ବୋମାମାଡ଼ରେ ଥରୁଛି ରାଜଧାନୀ: ବର୍ଷକରେ ୧୨ ବୋମାମାଡ଼

ଭୁବନେଶ୍ବର: ରାଜଧାନୀରେ ଘନଘନ ବୋମାମାଡ଼ କମିସନ୍‌ରେଟ୍‌ ପୁଲିସର ନିଦ ହଜାଇ ଦେଇଛି। କଥା କଥାକେ ବୋମାମାଡ଼ ହେଉଛି। କେତେବେଳେ ଲୋକଙ୍କ ଉପରକୁ ତ କେତେବେଳେ ରେସ୍ତୋରାଁ, ପୁଣି କେତେବେଳେ ରାଜନୈତିକ ଦଳ କାର୍ଯ୍ୟାଳୟ ଉପରେ।  ଗତ ରବିବାର ରାତିରେ ନୂଆପଲ୍ଲୀ ଗଡ଼ସାହି ଅଞ୍ଚଳରେ ଥିବା ୟୁନିଟ୍‌ କ୍ଲବ ଉପରକୁ ବୋମା ମାଡ଼ ହୋଇଛି। ବର୍ଷକ  ମଧ୍ୟରେ ରାଜଧାନୀରେ ଏଭଳି ୧୨ରୁ ଊର୍ଧ୍ବ ଘଟଣା ଘଟି ସାରିଲାଣି। ଅପରପକ୍ଷେ ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଅପରାଧୀମାନେ ଏଭଳି ଉପଦ୍ରବ କରୁଥିବାରୁ ରାଜଧାନୀବାସୀ ଆତଙ୍କିତ। ଯଦିଓ ବୋମାମାଡ଼ ଯୋଗୁଁ ଏପର୍ଯ୍ୟନ୍ତ କାହାର କିଛି ନାହିଁ, କିନ୍ତୁ କେତେବେଳେ କାହାର ଜୀବନ ଚାଲିଯିବ, ତାହା କେହି କହିପାରିବେ ନାହିଁ। ରାଜଧାନୀରେ ବାରମ୍ବାର ଘଟୁଥିବା ଏଭଳି କାଣ୍ଡ ପାଇଁ କିଛି ବୁଦ୍ଧିଜୀବୀ ପୁଲିସର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇଛନ୍ତି। ପୁଲିସର କୋହଳ ମନୋଭାବ ଓ ଢିଲା କାର୍ଯ୍ୟାନୁଷ୍ଠାନକୁ ସେମାନେ ଦାୟୀ କରିଛନ୍ତି। ୧୨ଥର ବୋମାମାଡ଼ ଘଟଣା ମଧ୍ୟରୁ ୬ଥର ଗତ ୩ମାସ ମଧ୍ୟରେ ଘଟିଛି। ଆଗକୁ ନିର୍ବାଚନ ଥିବାରୁ ବିଭିନ୍ନ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ଛକାପଞ୍ଝା ଲାଗି ରହିଛି। କେତେକ ସ୍ଥାନରେ ହିଂସାତ୍ମକ ପରିସ୍ଥିତି ମଧ୍ୟ ଉପୁଜିଲାଣି। ସେହିପରି କମିସନରେଟ୍‌ ପୁଲିସ ମଧ୍ୟ ଅନେକ ସମ୍ବେଦନଶୀଳ ବୁଥ୍‌କୁ ଚିହ୍ନଟ କରିଛି। ତେବେ ନିର୍ବାଚନ ସମୟରେ କିଭଳି ହିଂସାତ୍ମକ ପରିସ୍ଥିତିକୁ ରୋକାଯାଇପାରିବ ଏବଂ ସୁରକ୍ଷାକୁ କଡ଼ାକଡ଼ି କରାଯିବ ତାହା ଏବେ ପୁଲିସ ପାଇଁ ଚିନ୍ତାର ବିଷୟ। ନୂଆପଲ୍ଲୀ ଗଡ଼ସାହି ୟୁନିଟ୍‌ କ୍ଲବରେ ବୋମାମାଡ଼ ଓ ଯୁବକଙ୍କୁ ଆକ୍ରମଣ ଘଟଣାରେ ପୁଲିସ ଅପରାଧୀଙ୍କ ଟେର୍‌ ପାଇନାହିଁ। ରବିବାର ସନ୍ଧ୍ୟାରେ ‌କ୍ଲବ୍‌ ନିକଟରେ ପ୍ରେମୀ ଯୁଗଳ ରୋମାନ୍ସ କରୁଥିବା ବେଳେ ସ୍ଥାନୀୟ ଯୁବକମାନେ ଏହାକୁ ବିରୋଧ କରିଥିଲେ। ପ୍ରେମିକ ଜଣଙ୍କ ଉତ୍ତ୍ୟକ୍ତ ହୋଇ ଯୁବକମାନଙ୍କୁ ଗାଳିଗୁଲଜ କରିଥିଲେ। ତେବେ ବିଳମ୍ବିତ ରାତିରେ ଉକ୍ତ ଯୁବକଜଣଙ୍କ ୫-୬ଜଣ ସାଙ୍ଗଙ୍କୁ ଧରି କ୍ଲବ୍‌ ନିକଟରେ ପହଞ୍ଚିଥିଲା। ଅଭିଯୁକ୍ତମାନେ କ୍ଲବ ଉପରକୁ ଲଗାତାର ବୋମାମାଡ଼ କରିବା ସହ ସେଠାରେ ଥିବା ଯୁବକମାନଙ୍କୁ ଖଣ୍ଡା ଭୁଜାଲିରେ ଆକ୍ରମଣ କରିଥିଲେ। କାର୍‌ ଓ ବାଇକ୍‌କୁ ଭଙ୍ଗାରୁଜା କରିଥିଲେ। ଆକ୍ରମଣରେ ସ୍ଥାନୀୟ ଅଞ୍ଚଳର ରବୀନ୍ଦ୍ର ନାୟକ ଓ ଜୟ ପ୍ରକାଶ ମହାନ୍ତି ଆହତ ହୋଇଥିଲେ। ଏନେଇ ସେମାନେ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ତେବେ ଏଥିରେ ଜଣେ ପିସିଆର ଭ୍ୟାନ୍‌ ଡ୍ରାଇଭର୍‌ଙ୍କ ପୁଅ ସମ୍ପୃକ୍ତ ଥିବାରୁ ଘଟଣାକୁ ଚାପିଦେବାକୁ ଉଦ୍ୟମ କରାଯାଉଛି ବୋଲି ଅଭିଯୋଗ ହେଉଛି।

ଟାର୍ଗେଟ୍‌ରେ ମଲ୍‌ ଓ ଗହଣା ଦୋକାନ

ବୋମାମାଡ଼ର ମୁଖ୍ୟ କାରଣ ପାଲଟିଛି ଦାଦାବଟି। ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ କହିବା ଅନୁଯାୟୀ, କମ ସମୟରେ ଅଧିକ ଅର୍ଥ ରୋଜଗାର କରିବା ଲୋଭ ଯୋଗୁ ଯୁବପିଢ଼ି ଏପରି ରାସ୍ତାରେ ପାଦ ଥାପୁଛନ୍ତି। ସେମାନଙ୍କ ଟାର୍ଗେଟ୍‌ରେ ରହିଛି ବଡ଼ ବଡ଼ ବିଲ୍‌ଡର ସଂସ୍ଥା, ଗହଣା ଦୋକାନ, ରେସ୍ତୋରାଁ, ବାର, ମଲ, କାର ସୋରୁମ୍‌।  ଏହାଛଡ଼ା ପୂର୍ବ ଶତ୍ରୁତା ଓ ରାଜନୈତିକ କାରଣ ଯୋଗୁଁ କେତେକ ସ୍ଥାନ‌ରେ ବୋମାମାଡ଼ ଭଳି ଘଟଣା ଘଟୁଥିବା ନଜିର ରହିଛି ବୋଲି ପୁଲିସ ଅଧିକାରୀଜଣଙ୍କ କହିଛନ୍ତି।

ବୋମାର ଗନ୍ତାଘର ପିପିଲି

ପିପିଲି ପାଲଟିଛି ବୋମା ତିଆରିର ଗନ୍ତାଘର। ଯଦିଓ ଜଟଣୀ, ତମାଣ୍ଡୋ, ତରାବୋଇ ଭଳି ଅଞ୍ଚଳରୁ ଅପରାଧୀମାନେ ବୋମା କିଣୁଛନ୍ତି। ହେଲେ ଆଜି ପର୍ଯ୍ୟନ୍ତ ଯେଉଁ ସବୁ ବୋମା ଜବତ ହୋଇଛି, ଅଧିକାଂଶ ପିପିଲି ଅଞ୍ଚଳର ବୋଲି ଅପରାଧୀମାନେ ସ୍ୱୀକାର କରିଛନ୍ତି। କାରଣ ପିପିଲିରୁ ମିଳୁଥିବା ବୋମାଗୁଡ଼ିକ କମ୍‌ ଦ‌ାମ୍‌ ଏବଂ ଅଧିକ ପ୍ରଭାବ ଥିବାରୁ ଅପରାଧୀମାନେ ସେଠାରୁ କିଣୁଥିବା ଜଣାପଡ଼ିଛି। ଏଭଳି ବୋମା ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଛି। ତେଣୁ ବୋମା ତିଆରି ହେଉଥିବା ଆଡ଼ା ଠାବ କରିବା ସହ ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ଦାବି ହେଉଛି।

ପ୍ରମୁଖ ବୋମାମାଡ଼ ଘଟଣା

ଜାନୁଆରି ୧୩: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପାତ୍ରପଡ଼ା ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ଘର ଉପରକୁ ବୋମା ମାଡ଼ କରାଯାଇଥିଲା। ୨ ଯୁବକ ବାଇକ୍‌ରେ ଆସି ୩-୪ଟି ବୋମା ମାଡ଼ କରିଥିଲେ। ପୁଲିସ ସିସିଟିଭି ଯାଞ୍ଚ କରି ଜଣେ ଯୁବକକୁ ଗିରଫ କରିଥିଲା।

ଫେବ୍ରୁଆରି ୬: ଚନ୍ଦକା ଥାନା ଅନ୍ତର୍ଗତ ମେଣ୍ଢାଶାଳା ଗ୍ରାମର ମୁସଲମାନ ସାହିର ରାଜ୍‌ ଖାଁ ଓ ତଫିଲ ଖାଁଙ୍କ ଘର ଉପରକୁ ୩ଟି ବୋମାମାଡ଼ କରାଯାଇଥିଲା। ଏହି ଘଟଣାରେ ଚନ୍ଦକା ଥାନା ପୁଲିସ ଶେଖ୍‌ ସାଜିଦ୍‌କୁ ଗିରଫ କରିଥିଲା।

ମାର୍ଚ୍ଚ ୯: ପୂର୍ବଶତ୍ରୁତାକୁ କେନ୍ଦ୍ର କରି ବରମୁଣ୍ଡା ବସ୍‌ଷ୍ଟାଣ୍ଡ ନିକଟରେ ଏକ ହୋଟେଲ୍‌ ଉପରକୁ ବୋମାମାଡ଼ କରାଯାଇଥିଲା। ଏହି ଘଟଣାରେ ଖଣ୍ଡଗିରି ଥାନା ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଥିଲା।

ମାର୍ଚ୍ଚ ୪: ସକାଳେ ଲକ୍ଷ୍ମୀସାଗର ଥାନା ଅଧୀନ ବମିଖାଲ ଅଞ୍ଚଳରେ ହଠାତ୍‌ ପ୍ରଚଣ୍ଡ ବିସ୍ଫୋରଣ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିଲା। ପ୍ଲଟ୍‌ ନଂ-୧୨୦୨ରେ ଥିବା ୩ମହଲା ବିଶିଷ୍ଟ କୋଠାର ପ୍ରଥମ ମହଲାରେ ବିସ୍ଫୋରଣ ଯୋଗୁଁ ଘରଟି ସମ୍ପୂର୍ଣ୍ଣ ଜଳିଯାଇଥିଲା। ସୌଭାଗ୍ୟବଶତଃ ଉପର ମହଲା ଓ ତଳ ମହଲାରେ ଥିବା ୨ଟି ପରିବାରର ଲୋକମାନେ ଅଳ୍ପକେ ବର୍ତ୍ତି ଯାଇଥିଲେ।

ସମ୍ବନ୍ଧିତ ଖବର