୧୦ ହଜାର ବିଦ୍ୟାଳୟରେ ହେବ ସୌରଶକ୍ତି ବ୍ୟବସ୍ଥା

ରାଜ୍ୟସ୍ତରୀୟ ଜାତୀୟ ଶକ୍ତି ସଂରକ୍ଷଣ ଦିବସ

ଭୁବନେଶ୍ୱର: ରାଜ୍ୟର ୧୦ ହଜାର ବିଦ୍ୟାଳୟରେ ସୌରଶକ୍ତିରୁ ବିଦ୍ୟୁତ ଉତ୍ପାଦନ ପାଇଁ ଶକ୍ତି ବିଭାଗ ବିଚାର କରୁଛି। ଇକୋ କ୍ଲବ ଥିବା ବିଦ୍ୟାଳୟଗୁଡ଼ିକରେ ଏହି ବ୍ୟବସ୍ଥା କରିବା ନେଇ ଜଙ୍ଗଲ ଓ ପରିବେଶ ବିଭାଗ ସହ ଆଲୋଚନା କରାଯାଉଛି ବୋଲି ରାଜ୍ୟ ଶକ୍ତିମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ କହିଛନ୍ତି। ଜାତୀୟ ଶକ୍ତି ସଂରକ୍ଷଣ ଦିବସ ଅବସରରେ ଜୟଦେବ ଭବନରେ ଅନୁଷ୍ଠିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଲେ, ଶକ୍ତି ସଂରକ୍ଷଣ ନେଇ ଲୋକଙ୍କୁ ସଚେତନ କରାଯାଉଛି। ଏବେ ରାଜ୍ୟରେ ୬୬ ଲକ୍ଷ ବିଜୁଳି ଗ୍ରାହକ ରହିଥିବା ବେଳେ ଏହି ସଂଖ୍ୟାକୁ ଆସନ୍ତା ୨ ବର୍ଷ ମଧ୍ୟରେ ଏକ କୋଟିରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି। ଗ୍ରିନ୍‌ ଏନର୍ଜି ବ୍ୟବହାର ନେଇ ସଚେତନତା ଚାଲିଛି। ବିଭିନ୍ନ ସହରରେ ଏଲଇଡି ଲାଇଟ୍‌ ଲଗାଯିବା ଦ୍ୱାରା ବିଦ୍ୟୁତ୍‌ ଅପଚୟ ବହୁ ପରିମାଣରେ ହ୍ରାସ ପାଇଛି ବୋଲି ମନ୍ତ୍ରୀ କହିଥିଲେ। ଶକ୍ତି ବିଭାଗ ସଚିବ ହେମନ୍ତ ଶର୍ମା ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଦ୍ୟାଳୟଗୁଡ଼ିକରେ ସୋଲାର ସଂଯୋଗ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ସେଣ୍ଟର ଫର୍‌ ଏନ୍‌ଭର୍ନମେଣ୍ଟ ଷ୍ଟଡଜ୍‌ର ନିର୍ଦେଶକ ଅଶୁତୋଷ ଦେବତା ଅନ୍ୟତମ ଅତିଥି ଭାବେ ଯୋଗଦେଇ କହିଲେ, ୨୦୩୦ ସୁଦ୍ଧା ବିଶ୍ୱରେ କୋଇଲା ଏବଂ ୨୦୫୦ ସୁଦ୍ଧା ପେଟ୍ରୋଲ ସଙ୍କଟ ଦେଖାଦେବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ସୋଲାର ଶକ୍ତି ବ୍ୟବହାର ଉପରେ ଏବେଠାରୁ ଗୁରୁତ୍ୱ ଦେବାକୁ ପଡ଼ିବ। ୨୦୧୮ ମଧ୍ୟରେ ଇକୋ-କ୍ଲବ ଥିବା ୧୦ ହଜାର ବିଦ୍ୟାଳୟରେ ସୋଲାର ବ୍ୟବସ୍ଥା କରିବାକୁ ସେ ଶକ୍ତିମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଥିଲେ। ଶକ୍ତି ବିଭାଗ ଅଧିକାରୀ ଡି.ସି. ସାହୁ ସ୍ୱାଗତ ଭାଷଣ ଦେଇଥିବା ବେଳେ ଜେ.ପି. ସ୍ୱାଇଁ ଧାନ୍ୟବାଦ ଅର୍ପଣ କରିଥିଲେ। ରାଜ୍ୟ ଶକ୍ତି ସଂରକ୍ଷଣ କ୍ଷେତ୍ରରେ କାର୍ଯ୍ୟ କରିଥିବା ବିଭିନ୍ନ ସଂସ୍ଥାକୁ ଏହି ଅବସରରେ ସମ୍ବର୍ଧନା ଦିଆଯାଇଥିଲା। ଏଥିସହ ୪୫ ହଜାର ଛାତ୍ରଛାତ୍ରୀଙ୍କୁ ନେଇ ପୂର୍ବରୁ ରାଜ୍ୟରେ ହୋଇଥିବା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ସକାଳେ ୩୦ଟି ଜିଲ୍ଲାର ଛାତ୍ରଛାତ୍ରୀଙ୍କୁ ନେଇ ଏକ ଶୋଭାଯାତ୍ରା କଳିଙ୍ଗ ଷ୍ଟାଡିୟମ୍‌ରୁ ବାହାରି ଜୟଦେବ ଭବନ ନିକଟରେ ପହଞ୍ଚିଥିଲା। ଏଥିରେ ଶକ୍ତି ସଂରକ୍ଷଣ ଉପରେ ବାର୍ତା ଦିଆଯାଇଥିଲା।

ସମ୍ବନ୍ଧିତ ଖବର