୨୮ ପୂର୍ବରୁ ବନ୍ଧୁକ ଦାଖଲ କର, ରଦ୍ଦ ହୋଇପାରେ ଲାଇସେନ୍‌ସ !

ଭୁବନେଶ୍ବର: ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ନିର୍ବାଚନ ଆୟୋଗ ବନ୍ଧୁକଧାରୀଙ୍କଠାରୁ ବନ୍ଧୁକ ସଂଗ୍ରହ ପାଇଁ କମିସନରେଟ୍‌ ପୁଲିସକୁ ନିର୍ଦେଶ ଦେଇଛନ୍ତି। ଏପରି ନିର୍ଦେଶ ଆସିବା ପରେ କମିସନରେଟ୍‌ ପୁଲିସ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ୨୮ ତାରିଖ ପୂର୍ବରୁ ଥାନାରେ ବନ୍ଧକୁ ଦାଖଲ କରିବାକୁ କମିସନ୍‌ରେଟ୍‌ ପୁଲିସ ପକ୍ଷରୁ କୁହାଯାଇଛି। ସୂଚନା ଅନୁଯାୟୀ, ୧୬୯୩ ଲାଇସେନ୍‌ସପ୍ରାପ୍ତ ବନ୍ଧୁକଧାରୀଙ୍କୁ ଏପରି ନିର୍ଦେଶ ଦିଆଯାଇଛି। ତାଲିକାରେ ରାଜଧାନୀର କେତେକ ସିକ୍ୟୁରିଟି ସଂସ୍ଥା, ବ୍ୟକ୍ତି ବିଶେଷ, ରାଜନେତା, ଶିଳ୍ପପତିଙ୍କ ନାଁ ରହିଛି। ଡିସିପିଙ୍କ କାର୍ଯ୍ୟାଳୟରେ ଆୟୋଜିତ ଏକ ସଭାରେ ଡିସିପି ଅନୁପ ସାହୁ ସମସ୍ତ ଥାନା ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି। ଯେଉଁ ଥାନା ଅଧୀନରେ ଯେତେ ବନ୍ଧୁକ ରହିଛି, ସେମାନଙ୍କୁ ତୁରନ୍ତ ନୋଟିସ୍‌ ଦେବାକୁ କୁହାଯାଇଛି। ଯେଉଁମାନେ ନିର୍ଧାରିତ ତାରିଖ ସୁଦ୍ଧା ବନ୍ଧୁକ ଦାଖଲ ନ କରିବେ, ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ। ଦରକାର ପଡ଼ିଲେ, ଲାଇସେନ୍‌ସ ରଦ୍ଦ କରାଯିବ ବୋଲି ସୂଚନା ଦିଆଯାଇଛି। ସହିଦନଗର, ନୂଆପଲ୍ଲୀ, ଖଣ୍ଡଗିରି, ବଡ଼ଗଡ଼, ଚନ୍ଦ୍ରଶେଖରପୁର, ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ବନ୍ଧୁକଧାରୀଙ୍କ ସଂଖ୍ୟା ଅଧିକ ଥିବା ବେଳେ କ୍ୟାପିଟାଲ୍‌, ଲିଙ୍ଗରାଜ, ଧଉଳି, ମ‌ଞ୍ଚେଶ୍ବର, ବାଲିଅନ୍ତା, ବାଲିପାଟଣା ଅଦି ଥାନା ଅଞ୍ଚଳରେ ମଧ୍ୟ ସଂଖ୍ୟାଧିକ ବନ୍ଧୁକଧାରୀ ଥିବା ଜଣାପଡ଼ିଛି। ସହିଦନଗର ଥାନାରେ ୨୩୧ଜଣ ଲାଇସେନ୍‌ସପ୍ରାପ୍ତ ହୋଇଥିବା ବେଳେ ୨୫୦ଟି ବନ୍ଧୁକ ରହିଛି। ସେହିପରି ନୂଆପଲ୍ଲୀ ଥାନାରେ ୧୯୨ ଜଣଙ୍କୁ ଲାଇସେନ୍‌ସ ମିଳିଥିବା ବେଳେ ୨୭୫ଟି ବନ୍ଧୁକ, ଖଣ୍ଡଗିରି ଥାନାରେ ୧୨୬ଜଣଙ୍କୁ ଲାଇସେନ୍‌ସ ମିଳିଥିବା ବେଳେ ୧୪୦ଟି ବନ୍ଧୁକ, ବଡ଼ଗଡ଼ ଥାନାରେ ୧୧୦ଜଣଙ୍କୁ ଲାଇସେନ୍‌ସ ମିଳିଥିବା ବେଳେ ୧୨୬ଟି ବନ୍ଧୁକ, ଚନ୍ଦ୍ରଶେଖରପୁର ଥାନାରେ ୧୦୬ଜଣଙ୍କୁ ଲାଇସେନ୍‌ସ ମିଳିଥିବା ବେଳେ ୧୨୬ଟି ବନ୍ଧୁକ ରହିଛି। ବାଲିଅନ୍ତା ଥାନାରେ ୫୪ଜଣଙ୍କୁ ଲାଇସେନ୍ସ ମିଳିଥିବା ବେଳେ ବାଲିପାଟଣା ଓ ଚନ୍ଦକା ଥାନା ଅଞ୍ଚଳରେ ୩୫ଜଣଙ୍କୁ ଲାଇସେନ୍‌ସ ମିଳିଛି। ମଞ୍ଚେଶ୍ବର ଥାନାରେ ୩୫ ଜଣଙ୍କୁ ଲାଇସେନ୍‌ସ ମିଳିଥିବା ବେଳେ ୪୮ଟି ବନ୍ଧୁକ ରହିଛି। ତମାଣ୍ଡୋ ଥାନାରେ ୧୮ଜଣଙ୍କୁ, ଧଉଳି ଥାନାରେ ୧୨ ଜଣଙ୍କୁ ଓ ନନ୍ଦନକାନନ ଥାନାରେ ୫ଜଣଙ୍କୁ ଲାଇସେନ୍‌ସ ମିଳିଛି। ତେବେ ଏୟାରପୋର୍ଟ ଥାନାରେ ଜଣଙ୍କୁ ଲାଇସେନ୍‌ସ ମିଳିଥିବା ବେଳେ କେହି ବନ୍ଧୁକ ରଖିନାହାନ୍ତି। ଦାଖଲ ପରେ ଯେଉଁମାନଙ୍କ ବନ୍ଧୁକ ରଖିବା ନିହାତି ଆବଶ୍ୟକ ସେମାନେ ଆବେଦନ କରିପାରିବେ ବୋଲି ଡିସିପି ଶ୍ରୀ ସାହୁ କହିଛନ୍ତି।

ସମ୍ବନ୍ଧିତ ଖବର