା ସମାଧାନ ହୋଇଯା’ନ୍ତା। ସେହିପରି କେ-୪ ରୁ କେ-୫, କେ-୪ରୁ କେ-୬ ଅଞ୍ଚଳଗୁଡ଼ିକ ସିଧାସଳଖ ଜାତୀୟ ରାଜପଥକୁ ସଂଯୋଗ କରୁଛି। କିନ୍ତୁ ଏଠାରେ ଟ୍ରାଫିକ ପୋଷ୍ଟ ନ ଥିବାରୁ ଚାରି ପଟୁ ମନଇଚ୍ଛା ଗାଡ଼ିଗୁଡ଼ିକ ଆସୁଛନ୍ତି। ଫଳରେ ପ୍ରତିଦିନ ଛୋଟ ଛୋଟ ଦୁର୍ଘଟଣା ଘଟୁଛି। ତେଣୁ ଏହି ରାସ୍ତା ପାଇଁ ଏକ ଟ୍ରାଫିକ ପୋଷ୍ଟ୍‌ର ଆବଶ୍ୟକତା ରହିଛି ବୋଲି କେ-୬ ଆବାସିକ ସଂଘର ସମ୍ପାଦକ ବିଭୁପ୍ରସାଦ ମିଶ୍ର ଓ ପୂର୍ବତନ ସଂପାଦକ ବି.ଡି. ସ୍ୱାଇଁ କହିଛନ୍ତି।

ସମ୍ବନ୍ଧିତ ଖବର