ସ୍ବଚ୍ଛ ଐତିହ୍ୟର ସଂକଳ୍ପ

ଭୁବନେଶ୍ବର: ବଦଳୁଛି ଖଣ୍ଡଗିରିର ରୂପରେଖ। ୧୫ ବର୍ଷ ଧରି ଡମ୍ପିଂୟାର୍ଡ‌ ପାଲଟିଥିବା ଏହି ଐତିହ୍ୟର ପରିସର ଆବର୍ଜନାମୁକ୍ତ ହୋଇଛି। ଦିନେ ବେରୋଜଗାରିଆ ପୁଅ ଭଳି ପାତରଅନ୍ତରର ଶିକାର ହୋଇ ଅସ୍ତିତ୍ବ ହରାଇବା ସ୍ଥିତିରେ ପହଞ୍ଚିଥିବା ବେଳେ ଏହାକୁ ପୁନରୁଦ୍ଧାର କରିବା ପାଇଁ ଓହ୍ଲାଇ ଆସିଛନ୍ତି କିଛି ସଚେତନ ବ୍ୟକ୍ତିବିଶେଷ। ଲୋକ ଦେଖାଣିଆ ଭାବେ ଗୋଟେ ଦିନ ସଫା କରିଦେଇ ସେମାନେ ଚୁପ୍‌ ବସି ଯାଇନାହାନ୍ତି, ବରଂ ନିୟମିତ ଭାବେ ପରିସରକୁ ସଫା ରଖିବାର ସଂକଳ୍ପ ନେଇ କାମ କରୁଛନ୍ତି। ରାତି ପାହିଲେ, ଖଣ୍ଡଗିରି ପାହାଡ଼ ପାଖେ ହାଜର ହୋଇଯାଉଛନ୍ତି। ସବୁଠୁ ବଡ଼ କଥା ହେଉଛି, ସେମାନେ କେବଳ ଅନ୍ଧ ଭଳି ପରିସରକୁ ସଫାସୁତରା କରିବାରେ ମାତି ନାହାନ୍ତି, ବରଂ ଏଏସ୍‌ଆଇ ଓ ବିଏମ୍‌ସି କାର୍ଯ୍ୟାଳୟରେ ଅଧିକାରୀଙ୍କ ସହ ଆଲୋଚନା କରି ଦୀର୍ଘସୂତ୍ରୀ ସ୍ବଚ୍ଛତା ବାବଦରେ ଆଲୋଚନା କରି ବହୁ ପ୍ରସ୍ତାବ ଦେଇଛନ୍ତି। ଓଡ଼ିଶା ପରିବେଶ ସମିତି ପକ୍ଷରୁ ‘ସ୍ବଚ୍ଛ ଓ ସବୁଜ ଭୁବନେଶ୍ବର’ ଅଭିଯାନର ଏହି ସଂକଳ୍ପ ଏବେ ସବୁ ମହଲରେ ପ୍ରଶଂସା ସାଉଁଟିଛି। ସମିତିର ସଭାପତି ଡ. ସୁନ୍ଦର ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ୩ଟି ସଂକଳ୍ପ ସହ ପ୍ରାୟ ୫୦ରୁ ଅଧିକ ସ୍ବେଚ୍ଛାସେବୀ ଏଥିରେ ସାମିଲ୍‌ ହୋଇଛନ୍ତି। ସକାଳ ହେଲେ, ଅନ୍ୟମାନେ ପାର୍କରେ ଯାଇ ବ୍ୟାୟାମ କରି ଝାଳ ବୁହାଉଥିବା ବେଳେ ଏହି ସ୍ବେଚ୍ଛାସେବୀମାନେ ସକାଳେ ଐତିହ୍ୟର ସ୍ବଚ୍ଛତା ପାଇଁ ଝାଡ଼ୁ କୋଦାଳ ଧରି ଝାଳ ବୁହାଉଛନ୍ତି। ସାମିଲ୍ ହୋଇଥିବା ସମସ୍ତ ବ୍ୟକ୍ତିବ‌ିଶେଷ ବହୁ ବଡ଼ବଡ଼ ସରକାରୀ ଓ ବେସରକାରୀ ପଦବୀରୁ ଅବସର ନେଇଥିବା ବେଳେ ମହିଳା ଓ ଯୁବକମାନେ ମଧ୍ୟ କିଛି ସଂଖ୍ୟାରେ ଯୋଡ଼ି ହେଉଛନ୍ତି। ଏହି ଅଭିଯାନର ସଂଯୋଜକ ମନୋରଂଜନ ମିଶ୍ର କହିଛନ୍ତି, ଯେବେ ସ୍ବଚ୍ଛତା ରେଟିଂରେ ରାଜଧାନୀ ପଛରେ ରହିଲା, ତାହା ଆମକୁ ଆନ୍ଦୋଳିତ କରିଥିଲା। ସେବେଠୁ ଏହି ଅଭିଯାନ ନେଇ ଚିନ୍ତା କରିଥିଲୁ। ମୁଖ୍ୟତଃ ୩ଟି ଲକ୍ଷ୍ୟ ରଖି ଆମେ ଅଗ୍ରସର ହେଉଛୁ। ଐତିହ୍ୟ କୀର୍ତିରାଜିକୁ ପ୍ଲାଷ୍ଟିକ୍‌ ମୁକ୍ତ ସହ ସମ୍ପୂର୍ଣ୍ଣ ସଫା ସୁତରା ରଖିବା, ସହରକୁ ସବୁଜ କରିବା ଏବଂ ସହରର ଜଳାଶୟଗୁଡ଼ିକୁ ପୁନରୁଦ୍ଧାର କରିବା। ସଂଯୋଜକ ଡ. ପ୍ରଦୀପ ରଥ, ଡ. ନାରାୟଣ ତ୍ରିପାଠୀ, ରଘୁନାଥ ପୃଷ୍ଟିଙ୍କ ତତ୍ତ୍ବାବଧାନରେ ଏହି କାର୍ଯ୍ୟକ୍ରମ ଚାଲିଛି। ଆସନ୍ତା ଦିନମାନଙ୍କରେ ଅନ୍ୟ ଐତିହ୍ୟସ୍ଥଳ ସମେତ ମେଡିକାଲ୍‌, ଜଳାଶୟକୁ ସ୍ବଚ୍ଛ ଓ ସବୁଜ କରିବା ସହ ଭୁବନେଶ୍ବରର ଗୌରବ ବଢ଼ାଇବା ମୁଖ୍ୟ ଲକ୍ଷ୍ୟ ବୋଲି ଡ. ରଥ କହିଛନ୍ତି।

ଏଏସ୍‌ଆଇର ମାତ୍ର ୪ଜଣ କର୍ମଚାରୀ ଖଣ୍ଡଗିରି ଓ ଉଦୟଗିରି ପାଇଁ ନିୟୋଜିତ ହୋଇଥିବାରୁ ଏଭଳି ଏକ ବିଶାଳ ଐତହ୍ୟ କ୍ଷେତ୍ର ଅବହେଳିତ ହୋଇପଡ଼ି ରହିଥିଲା। ବାସ୍ତବରେ ଅସଜଡ଼ା ପରିସର, ମୁକୁଳା ପରିବେଶ, ବିନା ଟିକେଟ୍‌ରେ ପ୍ରବେଶ ସୁବିଧା ଏବଂ ଅନ୍ଧାରର ଫାଇଦା ନେଇ ଏଠାରେ ଅସମାଜିକଙ୍କ ଆଡ୍ଡା ଜମୁଥିବା ବେଳେ ଏବେ ପରିଚ୍ଛନ୍ନ ହେବା ପରେ ଏଏସ୍‌ଆଇ ଖଣ୍ଡଗିରି ଐତିହ୍ୟକୁ ନେଇ ଯୋଜନା କରିଛି। ସବୁ ଠିକ୍‌ଠାକ୍‌ ଚାଲିଲେ ଖଣ୍ଡଗିରି ବିଶ୍ବ ଐତିହ୍ୟ ମାନ୍ୟତା ପାଇବ ବୋଲି ମଧ୍ୟ ସ୍ବେଚ୍ଛାସେବୀମାନେ ଆଶା ବାନ୍ଧିଛନ୍ତି।

ସମ୍ବନ୍ଧିତ ଖବର