ଗୋଟିଏ ଘରେ ଶହ ଶହ ଘର, ଦର୍ଶକଙ୍କୁ ଯୋଡ଼ିବ ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରରେ ନୂଆ ମଡେଲ

ଭୁବନେଶ୍ବର: ଧୀରେଧୀରେ ଆକର୍ଷଣ ହରାଇବାକୁ ବସିଥିବା ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରରେ ଦର୍ଶକଙ୍କୁ ଯୋଡ଼ିବା ପାଇଁ ଖୋଲିବ ନୂଆ ବିଜ୍ଞାନ ମଡେଲ। ଏହି ମଡେଲ ସବୁ ଦର୍ଶକଙ୍କୁ ବିଜ୍ଞାନ କେନ୍ଦ୍ରକୁ ଯୋଡ଼ିବା ସହ ବିଜ୍ଞାନ ପ୍ରତି ଆଗ୍ରହ ବଢ଼ାଇବାରେ ସହାୟକ ହେବ। ଏଥିରେ ରହିଛି ଜାଏଣ୍ଟ ହଲ ସହିତ ଡାଇନ୍ ୱିଥ ଇୟୋରସେଲ୍‌ଫ, ଫ୍ଲୋଟ ଇନ୍ ଦି ଏୟାର ଓ ନିଜ ମୁହଁକୁ ସମାନ୍ତରାଳ ଭାବେ ଦେଖିବା ଭଳି ମଡେଲ। ଆସନ୍ତା ୩/୪ମାସ ଭିତରେ ଏହି ସବୁ ମଡେଲ କାର୍ଯ୍ୟକ୍ଷମ ହେବ ବୋଲି ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।୧୯୮୯ ମସିହାରେ ଆରମ୍ଭ ହୋଇଥିବା ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରରେ ଏବେ ୪ଟି ଗ୍ୟାଲେରି ସହିତ ୧୮୦ଟି ‌ମଡେଲ ରହିଛି। ଗ୍ୟାଲେରି ମଧ୍ୟରେ ମୋସନ୍, ମ୍ୟାଥମାଟେକିସ୍, ପପୁଲାର ସାଇନ୍‌ସ ଓ ମିରର ରହିଛି। କିଛି ନୂଆ ମଡେଲକୁ ବାଦ୍ ଦେଲେ ଅନ୍ୟ ସବୁ ମଡେଲ ବହୁ ପୁରୁଣା, ଯାହାକି ଦର୍ଶକଙ୍କୁ ବିଜ୍ଞାନ କେନ୍ଦ୍ରକୁ ଆସିବାରେ ସହାୟକ ହୋଇପାରୁନାହିଁ। ଏଥିସହ ପୁରୁଣା ‌ମଡେଲଗୁଡ଼ିକ ରକ୍ଷଣାବେକ୍ଷଣ ଅଭାବରୁ ଭାଙ୍ଗିରୁଜି ଗଲାଣି। ତେଣୁ ନୂଆ ମଡେଲଗୁଡ଼ିକୁ ସାମିଲ କରିବା ପାଇଁ ଉଦ୍ୟମ ହୋଇଛି। ମିରର ଗ୍ୟାଲେରିରେ ଏହି ନୂଆ ମଡେଲ ସାମିଲ ହେବ।

ଜାଏଣ୍ଟ ହଲ୍‌ ମଡେଲରେ ଗୋଟିଏ ହୋଲ୍‌ ଭିତରେ ଚାହିଁଲେ ଶହ ଶହ ଘର ଦେଖିବାକୁ ମିଳିବ। କାଲାଇଡୋସ୍କୋପ୍ ଜରିଆରେ ଏହା କାର୍ଯ୍ୟ କରିବ। ୪x୧୨ ଘର ଭିତରେ ଏହି ମଡେଲ ତିଆରି ହେବ। ସେହିପରି ଡାଇନ୍ ୱିଥ ଇୟୋରସେଲ୍‌ଫରେ ଜଣେ ବ୍ୟକ୍ତିକୁ ଅନ୍ୟ ୫ଜଣଙ୍କ ସହିତ ଭୋଜନ କରୁଥିବାର ଅନୁଭବ ହେବ। ଯଦିଓ ଏଠାରେ ନିଜ ଛଡ଼ା ଅନ୍ୟ କେହି ନ ଥିବେ, କିନ୍ତୁ ମିରର୍‌ ବା ଦର୍ପଣରେ ଏଭଳି ଦୃଶ୍ୟମାନ ହେବ। ଏହି ମଡେଲ ଦେଶର ଅନ୍ୟ ବିଜ୍ଞାନ କେନ୍ଦ୍ରଗୁଡ଼ିକରେ ରହିଛି। ତେଣୁ ଭୁବନେଶ୍ବର ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରରେ ମଧ୍ୟ ଏହା ଲୋକପ୍ରିୟ ହେବ ବୋଲି କର୍ତୃପକ୍ଷ ଆଶା କରୁଛନ୍ତି। ଆଉ ଏକ ମଡେଲ ହେଉଛି ଫ୍ଲୋଟ୍‌ ଇନ ଏୟାର। ଏଥିରେ ଜଣେ ବସିଥିବା ସମୟରେ ଦୂରରୁ ‌ଦର୍ପଣରେ ଗୋଡ଼ ଝୁଲି ଥିବାର ଦେଖିବାକୁ ମିଳିବ। ଦର୍ଶକ ଏହାର ଫଟୋ ଉଠାଇ ମଜା ନେଇପାରିବେ। ହରାଇଜେଣ୍ଟାଲ ଇଫେକ୍ଟରେ ଜଣେ ବ୍ୟକ୍ତି ନିଜର ଫଟୋ ଦର୍ପଣ ସମ୍ମୁଖରେ ସିଧାସଳଖ ବଦଳରେ ଲମ୍ବ ଆକାରରେ ଦେଖାଯିବ। ଏଥିରେ ଏସିପି ଦର୍ପଣ ବ୍ୟବହାର କରାଯିବା ସହିତ ଏହା ୧.୫x୧ ଫୁଟ୍‌ ରହିବ। ଏସବୁ ବାଦ୍ ରଜ ବେଳକୁ ବିଜ୍ଞାନ କେନ୍ଦ୍ର ପରିସରରେ ୧୦ରୁ ଅଧିକ ଲୁହାର ଦୋଳି ଲଗାଇବା ପାଇଁ ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ରର ଯେଉଁ ଖାଲି ସ୍ଥାନ ରହିଛି, ସେଠାରେ ଏହି ଦୋଳି ଲାଗିବ। ଫଳରେ କେବଳ ରଜ ନୁହେଁ, ବର୍ଷତମାମ ଲୋକମାନେ ଦୋଳି ଖେଳିବାର ସୁଯୋଗ ପାଇପାରିବେ।

ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରର ପ୍ରକଳ୍ପ ନିର୍ଦେଶକ ତଥା ମୁଖ୍ୟ ହରପ୍ରସାଦ ମିଶ୍ରଙ୍କ ସୂଚନା ଅନୁସାରେ, ଏହି ସବୁ ମଡେଲ ଦର୍ଶକଙ୍କ ସହିତ ବିଜ୍ଞାନ ପ୍ରତି ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରିବ। ବିଜ୍ଞାନ କେନ୍ଦ୍ରକୁ ଅଧିକ ଆକର୍ଷଣୀୟ କରିବା ଦିଗରେ ଏହା ସହାୟକ ହେବ। କେବଳ ମଡେଲ ନୁହେଁ, ତୃତୀୟ ଶ୍ରେଣୀରୁ ଏକାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ‘ୟୁ ଡୁ ୟୁ ଅଣ୍ଡରଷ୍ଟାଣ୍ଡ’ କର୍ମଶାଳା ଆୟୋଜିତ କରାଯାଉଛି। ଆସନ୍ତା ମାସ ୭ତାରିଖରୁ ଆରମ୍ଭ ହୋଇ ଏହା ଜୁନ୍ ୯ତାରିଖ ପର୍ଯ୍ୟନ୍ତ ଚାଲିବ। ସକାଳ ଓ ସଂଧ୍ୟାରେ ଦୁଇଟି ବ୍ୟାଚ୍‌ରେ ଛାତ୍ରଛାତ୍ରୀମାନେ ବିଭିନ୍ନ ମଡେଲ ପ୍ରସ୍ତୁତ କରିବେ। ଗୋଟିଏ ବ୍ୟାଚ୍‌ରେ ୧୫ଜଣ ଛାତ୍ରଛାତ୍ରୀ ରହିବେ। ଫ୍ରିକ୍ସନ୍, ନ୍ୟୁଟନ୍‌ସ ଲ’, ମାଗ୍ନେଟିଜିମ୍, ଡିସି/ଏସି ମୋଟର ଇନଭର୍ଟର ଓ ଅଟୋ ଲ୍ୟାମ୍ପ ଭଳି ପ୍ରକଳ୍ପ ଛାତ୍ରଛାତ୍ରୀମାନେ ପ୍ରସ୍ତୁତ କରିବେ। କେନ୍ଦ୍ର ପକ୍ଷରୁ ଏସବୁ ପ୍ରକଳ୍ପ ପାଇଁ ଆବଶ୍ୟକ ଅର୍ଥ ନିଆଯିବ। ନୂଆ ଢଙ୍ଗରେ ବିଜ୍ଞାନ କେନ୍ଦ୍ରକୁ ପରିଣତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏସବୁ ମଡେଲ ଆସନ୍ତା ୩/୪ ମାସ ଭିତରେ କାର୍ଯ୍ୟକ୍ଷମ ହେବ ବୋଲି ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର