ସାବଧାନ! ମାତିଛନ୍ତି ଲୁଟେରା : ଝରକା ତାଡ଼ି ଲୁଟିଲେ ୧୨ଲକ୍ଷ ଟଙ୍କାର ସୁନାଗହଣା

ଚନ୍ଦ୍ରଶେଖରପୁର ଅଞ୍ଚଳରେ ବଢ଼ୁଛି ଲୁଟ୍‌ପାଟ୍‌

ଚନ୍ଦ୍ରଶେଖରପୁର : ଘରେ କେବଳ ମହିଳା କିମ୍ବା ବରିଷ୍ଠ ନାଗରିକ ରହୁଥିଲେ, ସାବଧାନ! ଚନ୍ଦ୍ରଶେଖରପୁର ଅଞ୍ଚଳରେ ଲୁଟେରାଙ୍କ ଉତ୍ପାତ ବଢ଼ିଚାଲିଛି। ଅଳ୍ପଦିନ ତଳେ ନୀଳାଦ୍ରିବିହାର ଜିଏ ପ୍ଲଟ୍‌ ଅଞ୍ଚଳର ଏକ ଘରୁ ଲୁଟ୍‌ ହୋଇଥିବା ବେଳେ ମଙ୍ଗଳବାର ବିଳମ୍ବିତ ରାତିରେ ନୀଳାଦ୍ରି ଆପାର୍ଟମେଣ୍ଟ୍‌ ପଛ ପଟେ ଥିବା ପ୍ଲଟ୍‌ ନଂ-୩୧୧/୨୬୮୫ ଘରୁ ପ୍ରାୟ ୧୨ଲକ୍ଷରୁ ଊର୍ଧ୍ୱ ଟଙ୍କାର ସୁନା, ରୁପା ଅଳଙ୍କାର ସହିତ ନଗଦ ଆଠ ହଜାର ଟଙ୍କା ଲୁଟ୍‌ ହୋଇଛି। ଲୁଟ୍‌ ହୋଇଥିବା ପରିବାରର ମୁଖ୍ୟ ସର୍ବେଶ୍ୱର ରାଉତରାୟ ବାଲେଶ୍ୱରରେ ଚାକିରି କରନ୍ତି। ନୀଳାଦ୍ରିବିହାରସ୍ଥିତ ଭଡ଼ା ଘରେ ତାଙ୍କ ସ୍ତ୍ରୀ ତରଙ୍ଗ ମଂଜରୀ ଦାସ, ମା’ ଓ ଝିଅ ରୁହନ୍ତି।

ମଙ୍ଗଳବାର ରାତି ପ୍ରାୟ ୨ଟା ପର୍ଯ୍ୟନ୍ତ ତାଙ୍କ ଝିଅ ପାଠ ପଢ଼ୁଥିଲେ। ତେଣୁ ଚୋରି ରାତି ୨ଟା ପରେ ହୋଇଥିବା ତରଙ୍ଗ ମଂଜରୀ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଛନ୍ତି। ଘରେ କେବଳ ଦୁଇ ଜଣ ମହିଳା ଓ ଜଣେ ଝିଅ ରହୁଥିବା ସୂଚନା ନେଇ ଏପରି ଚୋରି କରାଯାଇଥିବା ଅନୁମାନ କରାଯାଉଛି। ଲୁଟେରାମାନେ ବାଥରୁମ୍‌ ଝରକା ତାଡ଼ି ଭିତରକୁ ପଶିଥିଲେ। ସମସ୍ତେ ନିଦରେ ଶୋଇଥିବା ସୁଯୋଗରେ ଆଲମାରି ତାଡ଼ି ଟଙ୍କା ଓ ସବୁ ଗହଣା ଚୋରି କରିଥିବା ଅଭିଯୋଗ ହୋଇଛି। ଲୁଟେରାମାନେ ଏହି ଘର ସହିତ ପାଖ ଘରୁ ମଧ୍ୟ ଲୁଟ୍‌ ଉଦ୍ୟମ କରିଥିଲେ। ମାତ୍ର ବିଫଳ ହୋଇଥିଲେ। ପାଖ ଘରେ କେହି ନଥିବାର ସଂପର୍କରେ ଲୁଟେରାମାନେ ଜାଣିବାକୁ ପାଇଥିଲେ। ମାତ୍ର ସେ ଘରଟିର ତାଲା ଭାଙ୍ଗି ନଥିଲା।

ଚନ୍ଦ୍ରଶେଖରପୁର ଓ ଇନଫୋସିଟି ଥାନା ଅଞ୍ଚଳରେ ଗତ କିଛି ଦିନ ହେବ ଘରେ ପଶି ଚୋରି ଓ ଛିନ୍‌ତାଇ ବୃଦ୍ଧି ଘଟିଛି। କାନନବିହାର ଅଞ୍ଚଳରୁ ଜଣେ ବରିଷ୍ଠ ନାଗରିକଙ୍କ ଘରେ ପଶି ଲକ୍ଷାଧିକ ଟଙ୍କାର ସୁନା ଗହଣା ଚୋରିରୁ ଆରମ୍ଭ କରି ଜିଏ ପ୍ଲଟ୍‌ରୁ ଚୋରି, ଦିନ ଦ୍ୱିପ୍ରହରରେ କଳା ପଲ୍‌ସରରେ ଛିନ୍‌ତାଇ ଜନସାଧାରଣଙ୍କୁ ଆତଙ୍କିତ କରିଛି। ବିଶେଷକରି ବରିଷ୍ଠ ନାଗରିକ ଓ ମହିଳାମାନେ ରହୁଥିବା ଘରକୁ ଟାର୍ଗେଟ କରୁଛନ୍ତି ଲୁଟେରା। ଚନ୍ଦ୍ରଶେଖରପୁର ଥାନା ପୁଲିସ୍‌ ସାଇଣ୍ଟିଫିକ୍‌ ଟିମ୍‌ ସହ ତଦନ୍ତ କରିଛି। ମାତ୍ର ଘଟଣାସ୍ଥଳରୁ କୌଣସି ସୁରାକ୍‌ ପୁଲିସକୁ ମିଳିନି। ତେବେ ଏହି ଘଟଣାକୁ ଗୁରୁତର ସହିତ ନେଇଛି ପୁଲିସ୍‌। ଏହି ଅଞ୍ଚଳରେ ଚୋରି ବଢ଼ି ଚାଲିଥିବାରୁ ପୁଲିସ୍‌ ପାଇଁ ଚିନ୍ତାର କାରଣ ହୋଇଛି।

ନିଶା ସ୍ପ୍ରେ’ ବ୍ୟବହାର ହୋଇଥିବା ସନ୍ଦେହ

ଲୁଟେରାମାନେ ନିଶା ସ୍ପ୍ରେ ବ୍ୟବହାର କରି ଏପରି ଚୋରି କରିଥିବା ସନ୍ଦେହ କରାଯାଉଛି। ତରଙ୍ଗ ମଂଜରୀଙ୍କ ଅଭିଯୋଗ ଅନୁଯାୟୀ ତାଙ୍କ ଶାଶୂ ସବୁଦିନ ରାତି ସାଢ଼େ ଚାରିଟାରେ ଉଠନ୍ତି, ମାତ୍ର ଆଜି ସେ ପ୍ରାୟ ୩ ଘଣ୍ଟା ବିଳମ୍ବରେ ଉଠିଥିଲେ। ଉଠିବା ପରେ ସେ ସାମାନ୍ୟ ଅସୁସ୍ଥ ଅନୁଭବ କରୁଥିବା ପ୍ରକାଶ କରିଥିଲେ। ସେହିପରି ନିଜେ ତରଙ୍ଗ ମଂଜରୀ ଓ ତାଙ୍କ ଝିଅ ମଧ୍ୟ ପ୍ରତିଦିନ ଉଠୁଥିବା ସମୟଠାରୁ ଆଜି ଯଥେଷ୍ଟ ବିଳମ୍ବରେ ଉଠିଛନ୍ତି। ତେଣୁ ଲୁଟେରାମାନେ କେହି ଉଠିପଡ଼ିବା ଅଶଙ୍କା କରି ସ୍ପ୍ରେ ବ୍ୟବହାର କରିଥିବା ଅଭିଯୋଗକାରିଣୀ ପୁଲିସ୍‌ ଆଗରେ ପ୍ରକାଶ କରିଛନ୍ତି।

ଛାଡ଼ି ଯାଇଛନ୍ତି ଲୁଟ୍‌ରେ ବ୍ୟବହୃତ ସାମଗ୍ରୀ

ଲୁଟେରାମାନେ ଲୁଟ୍‌ରେ ବ୍ୟବହୃତ ସାମଗ୍ରୀ ଘଟଣାସ୍ଥଳରେ ଛାଡ଼ି ଚାଲିଯାଇଛନ୍ତି। ଲୁହା ରଡ୍‌ ସହିତ କାଠ କାମରେ ବ୍ୟବହୃତ ହେଉଥିବା ବିଭିନ୍ନ ସାମଗ୍ରୀ ସହାୟତାରେ ଲୁଟେରା ମାନେ ଲୁଟ୍‌ କରିଥିବା ସନ୍ଦେହ କରାଯାଉଛି। ବଟାଳି, ସେଣି, ଛୁରି ଆଦି ଲୁଟ୍‌ ସ୍ଥାନରେ ମିଳିଥିଲା। ପୁଲିସ୍‌ ଏହିସବୁ ସାମଗ୍ରୀକୁ ଜବତ କରିଛି। ଏହି ଲୁଟ୍‌ ବର୍ତମାନ ସାଧାରଣରେ ଆତଙ୍କ ଖେଳାଇଦେଇଛି।

ସମ୍ବନ୍ଧିତ ଖବର