ଦେଢ଼ଫୁଟ୍‌ ଉଚ୍ଚତାର ଆହତ ମାଛରଙ୍କା ପକ୍ଷୀ ଉଦ୍ଧାର

ଧଉଳି: ଆଜି ଅପରାହ୍‌ଣରେ ପୁବାଶାସନସ୍ଥିତ ଏକ ଦଳଭର୍ତ୍ତି ପୋଖରୀ ଭିତରୁ ବନଶୀ କଣ୍ଟାରେ ଫସି ଯାଇଥିବା ଗୋଟିଏ ବିରଳ ପ୍ରଜାତିର ମାଛରଙ୍କା ପକ୍ଷୀ(ହେରନ) ଉଦ୍ଧାର ହୋଇଛି। ଖାଦ୍ୟ ଅନ୍ବେଷଣରେ ଆସିଥିବା ଏହି ପକ୍ଷୀଟି ବନ୍‌ଶୀ କଣ୍ଟା ଗିଳି ଯନ୍ତ୍ରଣାରେ ଛଟପଟ ହେଉଥିବା ଦେଖି ଗ୍ରାମବାସୀମାନେ ବାଳକାଟିସ୍ଥିତ ବନ ବିଭାଗ କାର୍ଯ୍ୟାଳୟକୁ ଯୋଗାଯୋଗ କରିଥିଲେ। ଫରେଷ୍ଟର ମଧୁଛନ୍ଦା ସେଠୀ ଓ ବନରକ୍ଷୀ ଲିଲି ସାହୁଙ୍କ ସମେତ ଅନ୍ୟ କର୍ମଚାରୀମାନେ ସେଠାରେ ପହଞ୍ଚି ପକ୍ଷୀଟିକୁ ଉଦ୍ଧାର କରି କାର୍ଯ୍ୟାଳୟକୁ ଆଣିଥିଲେ। ଉଦ୍ଧାର ହୋଇଥିବା ପକ୍ଷୀ ମାଛରଙ୍କା ପ୍ରଜାତିର। ଉଚ୍ଚତା ଦେଢ଼ ଫୁଟ, ଓଜନ ୧କିଲୋ ହେବ ବୋଲି ଫରେଷ୍ଟର କହିଛନ୍ତି। ପକ୍ଷୀଟିର ଥଣ୍ଟ ଓ ବେକରେ ପ୍ରାୟ ୩ ଇଞ୍ଚ ଲମ୍ବର କ୍ଷତ ସୃଷ୍ଟି ହୋଇଛି। ସଂଧ୍ୟା ହୋଇଯାଇଥିବାରୁ ଏହି ପକ୍ଷୀଟିକୁ ଚିକିତ୍ସା ପାଇଁ ଓୟୁଏଟି କାର୍ଯ୍ୟାଳୟକୁ ନିଆଯାଇପାରିନଥିବା ଜଣାପଡ଼ିଛି। ଆସନ୍ତାକାଲି ଓୟୁଏଟିରେ ଚିକିତ୍ସା କରାଯିବା ପରେ ସଂରକ୍ଷିତ ସ୍ଥାନରେ ଛାଡ଼ି ଦିଆଯିବ ବୋଲି ରେଞ୍ଜର୍‌ ଜୟକୃଷ୍ଣ ଯଦୁମଣି ଦାସ କହିଛନ୍ତି।

ସମ୍ବନ୍ଧିତ ଖବର