‘ସମ୍ବାଦ’ ପ୍ରଭାବ: ଡ୍ରିଲିଂ ମେସିନ୍‌ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ୧୦ଲକ୍ଷ ଟଙ୍କା ମଞ୍ଜୁର

ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲର ଅସ୍ଥିଶଲ୍ୟ ବିଭାଗରେ ଅସ୍ତ୍ରୋପଚାର ପାଇଁ ଆବଶ୍ୟକ ଡ୍ରିଲିଂ ମେସିନ୍‌ ନ ଥିବା ଖବର ଗତ ୧୮ତାରିଖରେ ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଡ୍ରିଲିଂ ମେସିନ୍‌ କିଣିବା ପାଇଁ କ୍ୟାପିଟାଲ ହସ୍ପିଟାଲକୁ ୧୦ଲକ୍ଷ ଟଙ୍କା ମଞ୍ଜୁର କରାଯାଇଥିବା ଜଣାପଡ଼ିଛି। ଖୁବ୍‌ଶୀଘ୍ର ଏହି ଟଙ୍କା ହସ୍ପିଟାଲ କର୍ତୃପକ୍ଷଙ୍କୁ ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି। କ୍ୟାପିଟାଲ ହସ୍ପିଟାଲର ଅସ୍ଥିଶଲ୍ୟ ବିଭାଗରେ ରୋଗୀଙ୍କ ଭଙ୍ଗା ହାତ/ଗୋଡ଼ରେ ପ୍ଲେଟ୍‌ ଲଗାଇବା ପାଇଁ ଡ୍ରିଲିଂ ମେସିନ୍‌ ନାହିଁ। ପୂର୍ବରୁ ଏହି ଡ୍ରିଲିଂ ମେସିନ୍‌ ସିଆର୍‌ଏମ୍‌ ମେସିନ୍‌ ସହ ଏକାଠି ରହିଥିଲା। ତେବେ ସିଆରଏମ୍‌ ମେସିନ୍‌ ବନ୍ଦ ହୋଇଯିବାରୁ ଡ୍ରିଲିଂ ମେସିନ୍‌ ମଧ୍ୟ ବନ୍ଦ ହୋଇଯାଇଛି। ବାଧ୍ୟ ହୋଇ ରୋଗୀଙ୍କୁ କଟକ ଏସ୍‌ସିବିକୁ ରେଫର କରାଯାଉଛି। ଡ୍ରିଲିଂ ମେସିନ୍‌ ଲଗାଇବା ପାଇଁ ହସ୍ପିଟାଲ କର୍ତୃପକ୍ଷ ଦୀର୍ଘ ଦିନରୁ ଦାବି କରି ଆସୁଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅସ୍ଥିଶଲ୍ୟ ବିଭାଗରେ ଡ୍ରିଲିଂ ମେସିନ୍‌ ଉପଲବ୍ଧ ହେଉଥିବା ବେଳେ ରାଜଧାନୀର ପ୍ରମୁଖ ସରକାରୀ ଡାକ୍ତରଖାନାରେ ଏହି ମେସିନ୍‌ ଉପଲବ୍ଧ ନଥିବାରୁ ଡାକ୍ତର ଓ ରୋଗୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଥିଲା।କ୍ୟାପିଟାଲ ହସ୍ପିଟାଲର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ରାଜ୍ୟ ସରକାରଙ୍କ ପକ୍ଷରୁ ଏଥିପାଇଁ ୧୦ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି। ଏହି ଟଙ୍କା ପାଇବା ପରେ ଡ୍ରିଲିଂ ମେସିନ୍‌ କିଣିବା ପାଇଁ ଟେଣ୍ଡର କରାଯିବ। ଖୁବ୍‌ଶୀଘ୍ର ଏହି ସେବା ହସ୍ପିଟାଲରେ ଆରମ୍ଭ ହେବ ବୋଲି ଅଧିକାରୀଜଣକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର