ରାଜଧାନୀରେ ହେବ ୧୦ ତାରକା ହୋଟେଲ

ଇ-ନିଲାମି କରି ସରକାର ଜମି ଦେବେ

ଭୁବନେଶ୍ୱର : ଭୁବନେଶ୍ୱର ହେବ ତାରକା ହୋଟେଲର ହବ୍‌। ଦେଶ ଏବଂ ଦେଶ ବାହାରର ବହୁ ଅନ୍ତର୍ଜାତୀୟସ୍ତରର ହୋଟେଲର ଶାଖା ଏଠାରେ ଖୋଲିବ। ଏଥିପାଇଁ ରାଜ୍ୟ ସରକାର ରାଜଧାନୀର ପ୍ରମୁଖ ଅଞ୍ଚଳରେ ଜମି ଯୋଗାଇ ଦେବେ। ଏନେଇ ଜମି ଚିହ୍ନଟ ହୋଇଥିବାବେଳେ ଖୁବ୍‌ ଶୀଘ୍ର ଜମି ଆବଣ୍ଟନ ପାଇଁ ଇ-ନିଲାମ ହେବ।

ରାଜଧାନୀରେ କୌଣସି ପ୍ରକାରର ଅନ୍ତର୍ଜାତୀୟସ୍ତରର କ୍ରୀଡ଼ା ପ୍ରତିଯୋଗିତା, ସମ୍ମିଳନୀ ହେଲେ ଆବଶ୍ୟକୀୟ ହୋଟେଲ୍‌ ମିଳୁନି। ଏପରିକି ଯେତିକି ତାରକା ହୋଟେଲ ଅଛି ସେଠାରେ ସର୍ବାଧିକ ୭୦୦ରୁ ୮୦୦ ଲୋକ ରହିବାର ବ୍ୟବସ୍ଥା ଅଛି। ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତା ହେଲେ ଖେଳାଳିମାନଙ୍କୁ ଆବଶ୍ୟକୀୟ ପ୍ରୋଫାଇଲ୍‌ର ହୋଟେଲ ଯୋଗାଇ ଦିଆଯାଇପାରୁନି। ଏପରିକି ଅନ୍ତର୍ଜାତୀୟସ୍ତରର ସମ୍ମିଳନୀ ହେଲେ କଟକ ଓ ପୁରୀରେ ବିଭିନ୍ନ ହୋଟେଲରେ ଅତିଥିଙ୍କୁ ରଖିବାକୁ ପଡ଼ୁଛି। ତେଣୁ ଭୁବନେଶ୍ୱରରେ ୧୦ରୁ ଅଧିକ ତାରକା ହୋଟେଲ ନିର୍ମାଣ କରିବାକୁ ସରକାର ଯୋଜନା କରିଛନ୍ତି।

ବିଡିଏର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ରାଜଧାନୀର କେତୋଟି ପ୍ରମୁଖ ଅଞ୍ଚଳରେ ସରକାରୀ ଜମି ଅବ୍ୟବହୃତ ହୋଇ ପଡ଼ିଛି। ଏହାସହ ଏବେ ହଜାରେ ଏକରରୁ ଅଧିକ ସରକାରୀ ଜମି ଜବରଦଖଲ ଥିବାବେଳେ ୧୬୭ଏକର ଜମି ଏବେ ବିଡିଏ ଜବରଦଖଲମୁକ୍ତ କରିଛି। ଏଥିରୁ ୧୩୪ଏକର ଜମିରେ ପାଚେରି ବୁଲାଇଥିବାବେଳେ ଏହି ଜମିଗୁଡ଼ିକୁ ତୁରନ୍ତ ବ୍ୟବହାର କରିବାକୁ ଯୋଜନା ହୋଇଛି। ଜବରଦଖଲମୁକ୍ତ ହୋଇଥିବା ଜମିରୁ ଅଧିକାଂଶ ସାଧାରଣ ପ୍ରଶାସନ ବିଭାଗ ଅଧୀନରେ ଥିବାବେଳେ ଖୁବ୍‌ ଶୀଘ୍ର ଏହାକୁ ବିଡିଏକୁ ହସ୍ତାନ୍ତର କରାଯିବ। ଏହି ଜମିଗୁଡ଼ିକର ଇ-ନିଲାମ ଡାକିବା ସହ କିପରି ସମସ୍ତ ପ୍ରକଳ୍ପ କାର୍ଯ୍ୟକାରୀ ହେବ ସେନେଇ ବିଡିଏ ଉପାଧ୍ୟକ୍ଷ କ୍ରିଷନ କୁମାରଙ୍କୁ ଦାୟିତ୍ୱ ଦିଆଯାଇଛି।

ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରାଜଧାନୀରେ ପ୍ରଥମ ପର୍ଯ୍ୟାୟରେ ୧୦ଟି ତାରକା ହୋଟେଲ୍‌ ନିର୍ମାଣ ହେବ। ଏହି ଇ-ନିଲାମରେ ଯେପରି ଅନ୍ତର୍ଜାତୀୟସ୍ତରର ଉଦ୍ୟୋଗୀମାନେ ଭାଗ ନେବେ ସେଥିପାଇଁ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ବିଜ୍ଞାପନ ଦିଆଯିବା ସହ ବିଭିନ୍ନ ଉଦ୍ୟୋଗୀଙ୍କୁ ଡାକି ଆଲୋଚନା କରାଯିବ। ମେକ୍‌ ଇନ୍‌ ଓଡ଼ିଶା ଯୋଜନାରେ ଏହି ସମସ୍ତ ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରାଯିବ।

ବର୍ତ୍ତମାନ ସୁଦ୍ଧା ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ, ଇନଫୋସିଟି, ଇନଫୋ ଭ୍ୟାଲି, ଡେଲ୍‌ଟା ଛକ, ମଞ୍ଚେଶ୍ୱର, ଶ୍ୟାମପୁର, ବିଜେବି ନଗର, ମଧୁସୂଦନ ନଗର, ଜୟଦେବ ବିହାର, ନୂଆପଲ୍ଲୀ ଆଦି ଅଞ୍ଚଳରେ ଏହି ହୋଟେଲ ନିର୍ମାଣ ହେବ। ପ୍ରତ୍ୟେକ ହୋଟେଲ ପାଇଁ ସର୍ବନିମ୍ନ ଅଧ ଏକର କି ଏକ ଏକର ଜମି ଯୋଗାଯିବ ସେନେଇ ନିଷ୍ପତ୍ତି ହୋଇନି। ଯେଉଁ ସରକାରୀ ଜମି ଜବରଦଖଲମୁକ୍ତ ହୋଇଛି ଏବଂ ଏବେ ଖାଲି ପଡ଼ିଛି ସେଗୁଡ଼ିକୁ ଚିହ୍ନଟ କରାଯାଇଛି। ଏପରିକି ସରକାର ବଡ଼ ବଡ଼ ହୋଟେଲ ପାଇଁ ୫ରୁ ୧୦ଏକର ଜମି ଯୋଗାଇବାକୁ ବି ପ୍ରସ୍ତୁତ ଅଛନ୍ତି।

କେଉଁଠି କେତେ ଜମି ଜବରଦଖଲ ମୁକ୍ତ ହୋଇଛି

ବିିଡିଏ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରାଜଧାନୀରେ ଏବେ ପ୍ରାୟ ୧୬୭ଏକର ଜମି ଜବରଦଖଲ ମୁକ୍ତ ହୋଇଥିବାବେଳେ ଏଥିରୁ ୧୩୩.୭୮୫ଏକର ଜମିରେ ପାଚେରି ବୁଲାଯାଇଛି। ଏଥିରେ ବିଜେବି ନଗରରେ ୩.୫୪୩ଏକର, ଚନ୍ଦ୍ରଶେଖରପୁରରେ ୩୮.୩୮୬ଏକର, ଜାଗମରାରେ ୩.୭୫୦, ପାଣ୍ଡରାରେ ୫ଏକର, ଲକ୍ଷ୍ମୀସାଗରରେ ୩.୩୧୦ଏକର, ଭଗବାନପୁରରେ ୫ଏକର, ମଧୁସୂଦନନଗରରେ ୩ଏକର, ପୋଖରୀପୁଟରେ ୬.୨୦୦ଏକର, ଗାଡ଼କଣରେ ୧୦ଏକର, ସିଜୁଆ (ଏମ୍‌ସ) ନକିଟରେ ୨ଏକର, ସହିଦନଗରରେ ୧ଏକର, ଖାରବେଳନଗରରେ ୨.୫ଏକର, ମଞ୍ଚେଶ୍ୱରରେ ୦.୯୨୦ଏକର, କପିଳପ୍ରସାଦରେ ୨.୫୨୦ଏକର, ବରମୁଣ୍ଡାରେ ୧.୧୦୦ଏକର, ଜୟଦେବବିହାରରେ ୩.୪୨୮ଏକର, ଘାଟିକିଆରେ ୧.୫୦୦ଏକର, ଗୌତମ ନଗରରେ ୦.୩୫୩ଏକର, କେଶରୀ ନଗରରେ ୫ଏକର, କଳାରାହାଙ୍ଗରେ ୧.୫୦୦ଏକର, ପଟିଆରେ ୧ଏକର, ରଘୁନାଥପୁରରେ ୧.୬୦୦ଏକର, ନୂଆପଲ୍ଲୀରେ ୩.୧୭୭ଏକର, ଖଣ୍ଡଗିରିରେ ୨.୧୨୦ଏକର, ଗଙ୍ଗନଗରରେ ୧.୧୪୨ଏକର, ଜୋହଳରେ ୦.୫୨୪ଏକର, ଭୀମପୁରରେ ୦.୬୩୧ ଏକର, ଶ୍ୟାମପୁରରେ ୪ଏକର, ଆଇଗିଣିଆରେ ୨.୩୭୬ଏକର, କଳିଙ୍ଗ ନଗରରେ ୧୨.୧୮୧ଏକର, ବମିଖାଲରେ ୦.୦୪୫ଏକର, ଯଦୁପୁରରେ ୩.୦୬୭ଏକର, ଝାରପଡ଼ାରେ ୦.୩୯୩ଏକର, ଗଣ୍ଡମୁଣ୍ଡାରେ ୦.୧୮୯ଏକର, ସୁନ୍ଦରପଦାରେ ୧.୩୩୦ଏକର ଜମି ଏବେ ଜବରଦଖଲ ମୁକ୍ତ ହୋଇ ପାଚେରି ବୁଲାଯାଇଛି।

ସମ୍ବନ୍ଧିତ ଖବର